ଦିଲ୍ଲୀର କାଲକାଜୀ ମନ୍ଦିର ନିକଟ ଆସ୍ଥା କୁଞ୍ଜ ପାର୍କରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ତିନିଜଣ ଯୁବକ ନିଜକୁ ପୁଲିସ କହି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ତିନିଜଣଙ୍କୁ ପୁଲିସ ଗିରଫ କରିଛି। ଜଣେ ଅଭିଯୁକ୍ତ ପୁଲିସଠାରୁ ଖସିଯିବାକୁ ଉଦ୍ୟମ କରିବା ବେଳେ ଗୁଳିରେ ଆହତ ହୋଇ ହସ୍ପିଟାଲରେ ଅଛନ୍ତି।
ନୂଆଦିଲ୍ଲୀର କାଲକାଜୀ ମନ୍ଦିର ନିକଟ ଆସ୍ଥା କୁଞ୍ଜ ପାର୍କରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ । ତିନିଜଣ ଯୁବକ ନିଜକୁ ପୁଲିସ କର୍ମଚାରୀ ବୋଲି ପରିଚୟ ଦେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୁଲିସ ସୂଚନା ଅନୁସାରେ, ଘଟଣା ସେପ୍ଟେମ୍ବର ୨୧ ତାରିଖ ସନ୍ଧ୍ୟାରେ ଘଟିଥିଲା । ମାମଲାରେ ତିନିଜଣଙ୍କୁ ଗିରଫ କରାଯାଇଛି । ୧୭ ବର୍ଷୀୟ ନାବାଳିକା ଜଣକ ତାଙ୍କ ୧୭ ବର୍ଷୀୟ ନାବାଳକ ବନ୍ଧୁଙ୍କ ସହ କାଲକାଜୀ ମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ । ମନ୍ଦିରରେ ଦର୍ଶନ ସାରିବା ପରେ ଉଭୟ ମନ୍ଦିର ପଛପଟେ ଥିବା ଆସ୍ଥା କୁଞ୍ଜ ପାର୍କକୁ ଯାଇଥିଲେ ।
ସନ୍ଧ୍ୟା ପ୍ରାୟ ୭ଟା ୩୦ରେ ୨୫ରୁ ୩୦ ବର୍ଷ ବୟସର ତିନିଜଣ ବ୍ୟକ୍ତି ସେଠାରେ ପହଞ୍ଚି ନିଜକୁ ପୁଲିସ କର୍ମଚାରୀ ବୋଲି ପରିଚୟ ଦେଇ ଉଭୟଙ୍କୁ ଧମକାଇଥିବା ପୁଲିସ କହିଛି । ଜଣେ ଅଭିଯୁକ୍ତ ନାବାଳକଙ୍କୁ ଧରି ରଖିଥିବା ବେଳେ ତିନିଜଣ ମିଶି ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଘଟଣା ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ । ରାତି ପ୍ରାୟ ୮ଟା ୪୫ରେ ପୁଲିସ ନିକଟକୁ ଘଟଣା ସମ୍ପର୍କରେ PCR କଲ୍ ଆସିଥିଲା । ଏହାପରେ ପୁଲିସ ତଦନ୍ତ ଆରମ୍ଭ କରି ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳର CCTV ଫୁଟେଜ୍ ଯାଞ୍ଚ କରିଥିଲା । ନାବାଳିକାଙ୍କ ମେଡିକାଲ ପରୀକ୍ଷା କରାଯାଇ ତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି ।
ତଦନ୍ତ ବେଳେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା । ପୁଲିସ ତାଙ୍କୁ ଧରିବାକୁ ଯାଇଥିବା ବେଳେ ସେ ଫେରାର ହେବାକୁ ଉଦ୍ୟମ କରିଥିବାରୁ ପୁଲିସ ସହ ଗୁଳି ବିନିମୟ ହୋଇଥିଲା । ଏଥିରେ ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ବାଜିଥିବା ଏବଂ ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ପୁଲିସ ସୂଚନା ଦେଇଛି। ପରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ଘଟଣାକୁ ନେଇ ଦକ୍ଷିଣ-ପୂର୍ବ ଦିଲ୍ଲୀ ପୁଲିସ ପକ୍ଷରୁ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଏଥିରେ POCSO ଆଇନର ସମ୍ପୃକ୍ତ ଧାରା ମଧ୍ୟ ଲାଗୁ କରାଯାଇଛି । ଘଟଣାର ସମ୍ପୂର୍ଣ୍ଣ କ୍ରମ ଏବଂ ଅଭିଯୁକ୍ତମାନଙ୍କ ଭୂମିକା ନେଇ ପୁଲିସର ତଦନ୍ତ ଜାରି ରହିଛି ।

