ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତାକାଲି ଅର୍ଥାତ୍ ୧୫ ସେପ୍ଟେମ୍ବରରେ ଓଡ଼ିଶା , ଉତ୍ତର ପ୍ରଦେଶ, ବିହାର ସମେତ ୨୨ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଦେଶରେ ମୌସୁମୀର ଶେଷ ପର୍ଯ୍ୟାୟରେ ପାଣିପାଗ ବିଭାଗ ପୁଣି ସତର୍କ ସବଚନା ଜାରି କରିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତାକାଲି ଅର୍ଥାତ୍ ୧୫ ସେପ୍ଟେମ୍ବରରେ ଓଡ଼ିଶା , ଉତ୍ତର ପ୍ରଦେଶ, ବିହାର ସମେତ ୨୨ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ଘଣ୍ଟାପ୍ରତି ୭୦ ରୁ ୮୦ କିଲୋମିଟର ବେଗରେ ପ୍ରବଳ ପବନ ବହିପାରେ ।
ପାହାଡ଼ିଆ ରାଜ୍ୟଗୁଡ଼ିକରେ ଭୂସ୍ଖଳନର ଆଶଙ୍କା ଥିବାରୁ ଯାତ୍ରା କରିବା ପୂର୍ବରୁ ପାଣିପାଗ ସୂଚନା ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରେ ତୀବ୍ର ଝଡ଼ତୋଫାନ ଯୋଗୁଁ ଲୋକଙ୍କ ସମସ୍ୟା ବୃଦ୍ଧି ପାଇପାରେ । ପୂର୍ବ ଭାରତର ରାଜ୍ୟଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ଏବଂ ବଜ୍ରପାତର ସ୍ୱତନ୍ତ୍ର ଆଲର୍ଟ ଜାରି କରାଯାଇଛି । ଅନେକ ରାଜ୍ୟରେ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ସହ ଘଞ୍ଚ ଜଙ୍ଗଲିଆ ଅଞ୍ଚଳରେ ବଡ଼ ବଡ଼ ଗଛ ଭାଙ୍ଗିବାର ବିପଦ ରହିଛି ।
ବଙ୍ଗୋପସାଗରରେ ପ୍ରବଳ ପବନ ବହିବାର ଚେତାବନୀ ଦିଆଯାଇଛି, ଯାହାର ପ୍ରଭାବ ପୂର୍ବ ଭାରତରେ ଅଧିକ ଦେଖିବାକୁ ମିଳିବ । କେତେକ ରାଜ୍ୟରେ ସର୍ବାଧିକ ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ । ବର୍ତ୍ତମାନ ଉତ୍ତର-ପୂର୍ବ ଆସାମ ଏବଂ ତା’ର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ରହିଥିବା ବେଳେ ଦକ୍ଷିଣ-ପଶ୍ଚିମ ମଧ୍ୟପ୍ରଦେଶ ଓ ଉତ୍ତର ବିଦର୍ଭ ଉପରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି ।
ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତାକାଲି ଯେଉଁ ୨୨ଟି ରାଜ୍ୟରେ ପ୍ରବଳ ବର୍ଷା ଓ ଝଡ଼ତୋଫାନର ଆଲର୍ଟ ରହିଛି ସେଗୁଡ଼ିକ ହେଲା— ଉତ୍ତର ପ୍ରଦେଶ, ଦିଲ୍ଲୀ, ବିହାର, ହରିୟାଣା, ରାଜସ୍ଥାନ, ଉତ୍ତରାଖଣ୍ଡ, ପଞ୍ଜାବ, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ସିକ୍ସିମ୍, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡ଼ୁ, କେରଳ, ଗୁଜରାଟ ଏବଂ ମହାରାଷ୍ଟ୍ର । ଏହି ସମୟରେ ଘଣ୍ଟାପ୍ରତି ୮୦ କିମି ବେଗରେ ପବନ ବହିବାକୁ ଥିବାରୁ ଚାଷୀମାନଙ୍କୁ ବିଶେଷ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି ।

