ଆର୍ମି ଚାକିରି ଛାଡ଼ି ହୋଇଛନ୍ତି ବାବା ପ୍ରେମାନନ୍ଦଙ୍କ ଶିଷ୍ୟ: କିଏ ବାବା ନବଲ ନାଗରୀ?

ନବଲ ନାଗରୀ ବାବାଙ୍କ ବିଷୟରେ ସବୁଠୁ ରୋଚକ କଥା ହେଉଛି, ସାଧୁ ଜୀବନ ଆରମ୍ଭ କରିବା ପୂର୍ବରୁ ସେ ଭାରତୀୟ ସେନାରେ ଜଣେ ଅଧିକାରୀ ଥିଲେ। ସେ ପଠାନକୋଟର ବାସିନ୍ଦା।

ବୃନ୍ଦାବନରେ ସନ୍ତ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ଦୀପକ ଲୋଧି ଓରଫ ରସିକ ଦୁଲାରୀ ଶରଣଙ୍କ ମୃତ୍ୟୁ ଘଟଣା ଏବେ ଚର୍ଚ୍ଚାରେ ରହିଛି। ସେପ୍ଟେମ୍ବର ୨୫ ତାରିଖରେ ଗୁରୁ କୃପା କୁଞ୍ଜ ଆଶ୍ରମର ଚତୁର୍ଥ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି। ଏହାପରେ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟମାନଙ୍କୁ ନେଇ ଆଲୋଚନା ବଢ଼ିଛି। ତେବେ ମହାରାଜଙ୍କ ସବୁଠୁ ନିକଟତମ ଶିଷ୍ୟଙ୍କ କଥା ଆସିଲେ ନବଲ ନାଗରୀ ବାବାଙ୍କ ନାମ ଆଗକୁ ଆସେ।

ବୃନ୍ଦାବନର କେଲି କୁଞ୍ଜ ଆଶ୍ରମରେ ପ୍ରେମାନନ୍ଦ ମହାରାଜଙ୍କ ଭକ୍ତଙ୍କ ଦରବାର ବସିଲେ ନବଲ ନାଗରୀ ବାବା ପ୍ରାୟତଃ ତାଙ୍କ ସହ ନଜର ଆସନ୍ତି। ଭକ୍ତମାନେ ପଠାଇଥିବା ଚିଠି ପଢ଼ି ମହାରାଜଙ୍କୁ ଶୁଣାଉଥିବାର ଦୃଶ୍ୟ ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳେ।

ନବଲ ନାଗରୀ ବାବାଙ୍କ ବିଷୟରେ ସବୁଠୁ ରୋଚକ କଥା ହେଉଛି, ସାଧୁ ଜୀବନ ଆରମ୍ଭ କରିବା ପୂର୍ବରୁ ସେ ଭାରତୀୟ ସେନାରେ ଜଣେ ଅଧିକାରୀ ଥିଲେ। ସେ ପଠାନକୋଟର ବାସିନ୍ଦା। ତାଙ୍କ ପିତା ମଧ୍ୟ ସେନାରେ ଅଧିକାରୀ ଥିବାରୁ ଛୋଟବେଳୁ ସେ ସେନା ପରିବେଶରେ ବଢ଼ିଥିଲେ। ପରେ ଦେଶସେବାର ଲକ୍ଷ୍ୟ ନେଇ ସେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ୨୦୦୮ରୁ ୨୦୧୭ ପର୍ଯ୍ୟନ୍ତ ସେନାରେ ସେବା ଦେଇଥିବା କୁହାଯାଏ।

୨୦୧୬ରେ ପ୍ରଥମଥର ବୃନ୍ଦାବନ ଆସିଥିବା ବେଳେ ତାଙ୍କ ପୋଷ୍ଟିଂ କାର୍ଗିଲରେ ଥିଲା ବୋଲି ନବଲ ନାଗରୀ ବାବା ଏକଥର କହିଥିଲେ। ପ୍ରେମାନନ୍ଦ ମହାରାଜଙ୍କ ସହ ସାକ୍ଷାତ ହେବା ପରେ ସେ ତାଙ୍କ ପ୍ରବଚନ ନିୟମିତ ଶୁଣିବାକୁ ଲାଗିଥିଲେ। ଧୀରେ ଧୀରେ ତାଙ୍କ ଆଧ୍ୟାତ୍ମିକ ଜୀବନ ପ୍ରତି ଆକର୍ଷଣ ବଢ଼ିଥିଲା।

ଶେଷରେ ୨୦୧୭ରେ ସେ ସେନା ଚାକିରି ଛାଡ଼ି ଆଧ୍ୟାତ୍ମିକ ଜୀବନକୁ ଆପଣାଇଥିଲେ। ବର୍ତ୍ତମାନ ସେ ପ୍ରେମାନନ୍ଦ ମହାରାଜଙ୍କ ଅତି ନିକଟତମ ଶିଷ୍ୟମାନଙ୍କ ମଧ୍ୟରେ ଗଣାଯାଆନ୍ତି। ମହାରାଜଙ୍କ ଅନେକ ଭିଡିଓରେ ମଧ୍ୟ ତାଙ୍କୁ ସାଙ୍ଗରେ ଦେଖିବାକୁ ମିଳେ। ତେବେ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟମାନଙ୍କ ମଧ୍ୟରେ କେବଳ ନବଲ ନାଗରୀ ବାବା ନୁହେଁ, ଇଞ୍ଜିନିୟର, ପ୍ରଫେସର, ଡାକ୍ତର ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଭଳି ବିଭିନ୍ନ ପେସାର ଲୋକ ମଧ୍ୟ ରହିଛନ୍ତି।

Leave a Reply

Your email address will not be published. Required fields are marked *