ଉଚ୍ଚ ଜୁଆରରେ ଫସିଲା ଯାତ୍ରୀବାହୀ ଫେରି : ୧୦୬ ଯାତ୍ରୀ ଉଦ୍ଧାର

ଇଣ୍ଡୋନେସିଆର ପର୍ଯ୍ୟଟନ ଦ୍ୱୀପ ବାଲିରେ ବୁଧବାର ଉଚ୍ଚ ଜୁଆରରେ ଫସି ରହିଥିବା ଏକ ଯାତ୍ରୀବାହୀ ଫେରିରେ ନିଆଁ ଲାଗିଯାଇଛି। ଉଦ୍ଧାରକାରୀ ଦଳଙ୍କ ପକ୍ଷରୁ ଫେରିରେଥିବା ୧୩୧ ଜଣଙ୍କ ମଧ୍ୟରୁ ୧୦୬ ଜଣଙ୍କୁ ଉଦ୍ଧାର କରାଯାଇଛି

ଇଣ୍ଡୋନେସିଆର ପର୍ଯ୍ୟଟନ ଦ୍ୱୀପ ବାଲିରେ ବୁଧବାର ଉଚ୍ଚ ଜୁଆରରେ ଫସି ରହିଥିବା ଏକ ଯାତ୍ରୀବାହୀ ଫେରିରେ ନିଆଁ ଲାଗିଯାଇଛି। ଉଦ୍ଧାରକାରୀ ଦଳଙ୍କ ପକ୍ଷରୁ ଫେରିରେଥିବା ୧୩୧ ଜଣଙ୍କ ମଧ୍ୟରୁ ୧୦୬ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରହିଛି। ଅଧିକାରୀମାନେ କହିଛନ୍ତି,ଜଳୁଥିବା ଫେରିରେ ଥିବା ଅବଶିଷ୍ଟ ୨୫ ଜଣଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରହିଛି। ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଯୋଗାଇବା ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି ମତାରାମର ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟାଳୟର ମୁଖ୍ୟ ମହମ୍ମଦ ହାରିଆଦି କହିଛନ୍ତି। ସେ କହିଛନ୍ତି, ସମୁଦ୍ର ଅଶାନ୍ତ ରହିଛି। ୪ ମିଟର (୧୩ ଫୁଟ) ଉଚ୍ଚ ଜୁଆର ଉଦ୍ଧାର କାର୍ଯ୍ୟକୁ କଷ୍ଟକର କରୁଛି।

ପ୍ରାଦେଶିକ ରାଜଧାନୀ ମତାରାମରେ ଥିବା ସନ୍ଧାନ କାର୍ଯ୍ୟାଳୟ ଅନୁଯାୟୀ, ଭୋର୍ ପ୍ରାୟ ୪:୧୫ ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ‘ପୁତ୍ରୀ ୟାସମିନ୍’ ନାମକ ଫେରି ବାଲିର ପାଡାଙ୍ଗ୍ ବାଇ ବନ୍ଦରରୁ ପଶ୍ଚିମ ନୁସା ତେଙ୍ଗାରା ପ୍ରଦେଶର ପଡ଼ୋଶୀ ଦ୍ୱୀପ ଲୋମ୍ବୋକ୍‌ରେ ଥିବା ଲେମ୍ବାର୍ ବନ୍ଦରକୁ ଯାତ୍ରା କରୁଥିଲା। ଏଜେନ୍ସି ପ୍ରାୟ ଭୋର୍ ୫ଟାରେ ଜରୁରୀକାଳୀନ ବାର୍ତ୍ତା ପାଇବା ପରେ କର୍ମଚାରୀ ଏବଂ ଉଦ୍ଧାର ଜାହାଜଗୁଡ଼ିକୁ ନିୟୋଜିତ କରିଥିଲା।

ହାରିଆଦି କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟରେ ଇଣ୍ଡୋନେସିଆନ ନୌସେନା ଜାହାଜ, ପାଟ୍ରୋଲିଂ ଡଙ୍ଗା, ଉଦ୍ଧାର ଡଙ୍ଗା ଏବଂ ଆକାଶ ମାର୍ଗରେ ସର୍ବେକ୍ଷଣ ପାଇଁ ଏକ ହେଲିକପ୍ଟରକୁ ସାମିଲ କରାଯାଇଛି । ପାଦାଙ୍ଗ ବାଇ ବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ପ୍ରାପ୍ତ ଯାତ୍ରୀ ତାଲିକା ଆଧାରରେ, ସେ କହିଛନ୍ତି, ଫେରିରେ ୧୧୪ ଜଣ ଯାତ୍ରୀ ଏବଂ ୧୭ ଜଣ କ୍ରୁ ସଦସ୍ୟ ଥିଲେ। ଏହା ସହିତ ୪୪ କାର ଏବଂ ୫୩ ମୋଟରସାଇକେଲ ମଧ୍ୟ ଥିଲା।
୧୭,୫୦୮ ଦ୍ୱୀପପୁଞ୍ଜକୁ ନେଇ ଗଠିତ ଇଣ୍ଡୋନେସିଆରେ ଯାତାୟାତ ପାଇଁ ଡଙ୍ଗା ଏକ ସାଧାରଣ ମାଧ୍ୟମ। ତେବେ ସୁରକ୍ଷା ନିୟମ ପାଳନ ନକରିବା ଯୋଗୁଁ ଏଭଳି ଦୁର୍ଘଟଣାଗୁଡ଼ିକ ପ୍ରାୟତଃ ଘଟୁଛି।

Leave a Reply

Your email address will not be published. Required fields are marked *