କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଆନ୍ଦୋଳନର ଏକ ପର୍ଯ୍ୟାୟ ଶେଷ ହୋଇଥିଲେ ମଧ୍ୟ ସଂଗ୍ରାମ ଏବେ ବି ଜାରି ରହିବ । ଏଭଳି ବାର୍ତ୍ତା ଦେଇଛନ୍ତି କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦିପକେ ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଆନ୍ଦୋଳନର ଏକ ପର୍ଯ୍ୟାୟ ଶେଷ ହୋଇଥିଲେ ମଧ୍ୟ ସଂଗ୍ରାମ ଏବେ ବି ଜାରି ରହିବ । ଏଭଳି ବାର୍ତ୍ତା ଦେଇଛନ୍ତି କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦିପକେ । ୩୭ ଦିନ ଧରି ଜନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନ ଶେଷ ହେବା ପରେ ସେ ଏକ ଭିଡିଓ ବାର୍ତ୍ତା ଜାରି କରି ସମସ୍ତ ଛାତ୍ରଛାତ୍ରୀ, ଯୁବପିଢ଼ି, ସ୍ୱେଚ୍ଛାସେବୀ ଓ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ଦୀର୍ଘ ଦିନ ପରେ ସେ ନିଶ୍ଚିନ୍ତରେ ଶୋଇପାରିଛନ୍ତି । କାରଣ, ଆନ୍ଦୋଳନର ପ୍ରତିଟି ଦିନ ସେମାନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା ।
ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ଚୂଡ଼ାନ୍ତ ବିଜୟ ବୋଲି ଦେଖିବାକୁ ସେ ମନା କରିଛନ୍ତି । ଏହା କେବଳ ଆରମ୍ଭ, ଆଗକୁ ଆହୁରି ଦୀର୍ଘ ରାସ୍ତା ବାକି ଅଛି ବୋଲି ଦିପକେ କହିଛନ୍ତି । ସେହିପରି ଏହି ସଫଳତାକୁ କୌଣସି ଜଣେ ବ୍ୟକ୍ତିଙ୍କ ବିଜୟ ନୁହେଁ, ବରଂ ଦେଶର ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ସାମୂହିକ ଲଢ଼େଇର ଫଳ ବୋଲି ସେ ବର୍ଣ୍ଣନା କରିଛନ୍ତି । ଆନ୍ଦୋଳନ ସମୟରେ ସମର୍ଥନ କରିଥିବା ଲୋକଙ୍କ ସହ ସମାଲୋଚନା କରିଥିବା ଲୋକଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି । ସମାଲୋଚନା ତାଙ୍କୁ ଆହୁରି ଶିଖିବା ଓ ନିଜକୁ ସୁଧାରିବାର ସୁଯୋଗ ଦେଇଥିବା ସେ କହିଛନ୍ତି । ଦିପକେଙ୍କ କହିବା ଅନୁସାରେ, ଏହି ଆନ୍ଦୋଳନ କେବଳ ଗୋଟିଏ ପଦତ୍ୟାଗ ପାଇଁ ନୁହେଁ, ବରଂ ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା, ଜବାବଦେହିତା ଓ ସଂସ୍କାର ଆଣିବା ପାଇଁ ଆରମ୍ଭ ହୋଇଥିବା ଏକ ଦୀର୍ଘ ସଂଗ୍ରାମ । ତେଣୁ ଏହି ଲଢ଼େଇ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

