ପାକିସ୍ତାନକୁ ହରାଇ ଚାମ୍ପିୟନ ହେଲା ଭାରତ, ବିଶ୍ୱକପ୍ ଟିକେଟ୍ କଲା ପକ୍କା

ପାକିସ୍ତାନ ପକ୍ଷରୁ ୧୬ତମ ମିନିଟ୍‌ରେ ମହମ୍ମଦ ଉସମାନ ଗୋଟିଏ ଗୋଲ କରିଥିଲେ ମଧ୍ୟ ତାହା ଦଳ ପାଇଁ ଫଳପ୍ରଦ ହୋଇପାରି ନଥିଲା । ଶେଷରେ ୩-୧ ଗୋଲରେ ବିଜୟ ହାସଲ କରି ଭାରତ ସବ୍-ଜୁନିୟର ପୁରୁଷ ହକି ଚାମ୍ପିଅନ୍ ହୋଇଥିଲା ।

ଭାରତର ସବ୍‌-ଜୁନିଅର୍‌ ପୁରୁଷ ହକି ଟିମ୍‌ ପାକିସ୍ତାନକୁ ହରାଇ ଇତିହାସ ରଚିଛି । ଶନିବାର ଦିନ ମସ୍କଟରେ ଖେଳାଯାଉଥିବା ପୁରୁଷ ଯୁବ ହକି ୫ଏସ୍‌ ଏସୀୟ ଚାମ୍ପିୟନ୍‌ସିପ୍‌ ୨୦୨୬ରେ ଫାଇନାଲରେ ଭାରତ ପାକିସ୍ତାନକୁ ୩-୧ରେ ମାତ୍‌ ଦେଇ ସ୍ବର୍ଣ୍ଣ ପଦକ ନିଜ ନାମରେ କରିଛି । ଭାରତୀୟ ଟିମ୍‌ର ବିଜୟ ନାୟକ ଥିଲେ ରୋମିତ ପାଲ, ଅଧିନାୟକ କେତନ କୁଶୱାହା ଏବଂ ଶାହରୁଖ ଅଲି, ଯେଉଁମାନେ ଗୋଟିଏ ଗୋଟିଏ ଗୋଲ୍‌ କରି ପାକିସ୍ତାନର ଖେଳାଳିଙ୍କ ଆଶାକୁ ଧୂଳିସାତ କରି ଦେଇଥିଲେ ।

ଆସନ୍ତା ବର୍ଷ ହେବାକୁ ଥିବା ପ୍ରଥମ ଏଫ୍‌ଆଇଏଚ (FIH) ଯୁବ ହକି ୫ଏସ୍‌ ବିଶ୍ବ କପ୍‌ ପାଇଁ ଯୋଗ୍ୟତା ଅର୍ଜନ୍ କରିଛି । ଫାଇନାଲର ପ୍ରାରମ୍ଭରେ ଟିମ୍‌ ଇଣ୍ଡିଆ ପାକିସ୍ତାନ୍‌ ଉପରେ ଚାପ ପକାଇ ଥିଲା । ଫାଷ୍ଟ୍‌ ଡିଫେନ୍ସ ମାଧ୍ୟମରେ ଭାରତ ପୂରା ବାଜି ନିଜ ସପକ୍ଷରେ କରି ନେଇଥିଲା । 

ମ୍ୟାଚ୍ ଆରମ୍ଭରୁ ହିଁ ଭାରତୀୟ ଖେଳାଳିମାନେ ଆକ୍ରମଣାତ୍ମକ ମ୍ୟାଚ୍‌ ଖେଳିଥିଲେ । ମ୍ୟାଚ୍‌ର ୫ ମିନିଟ୍‌ରେ ରୋମିତ ପାଲଙ୍କ ଚମତ୍କାର ଗୋଲ ବଳରେ ଭାରତ ୧-୦ରେ ଆଗୁଆ ରହିଥିଲା । ପ୍ରଥମ ପର୍ଯ୍ୟାୟରେ ପାକିସ୍ତାନ ଭାରତୀୟ ଟିମ୍‌ର ରଣନୀତିକୁ ବୁଝିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ ଭାରତ ପତିଆରା ଜମାଇ ନେଇଥିଲା । ଦଳର ଅଧିନାୟକ କେତନ କୁଶୱାହା ୧୨ତମ ମିନିଟ୍‌ରେ ଦ୍ୱିତୀୟ ଗୋଲ ସ୍କୋର କରି ବିଜୟ ଆଡ଼କୁ ବାଟ କାଡି ନେଇଥିଲେ । ଏହାର ଏକ ମିନିଟ୍ ପରେ ଶାହରୁଖ ଅଲି ତୃତୀୟ ଗୋଲ ଦେଇ ପାକିସ୍ତାନର ପ୍ରତ୍ୟାବର୍ତ୍ତନର ସମସ୍ତ ଆଶାକୁ ଧୂଳିସାତ୍ କରିଦେଇଥିଲେ ।

ପାକିସ୍ତାନ ପକ୍ଷରୁ ୧୬ତମ ମିନିଟ୍‌ରେ ମହମ୍ମଦ ଉସମାନ ଗୋଟିଏ ଗୋଲ କରିଥିଲେ ମଧ୍ୟ ତାହା ଦଳ ପାଇଁ ଫଳପ୍ରଦ ହୋଇପାରି ନଥିଲା । ଶେଷରେ ୩-୧ ଗୋଲରେ ବିଜୟ ହାସଲ କରି ଭାରତ ସବ୍-ଜୁନିୟର ପୁରୁଷ ହକି ଚାମ୍ପିଅନ୍ ହୋଇଥିଲା ।

ଅନ୍ୟପଟେ ଭାରତୀୟ ମହିଳା ସବ୍-ଜୁନିୟର ଦଳ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲରେ ଚୀନ୍ ବିପକ୍ଷରେ ରୋମାଞ୍ଚକର ଲଢ଼େଇ ପରେ ପରାଜିତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।  ଦଳଗୁଡ଼ିକର ଏହି ସଫଳତା ପରେ ହକି ଇଣ୍ଡିଆ ପକ୍ଷରୁ ନଗଦ ପୁରସ୍କାର ଘୋଷଣା କରାଯାଇଛି । ବିଜେତା ପୁରୁଷ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୨ ଲକ୍ଷ ଟଙ୍କା ଏବଂ ସପୋର୍ଟ ଷ୍ଟାଫ୍‌ର ପ୍ରତ୍ୟେକ ସଦସ୍ୟଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହିପରି ମହିଳା ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧ ଲକ୍ଷ ଟଙ୍କା ଏବଂ ସପୋର୍ଟ ଷ୍ଟାଫ୍‌ର ପ୍ରତ୍ୟେକ ସଦସ୍ୟଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ।

ଏଥିପାଇଁ ହକି ଇଣ୍ଡିଆର ଅଧ୍ୟକ୍ଷ ଦିଲୀପ ତିର୍କୀ ଉଭୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ଯୁବ ଖେଳାଳିମାନେ ଦେଶର ଗୌରବ ବଢ଼ାଇ ଥିବା ଅଧ୍ୟକ୍ଷ କହିଛନ୍ତି । ଭବିଷ୍ୟତରେ ଏହି ଖେଳାଳିମାନେ ସିନିୟର ସ୍ତରରେ ମଧ୍ୟ ଭାରତ ପାଇଁ ବଡ଼ ସଫଳତା ଆଣିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସେହିପରି ହକି ଇଣ୍ଡିଆର ମହାସଚିବ ଭୋଳାନାଥ ସିଂହ କହିଛନ୍ତି, ସମଗ୍ର ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ଶୃଙ୍ଖଳା, ଦକ୍ଷତା ଏବଂ ଲଢ଼ୁଆ ମନୋବୃତ୍ତି ଯୋଗୁଁ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି ।

Leave a Reply

Your email address will not be published. Required fields are marked *