ମଲିଙ୍ଗାଙ୍କ ସହ ମୁମ୍ବାଇ ଇଣ୍ଡିଆନ୍ସର ସମ୍ପର୍କ ଦୀର୍ଘ ବର୍ଷର। ଖେଳାଳି ଭାବେ ସେ ମୁମ୍ବାଇ ପାଇଁ ଅନେକ ସ୍ମରଣୀୟ ପ୍ରଦର୍ଶନ କରିଥିଲେ। ତାଙ୍କ ନେତୃତ୍ୱରେ ଦଳର ବୋଲିଂ ବିଭାଗ ଅନେକ ସଫଳତା ହାସଲ କରିଥିଲା।
ଆଇପିଏଲ୍ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବଡ଼ ନିଷ୍ପତ୍ତି। ଦଳର କୋଚିଂ ଷ୍ଟାଫ୍ରେ ବଡ଼ ପରିବର୍ତ୍ତନ କରିଛି ପାଞ୍ଚ ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ। ଶ୍ରୀଲଙ୍କାର ପୂର୍ବତନ ଦ୍ରୁତ ବୋଲର ଲସିଥ ମଲିଙ୍ଗାଙ୍କ ସମେତ ତିନି ଜଣ ଦିଗ୍ଗଜ କୋଚ୍ଙ୍କୁ ଦଳରୁ ବାଦ୍ ଦିଆଯାଇଛି। ଆଗାମୀ ସିଜିନ୍ ପାଇଁ ଦଳର ରଣନୀତିରେ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି ମୁମ୍ବାଇର ଏହି ପଦକ୍ଷେପ। ଆଇପିଏଲ୍ ୨୦୨୭ ପାଇଁ ନିଲାମ ଡିସେମ୍ବର ୧୬ ତାରିଖରେ ଗୋଆରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ନଭେମ୍ବର ୧୫ ସୁଦ୍ଧା ସମସ୍ତ ୧୦ଟି ଫ୍ରାଞ୍ଚାଇଜ୍କୁ ନିଜ ନିଜର ରିଟେନ୍ ଓ ରିଲିଜ୍ ଖେଳାଳିଙ୍କ ତାଲିକା ଘୋଷଣା କରିବାକୁ ପଡ଼ିବ। ତେବେ ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କୋଚିଂ ଟିମ୍ରେ ବଡ଼ ପରିବର୍ତ୍ତନ କରି କ୍ରିକେଟ୍ ଜଗତକୁ ଚକିତ କରିଛି।
ଅକ୍ଟୋବର ୨୯, ଗୁରୁବାର ଦିନ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏହି ଘୋଷଣା କରାଯାଇଛି। ଦଳର ବୋଲିଂ କୋଚ୍ ଲସିଥ ମଲିଙ୍ଗା, ପାରସ ମାମ୍ବ୍ରେ ଏବଂ ଫିଲ୍ଡିଂ କୋଚ୍ କାର୍ଲ ହପକିନ୍ସନ୍ ଆଉ ପୁରୁଷ ଦଳର କୋଚିଂ ଷ୍ଟାଫ୍ରେ ରହିବେ ନାହିଁ। ଏହି ତିନି ଜଣଙ୍କ ଅବଦାନ ଓ ସେବା ପାଇଁ ଫ୍ରାଞ୍ଚାଇଜ୍ ପକ୍ଷରୁ ଧନ୍ୟବାଦ ଜଣାଯାଇଛି। ମଲିଙ୍ଗାଙ୍କ ସହ ମୁମ୍ବାଇ ଇଣ୍ଡିଆନ୍ସର ସମ୍ପର୍କ ଦୀର୍ଘ ବର୍ଷର। ଖେଳାଳି ଭାବେ ସେ ମୁମ୍ବାଇ ପାଇଁ ଅନେକ ସ୍ମରଣୀୟ ପ୍ରଦର୍ଶନ କରିଥିଲେ। ତାଙ୍କ ନେତୃତ୍ୱରେ ଦଳର ବୋଲିଂ ବିଭାଗ ଅନେକ ସଫଳତା ହାସଲ କରିଥିଲା। ମୁମ୍ବାଇ ପକ୍ଷରୁ ଚାରିଟି ଆଇପିଏଲ୍ ଟାଇଟଲ୍ ଏବଂ ୨୦୧୧ ଚାମ୍ପିୟନ୍ସ ଲିଗ୍ ଟି-୨୦ ବିଜୟ ଯାତ୍ରାରେ ମଲିଙ୍ଗାଙ୍କ ଅବଦାନ ଉଲ୍ଲେଖନୀୟ ଥିଲା। ଅବସର ପରେ ସେ ମେଣ୍ଟର ଓ କୋଚ୍ ଭାବେ ଦଳ ସହ ଯୋଡ଼ି ହୋଇଥିଲେ।
ସେହିପରି ପାରସ ମାମ୍ବ୍ରେ ଅକ୍ଟୋବର ୨୦୨୪ରେ ମୁମ୍ବାଇ ଦଳରେ ସାମିଲ ହୋଇଥିଲେ। ଇଂଲଣ୍ଡ ଓ ଆୟର୍ଲାଣ୍ଡର ପୂର୍ବତନ ଫିଲ୍ଡିଂ କୋଚ୍ କାର୍ଲ ହପକିନ୍ସନ୍ ୨୦୨୫ ଆଇପିଏଲ୍ ପୂର୍ବରୁ ଦଳରେ ଯୋଗ ଦେଇଥିଲେ। ଏବେ ନୂଆ କୋଚିଂ ବ୍ୟବସ୍ଥା ସହ ଆଗାମୀ ସିଜିନ୍ରେ ମୁମ୍ବାଇ କିପରି ପ୍ରଦର୍ଶନ କରିବ, ତାହା ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିବ।

