ବର୍ତ୍ତମାନ ବିନୀତଙ୍କ ପ୍ରକୃତ ସ୍ଥିତି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ଦୂତାବାସର ଉତ୍ତରକୁ ଅପେକ୍ଷା କରାଯାଇଥିବାବେଳେ ପରବର୍ତ୍ତୀ ଆଇନଗତ ଓ କୂଟନୈତିକ ପଦକ୍ଷେପ ନିଆଯିବ।
ବିଦେଶରେ ଚାକିରି କରିବାର ସ୍ୱପ୍ନ ଦେଖି ରୁଷ ଯାଇଥିବା ଛତିଶଗଡ଼ର ଜଣେ ଯୁବକ ଏବେ ଗୁରୁତର ସମସ୍ୟାରେ ପଡ଼ିଥିବା ଅଭିଯୋଗ ହୋଇଛି। ତାଙ୍କୁ ରୁଷରେ ଅଟକ ରଖି ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯିବା ସହ ୟୁକ୍ରେନ ବିରୋଧୀ ଯୁଦ୍ଧରେ ସାମିଲ ହେବାକୁ ବାଧ୍ୟ କରାଯାଉଥିବା ତାଙ୍କ ପରିବାର ଅଭିଯୋଗ କରିଛି। ନିଖୋଜ ଯୁବକଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ତାଙ୍କ ୧୭ ବର୍ଷୀୟା ଭଉଣୀ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।
ସୂଚନା ଅନୁଯାୟୀ, ଛତିଶଗଡ଼ର ବିଲାସପୁର ଜିଲ୍ଲା ଅନ୍ତର୍ଗତ ବିଲହା ଅଞ୍ଚଳର ୨୧ ବର୍ଷୀୟ ବିନୀତ କୁମାର ଦୁବେ ଗତ ଅକ୍ଟୋବର ୧ ତାରିଖରେ ରୁଷ ଯାଇଥିଲେ। ଏକ ଟେଲିଗ୍ରାମ୍ ଗ୍ରୁପ୍ ମାଧ୍ୟମରେ ତାଙ୍କୁ ମାସିକ ପ୍ରାୟ ୧,୨୦୦ ଡଲାର ଦରମାରେ ଖାଦ୍ୟ ସଂରକ୍ଷଣ କେନ୍ଦ୍ରରେ ଚାକିରି ଦେବାକୁ ପ୍ରଲୋଭନ ଦେଖାଯାଇଥିଲା। ହେଲେ ରୁଷରେ ପହଞ୍ଚିବା ପରେ ତାଙ୍କୁ ପ୍ରତିଶ୍ରୁତି ଅନୁଯାୟୀ କାମ ନଦେଇ ଡେଲିଭରି କାମ କରିବାକୁ କୁହାଯାଇଥିବା ଅଭିଯୋଗ ହୋଇଛି।
ଅକ୍ଟୋବର ୭ ତାରିଖ ପରଠାରୁ ବିନୀତଙ୍କ ସହ ପରିବାରର ଆଉ କୌଣସି ଯୋଗାଯୋଗ ହୋଇପାରିନଥିଲା। ଏହାକୁ ନେଇ ପରିବାର ଚିନ୍ତିତ ଥିବାବେଳେ ଅକ୍ଟୋବର ୧୦ ତାରିଖ ରାତିରେ ଏକ ରୁଷୀୟ ଫୋନ୍ ନମ୍ବରରୁ କଲ୍ ଆସିଥିଲା। ସେହି କଲ୍ରେ ବିନୀତଙ୍କୁ ଏକ ନିଶାଦ୍ରବ୍ୟ ମାମଲାରେ ଫସାଯାଇଥିବା ଏବଂ ଯୁଦ୍ଧରେ ଯୋଗଦେବା ପାଇଁ ତାଙ୍କ ଉପରେ ଚାପ ପକାଯାଉଥିବା ସୂଚନା ମିଳିଥିବା ପରିବାର ପକ୍ଷରୁ କୁହାଯାଇଛି।
ଘଟଣାକୁ ନେଇ ବିଲାସପୁର ଏସଏସପି ରଜନୀଶ ସିଂହ ଓ ଜିଲ୍ଲାପାଳ ସଞ୍ଜୟ ଅଗ୍ରୱାଲଙ୍କ ନିକଟରେ ମାମଲା ପହଞ୍ଚିଛି। ବିନୀତଙ୍କୁ ଖୋଜିବା ଓ ତାଙ୍କୁ ଫେରାଇ ଆଣିବା ପାଇଁ ମସ୍କୋସ୍ଥିତ ଭାରତୀୟ ଦୂତାବାସ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଯୋଗାଯୋଗ କରାଯାଇଛି। ଦୂତାବାସ ପକ୍ଷରୁ ତାଙ୍କ ସନ୍ଧାନ ପାଇଁ ଆଶ୍ୱାସନା ମିଳିଥିବା ଜଣାପଡ଼ିଛି।
ବର୍ତ୍ତମାନ ବିନୀତଙ୍କ ପ୍ରକୃତ ସ୍ଥିତି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ଦୂତାବାସର ଉତ୍ତରକୁ ଅପେକ୍ଷା କରାଯାଇଥିବାବେଳେ ପରବର୍ତ୍ତୀ ଆଇନଗତ ଓ କୂଟନୈତିକ ପଦକ୍ଷେପ ନିଆଯିବ। ଏପଟେ ନିଜ ଭାଇଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ଥିବା ଭଉଣୀ ତାଙ୍କୁ ଯଥାଶୀଘ୍ର ଭାରତ ଫେରାଇ ଆଣିବାକୁ ନିବେଦନ କରିଛନ୍ତି।

