ପ୍ରାଥମିକ ତଦନ୍ତରୁ ଏହି ଧମକପୂର୍ଣ୍ଣ ଇ-ମେଲ୍ ନରୱେରୁ ଆସିଥିବା ଜଣାପଡ଼ିଛି। ଇ-ମେଲ୍ ପଠାଇବା ପାଇଁ VPN ବ୍ୟବହାର କରାଯାଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। ଏହି ଘଟଣାରେ ମୁମ୍ବାଇ ପୋଲିସ ଏନ୍ସି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଅଭିନେତା ଅମିତାଭ ବଚ୍ଚନଙ୍କ ଘର ଓ ପଞ୍ଜାବୀ ଗାୟକ ଦିଲଜିତ୍ ଦୋସାଞ୍ଝଙ୍କ କାର୍ଯ୍ୟକ୍ରମ ସ୍ଥଳକୁ ବୋମାରେ ଉଡ଼ାଇବା ଧମକ ମିଳିବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ପ୍ରାଥମିକ ତଦନ୍ତରୁ ଏହି ଧମକପୂର୍ଣ୍ଣ ଇ-ମେଲ୍ ନରୱେରୁ ଆସିଥିବା ଜଣାପଡ଼ିଛି। ଇ-ମେଲ୍ ପଠାଇବା ପାଇଁ VPN ବ୍ୟବହାର କରାଯାଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। ଏହି ଘଟଣାରେ ମୁମ୍ବାଇ ପୋଲିସ ଏନ୍ସି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୁମ୍ବାଇ ପୁଲିସ ଓ ସାଇବର କ୍ରାଇମ୍ ଟିମ୍ ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି। ଧମକ ପଛରେ କିଏ ରହିଛି ଏବଂ ଏହାର ଉଦ୍ଦେଶ୍ୟ କ’ଣ, ତାହା ଜାଣିବାକୁ ଚେଷ୍ଟା ଚାଲିଛି ।
ସୂଚନା ଅନୁସାରେ, ଗତକାଲି ମୁମ୍ବାଇ ଓ ନଭି ମୁମ୍ବାଇର ବିଭିନ୍ନ ସ୍ଥାନକୁ ଧମକପୂର୍ଣ୍ଣ ଇ-ମେଲ୍ ମିଳିଥିଲା । ନଭି ମୁମ୍ବାଇର ଐରୋଲିସ୍ଥିତ ଭାଇବଗ୍ୟୋର ହାଇସ୍କୁଲ୍କୁ ଇ-ମେଲ୍ ପଠାଇ ବୋମା ବିସ୍ଫୋରଣର ଧମକ ଦିଆଯାଇଥିଲା । ଏହି ଇ-ମେଲ୍ରେ ଦିଲଜିତ୍ ଦୋସାଞ୍ଝଙ୍କୁ ମଧ୍ୟ ଟାର୍ଗେଟ୍ କରିବାକୁ ଧମକ ଦିଆଯାଇଥିଲା । ନଭେମ୍ବର ୨୭ ତାରିଖରେ ମୁମ୍ବାଇର ମହାଲକ୍ଷ୍ମୀ ରେସକୋର୍ସରେ ଦିଲଜିତ୍ଙ୍କ କାର୍ଯ୍ୟକ୍ରମ ହେବାକୁ ଯୋଜନା ରହିଛି । ଏହା ସହିତ ମୁମ୍ବାଇର ମେୟର ଋତୁ ତାୱଡେଙ୍କ କାର୍ଯ୍ୟାଳୟକୁ ମଧ୍ୟ ବୋମାରେ ଉଡ଼ାଇବା ଧମକ ମିଳିଥିବା ଜଣାପଡ଼ିଛି । ମେୟରଙ୍କୁ ଧମକ ମିଳିବାର ଏହା ତୃତୀୟ ଘଟଣା ବୋଲି କୁହାଯାଉଛି ।
ଅନ୍ୟପକ୍ଷରେ, ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନଙ୍କ ଜୁହୁସ୍ଥିତ ବଙ୍ଗଳା ‘ଜଲସା’ ଉପରେ ମଧ୍ୟ ଆକ୍ରମଣ ଧମକ ଦିଆଯାଇଥିଲା । ଇ-ମେଲ୍ରେ ଗ୍ରେନେଡ୍ ଆକ୍ରମଣ କରିବା ସମ୍ପର୍କରେ ଉଲ୍ଲେଖ ଥିବା ବେଳେ ଅକ୍ଟୋବର ୨୭ରୁ ୩୦ ମଧ୍ୟରେ ଟାର୍ଗେଟ୍ କରିବାକୁ ଧମକ ଦିଆଯାଇଥିଲା ।
ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ମୁମ୍ବାଇ ପୁଲିସ ସତର୍କ ହୋଇଉଠିଛି । ସମ୍ପୃକ୍ତ ସ୍ଥାନଗୁଡ଼ିକରେ ଜୋରଦାର ଯାଞ୍ଚ କରାଯାଇଥିଲେ ମଧ୍ୟ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ । ତଥାପି ସୁରକ୍ଷା ବ୍ୟବସ୍ଥାରେ କୌଣସି ଅବହେଳା କରାଯାଉନାହିଁ । ଏହି ଧମକ ପ୍ରକୃତରେ କୌଣସି ଆକ୍ରମଣ ଯୋଜନାର ଅଂଶ ନା ଏହା କାହାର ଦୁଷ୍ଟାମି, ସେନେଇ ଏବେ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିନାହିଁ , ପୁଲିସର ତଦନ୍ତ ଜାରି ରହିଛି ।

