ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ପୁଣି ତେଜିବାକୁ ଯାଉଛି ବିରୋଧୀଙ୍କ ପ୍ରତିବାଦ । ‘ଇଣ୍ଡି’ ମେଣ୍ଟର ନେତା ଓ ସାଂସଦମାନେ ଆଜି ପୁଣି ରାସ୍ତାକୁ ଓହ୍ଲାଇବେ । ଏହି ପ୍ରତିବାଦରେ ଆମ୍ ଆଦମୀ ପାର୍ଟି, କଂଗ୍ରେସ ଏବଂ ବାମପନ୍ଥୀ ଦଳର ନେତାମାନେ ସାମିଲ ହେବେ ।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ପୁଣି ତେଜିବାକୁ ଯାଉଛି ବିରୋଧୀଙ୍କ ପ୍ରତିବାଦ । ‘ଇଣ୍ଡି’ ମେଣ୍ଟର ନେତା ଓ ସାଂସଦମାନେ ଆଜି ପୁଣି ରାସ୍ତାକୁ ଓହ୍ଲାଇବେ । ଏହି ପ୍ରତିବାଦରେ ଆମ୍ ଆଦମୀ ପାର୍ଟି, କଂଗ୍ରେସ ଏବଂ ବାମପନ୍ଥୀ ଦଳର ନେତାମାନେ ସାମିଲ ହେବେ । ସୂଚନା ଅନୁସାରେ, ଇଣ୍ଡିଆ ବ୍ଲକର ସାଂସଦମାନେ ପ୍ରଥମେ ଦିଲ୍ଲୀର ସାଗର ରତ୍ନା ରେଷ୍ଟୁରାଣ୍ଟରେ ଏକାଠି ହେବେ । ସେଠାରେ ଲଞ୍ଚ ପରେ ସମସ୍ତେ ମିଶି ପ୍ରତିବାଦ ପାଇଁ ବାହାରିବେ । ଏହାପରେ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଡ଼କୁ ମାର୍ଚ୍ଚ କରିବେ ବିରୋଧୀ ଦଳର ନେତାମାନେ ।
ବୁଧବାର ଦିନ ଦିନ ୧ଟାରେ ଏହି ବିରୋଧ ମାର୍ଚ୍ଚ ବାହାରିବାକୁ ଥିବା ସୂଚନା ରହିଛି । ମଙ୍ଗଳବାର ମଧ୍ୟ ଇଣ୍ଡିଆ ମେଣ୍ଟର ନେତାମାନେ ଜ୍ଞାନେଶ କୁମାରଙ୍କ ବିରୋଧରେ ଜୋରଦାର ପ୍ରଦର୍ଶନ କରିଥିଲେ । ଏହି ପ୍ରଦର୍ଶନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସମେତ ଅନେକ ବିରୋଧୀ ନେତା ସାମିଲ ହୋଇଥିଲେ। ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଧାରଣାରେ ବସିଥିବା ବେଳେ ପରେ ପୋଲିସ ସେମାନଙ୍କୁ ହେପାଜତକୁ ନେଇଥିଲା ।
ଆଜିର ପ୍ରତିବାଦକୁ ନେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ଜନ୍ତର ମନ୍ତରରୁ ସଂସଦ ମାର୍ଗ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ସମ୍ଭାବ୍ୟ ଭିଡ଼ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ପୋଲିସ ପକ୍ଷରୁ ପ୍ରସ୍ତୁତି କରାଯାଇଛି ।
ଅନ୍ୟପଟେ ବୁଧବାର ସକାଳ ୯ଟାରେ ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚୁଆଲ୍ ମାଧ୍ୟମରେ ‘ବିକଶିତ ଭାରତ ସଂକଳ୍ପ ସଭା’କୁ ସମ୍ବୋଧିତ କରିବେ । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସାମୂହିକ ସଂକଳ୍ପ ନେବାକୁ ସେ ଆହ୍ୱାନ କରିବେ । ମୋଦୀଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗୁଜରାଟ ବିଜେପି ପକ୍ଷରୁ ମଧ୍ୟ ସମସ୍ତ ଜିଲ୍ଲାରେ ‘ସେବା ଜ୍ୟୋତି କଳସ ଯାତ୍ରା’ ଆରମ୍ଭ କରାଯିବ । ସେପଟେ ବିହାରରେ ମଧ୍ୟ ଆଜି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଆକ୍ରୋଶ ମାର୍ଚ୍ଚ ବାହାରିବାକୁ ଥିବାରୁ ଦେଶର ରାଜନୈତିକ ପରିବେଶ ଆଜି ମଧ୍ୟ ସରଗରମ ରହିବ ।

