ଆସନ୍ତା ଦୁଇ ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । କିନ୍ତୁ ଏହି ଦ୍ରୁତ ଅଭିବୃଦ୍ଧିକୁ ଦୀର୍ଘସ୍ଥାୟୀ କରିବା ଭାରତ ପାଇଁ ଏକ ବଡ଼ ଆହ୍ୱାନ । ଏନେଇ ଭାରତକୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ।
ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଭାରତୀୟ ଅର୍ଥନୀତି । ଆସନ୍ତା ଦୁଇ ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । କିନ୍ତୁ ଏହି ଦ୍ରୁତ ଅଭିବୃଦ୍ଧିକୁ ଦୀର୍ଘସ୍ଥାୟୀ କରିବା ଭାରତ ପାଇଁ ଏକ ବଡ଼ ଆହ୍ୱାନ । ଏନେଇ ଭାରତକୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) । ସଂସ୍ଥାର ଏସିଆ ଓ ପ୍ରଶାନ୍ତ ବିଭାଗର ନିର୍ଦ୍ଦେଶକ କୃଷ୍ଣା ଶ୍ରୀନିବାସନଙ୍କ କହିବା ଅନୁଯାୟୀ, ଭାରତକୁ ଜମି ଓ ଶ୍ରମ ବଜାରରେ ସଂସ୍କାର, ବିଦେଶୀ ପୁଞ୍ଜିନିବେଶ ବୃଦ୍ଧି ଏବଂ ବ୍ୟବସାୟିକ ପରିବେଶରେ ଉନ୍ନତି ଆଣିବାକୁ ପଡ଼ିବ ।
କେଉଁ ସଂସ୍କାର ହେବ ଗେମ୍ଚେଞ୍ଜର?
‘ବିଜନେସ୍ ଟୁଡେ’କୁ ଦେଇଥିବା ଏକ ସାକ୍ଷାତକାରରେ କୃଷ୍ଣା ଶ୍ରୀନିବାସନ କହିଛନ୍ତି, ଭାରତକୁ କେବଳ ଦ୍ରୁତ ଅଭିବୃଦ୍ଧି ନୁହେଁ, ବରଂ ଏହାକୁ ଦୀର୍ଘସ୍ଥାୟୀ କରିବା ଉପରେ ଗୁରୁତ୍ୱ ଦେବାକୁ ହେବ । ଏଥିପାଇଁ ଅନେକ ମୌଳିକ ସଂସ୍କାର ଆବଶ୍ୟକ । ଜମି ଓ ଶ୍ରମ ବଜାରରେ ସଂସ୍କାର ଆଣିବା ସହ ଭାରତରେ ଅଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (FDI) ଆକର୍ଷିତ କରିବା ଜରୁରୀ । ଏଥିସହ ବ୍ୟବସାୟ କରିବାର ପ୍ରକ୍ରିୟାକୁ ସରଳ କରିବା ଆବଶ୍ୟକ । ଶ୍ରମ ବଜାରରେ କିଛି ସଂସ୍କାର ହୋଇଥିଲେ ମଧ୍ୟ ଆହୁରି ଅନେକ କାମ ବାକି ରହିଛି। ଜମି ଉପଲବ୍ଧତା କ୍ଷେତ୍ରରେ ମଧ୍ୟ ସମାନ ସମସ୍ୟା ରହିଛି। ବିଦେଶୀ କମ୍ପାନିଗୁଡ଼ିକୁ ଆକର୍ଷିତ କରିବା ପାଇଁ ଆବଶ୍ୟକ ଜମି ଯୋଗାଇବାରେ ଭାରତ ବିଫଳ ହେଲେ ଏହା ଏକ ବଡ଼ ଆହ୍ୱାନ ହୋଇପାରେ ବୋଲି ସେ କହିଛନ୍ତି ।
ବାଣିଜ୍ୟ କ୍ଷେତ୍ରରେ ବାଧା ଦୂର କରିବା ଜରୁରୀ
ଭାରତରେ ଏବେ ବି ଅନେକ ଶୁଳ୍କଜନିତ ଓ ଅଣଶୁଳ୍କ ବାଣିଜ୍ୟିକ ପ୍ରତିବନ୍ଧକ ରହିଛି । ଏହାକୁ ଦୂର କରିବା ସହ ବାଣିଜ୍ୟକୁ ଅଧିକ ଉଦାର କରିବା ଆବଶ୍ୟକ ବୋଲି IMF ନିର୍ଦ୍ଦେଶକ ମତ ଦେଇଛନ୍ତି । ବିଦେଶୀ ନିବେଶକଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେଲେ ଦେଶରେ ନୂଆ ଶିଳ୍ପ ପ୍ରତିଷ୍ଠା ହେବା ସହ ନିଯୁକ୍ତି ସୁଯୋଗ ବଢ଼ିପାରିବ । ଏହା ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଆହୁରି ମଜବୁତ କରିବ ।
୨୦୨୭ରେ ଜାପାନକୁ ପଛରେ ପକାଇବ ଭାରତ!
IMFର ‘ୱାର୍ଲ୍ଡ ଇକୋନୋମିକ୍ ଆଉଟଲୁକ୍’ ରିପୋର୍ଟରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଭାରତର GDP ଅଭିବୃଦ୍ଧି ଆକଳନକୁ ୬.୪ ପ୍ରତିଶତରୁ ବଢ଼ାଇ ୭ ପ୍ରତିଶତ କରାଯାଇଛି । ୨୦୨୭ ସୁଦ୍ଧା ଭାରତ ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇପାରେ ବୋଲି ଆକଳନ କରାଯାଇଛି । ତେବେ କୃଷ୍ଣା ଶ୍ରୀନିବାସନ କହିଛନ୍ତି, କେବଳ GDP ବୃଦ୍ଧି ଉପରେ ଗୁରୁତ୍ୱ ଦେଲେ ହେବ ନାହିଁ। ଲୋକଙ୍କ ପାଇଁ ଉପଯୁକ୍ତ ନିଯୁକ୍ତି ସୃଷ୍ଟି କରିବା, ଶିକ୍ଷାର ମାନ ବୃଦ୍ଧି କରିବା ଏବଂ ଦକ୍ଷତା ବିକାଶ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଡିଜିଟାଲ୍ ଓ ଭୌତିକ ଭିତ୍ତିଭୂମି କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ପ୍ରଗତି କରିଛି । କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ସବୁ କ୍ଷେତ୍ରରେ ଦ୍ରୁତ ଗତିରେ କାମ କରିବାକୁ ପଡ଼ିବ ।
ଭାରତର ଅଭିବୃଦ୍ଧି ପାଇଁ ରହିଛି ବଡ଼ ବିପଦ
୭ ପ୍ରତିଶତ ଅଭିବୃଦ୍ଧି ଆକଳନ ମଧ୍ୟରେ ଭାରତୀୟ ଅର୍ଥନୀତି ପାଇଁ କିଛି ବିପଦ ରହିଥିବା ନେଇ IMF ସତର୍କ କରିଛି। ପଶ୍ଚିମ ଏସିଆର ସଂଘର୍ଷ ଯୋଗୁଁ ଶକ୍ତି ସଙ୍କଟ ଦୀର୍ଘସ୍ଥାୟୀ ହେଲେ ଅର୍ଥନୀତି ପ୍ରଭାବିତ ହୋଇପାରେ । ତୈଳ ଓ ଶକ୍ତି ମୂଲ୍ୟ ବୃଦ୍ଧି ଉତ୍ପାଦନ ଖର୍ଚ୍ଚ ବଢ଼ାଇବା ସହ ଦରଦାମ ଉପରେ ଚାପ ପକାଇପାରେ । ଦରଦାମ ବୃଦ୍ଧି ଯୋଗୁଁ କଠୋର ମୁଦ୍ରାନୀତି ଆପଣାଇବାକୁ ପଡ଼ିଲେ ଅଭିବୃଦ୍ଧି ହାର ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ। ସେହିପରି କୃତ୍ରିମ ବୁଦ୍ଧିମତ୍ତା (AI) କ୍ଷେତ୍ରରେ ଚାଲିଥିବା ପ୍ରଯୁକ୍ତିଗତ ଅଭିବୃଦ୍ଧିରେ ପରିବର୍ତ୍ତନ ଆସିଲେ ଏହାର ପ୍ରଭାବ ଅର୍ଥନୀତି ଉପରେ ପଡ଼ିପାରେ । ଏଲ୍ନିନୋ ଯୋଗୁଁ ପାଣିପାଗ ଓ କୃଷି ଉତ୍ପାଦନ ପ୍ରଭାବିତ ହେଲେ ମଧ୍ୟ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଉପରେ ଚାପ ପଡ଼ିପାରେ ।
IMFର ଏସିଆ ଓ ପ୍ରଶାନ୍ତ ଅଞ୍ଚଳ ସମ୍ପର୍କିତ ରିପୋର୍ଟରେ ଶକ୍ତି ସଙ୍କଟ, AI ଆଧାରିତ ପ୍ରଯୁକ୍ତିର ଦ୍ରୁତ ବିକାଶ ଏବଂ ବାଣିଜ୍ୟ ବ୍ୟବସ୍ଥାରେ ପରିବର୍ତ୍ତନକୁ ପ୍ରମୁଖ ପ୍ରଭାବକାରୀ କାରକ ଭାବେ ଚିହ୍ନଟ କରାଯାଇଛି । ସଂସ୍ଥାର ମତରେ, ଏସିଆ ଅଞ୍ଚଳର ଅର୍ଥନୀତି ଏପର୍ଯ୍ୟନ୍ତ ଦୃଢ଼ତା ଦେଖାଇଛି। ତେବେ ସମସ୍ତ ଦେଶ ଓ ଅର୍ଥନୈତିକ କ୍ଷେତ୍ର ଉପରେ ଏହାର ପ୍ରଭାବ ସମାନ ନୁହେଁ । ଶକ୍ତି ସଙ୍କଟ ଓ ମୁଦ୍ରାସ୍ଫୀତି ଜାରି ରହିଲେ ଦେଶଗୁଡ଼ିକ ପାଖରେ ଆର୍ଥିକ ସଙ୍କଟର ମୁକାବିଲା ପାଇଁ କେତେ ଅର୍ଥ ଉପଲବ୍ଧ ରହିବ, ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ । ତେଣୁ, ଭାରତର ୭ ପ୍ରତିଶତ ଅଭିବୃଦ୍ଧି ଆକଳନ ଆଶା ସୃଷ୍ଟି କରୁଥିବା ବେଳେ ଏହାକୁ ଦୀର୍ଘସ୍ଥାୟୀ କରିବା ପାଇଁ ସଂସ୍କାର, ନିଯୁକ୍ତି ସୃଷ୍ଟି ଓ ବିଶ୍ୱସ୍ତରୀୟ ବିପଦର ମୁକାବିଲା ହିଁ ପ୍ରମୁଖ ଚାବିକାଠି ହେବ ।

