SIRକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ ଜଜ୍ ଉଜ୍ଜଲ ଭୂୟାଁ । ଲକ୍ଷ ଲକ୍ଷ ଭାରତୀୟଙ୍କୁ ଭୋଟ୍ ଅଧିକାରରୁ ବଞ୍ଚିତ କରିବା ସମ୍ବିଧାନର ମୂଳ ଭାବନାକୁ ଆଘାତ କରିବ ବୋଲି ସେ କହିଛନ୍ତି ।
ଭୋଟର ତାଲିକାରେ ଚାଲିଥିବା ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍ ବା SIRକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଉଜ୍ଜଲ ଭୂୟାଁ । ତାଙ୍କ କହିବା କଥା ହେଉଛି, ଯଦି କୌଣସି ପ୍ରକ୍ରିୟା ଯୋଗୁଁ ଲକ୍ଷ ଲକ୍ଷ ଭାରତୀୟ ନିଜର ଭୋଟ୍ ଅଧିକାର ହରାନ୍ତି, ତାହା ଗଣତନ୍ତ୍ର ଏବଂ ସମ୍ବିଧାନର ମୂଳ ଭାବନାକୁ ଆଘାତ କରିବ । ହାଇଦ୍ରାବାଦର NALSAR ମୁଟ୍ କୋର୍ଟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଷ୍ଟିସ୍ ଭୂୟାଁ କହିଛନ୍ତି, ଲକ୍ଷ ଲକ୍ଷ ଲୋକଙ୍କୁ ଭୋଟ୍ ଅଧିକାରରୁ ବଞ୍ଚିତ କରୁଥିବା କୌଣସି ପ୍ରକ୍ରିୟାକୁ ‘Whataboutery’ ଦେଖାଇ ଯଥାର୍ଥ ସାବ୍ୟସ୍ତ କରାଯାଇପାରିବ ନାହିଁ ।
ସେ କହିଛନ୍ତି, ବ୍ୟାପକ ଭାବରେ ଲୋକଙ୍କ ଭୋଟ୍ ଅଧିକାର ଛଡ଼ାଇ ନେବା ସମ୍ବିଧାନର ମୂଳ ଆତ୍ମାକୁ ଆଘାତ କରିବ । ଏପରି ପଦକ୍ଷେପ ଦ୍ୱାରା ଦେଶରେ ଭୋଟ୍ ଅଧିକାର ଥିବା ନାଗରିକ ଏବଂ ଭୋଟ୍ ଅଧିକାର ନଥିବା ନାଗରିକ—ଏଭଳି ଦୁଇଟି ଶ୍ରେଣୀ ସୃଷ୍ଟି ହୋଇଯିବ ବୋଲି ସେ ଚେତାଇଛନ୍ତି । ଜଷ୍ଟିସ୍ ଭୂୟାଁ ସମ୍ବିଧାନର ଧାରା ୩୨୬ ଏବଂ ଧାରା ୧୪କୁ ମଧ୍ୟ ଉଲ୍ଲେଖ କରିଛନ୍ତି । ଧାରା ୩୨୬ ଅନୁସାରେ ୧୮ ବର୍ଷରୁ ଅଧିକ ବୟସର ଭାରତୀୟ ନାଗରିକଙ୍କୁ ସାର୍ବଜନୀନ ପ୍ରାପ୍ତବୟସ୍କ ମତାଧିକାର ମିଳିଛି । ଅନ୍ୟପଟେ ଧାରା ୧୪ ସମସ୍ତଙ୍କ ପାଇଁ ଆଇନ ଆଗରେ ସମାନତାର ଅଧିକାର ନିଶ୍ଚିତ କରେ ।
ତାଙ୍କ ମତରେ, କୌଣସି କର୍ତ୍ତୃପକ୍ଷ ଧାରା ୩୨୬ର ମୂଳ ଅଧିକାରକୁ ମନମୁଖୀ ଭାବେ ବଦଳାଇପାରିବେ ନାହିଁ । ଏପରି କାର୍ଯ୍ୟକୁ କୌଣସି କୋର୍ଟ ମଧ୍ୟ ସମର୍ଥନ କରିପାରିବ ନାହିଁ ବୋଲି ସେ କହିଛନ୍ତି । ଜଷ୍ଟିସ୍ ଭୂୟାଁ ଆହୁରି କହିଛନ୍ତି, ଭୋଟ୍ ଦେବାର ଅଧିକାର ହେଉଛି ନାଗରିକଙ୍କ ଗଣତାନ୍ତ୍ରିକ ସ୍ୱର । ଭୋଟର ତାଲିକାରୁ ଜଣେ ନାଗରିକଙ୍କ ନାଁ ହଟାଇବା କିମ୍ବା ତାଙ୍କୁ ଭୋଟ୍ ଅଧିକାରରୁ ବଞ୍ଚିତ କରିବା ଅର୍ଥ ଶରୀରରୁ ଆତ୍ମାକୁ ବାହାର କରିଦେବା ଭଳି ।
ସେହିପରି, ସମ୍ବିଧାନ ପ୍ରଣୟନ ସମୟରେ ଡକ୍ଟର ବି.ଆର. ଆମ୍ବେଦକରଙ୍କ ସାର୍ବଜନୀନ ପ୍ରାପ୍ତବୟସ୍କ ମତାଧିକାର ସପକ୍ଷରେ ଥିବା ମତକୁ ମଧ୍ୟ ଜଷ୍ଟିସ୍ ଭୂୟାଁ ମନେ ପକାଇଛନ୍ତି ।ତେଣୁ SIRକୁ ନେଇ ରାଜନୈତିକ ତର୍କ ମଧ୍ୟରେ ଜଷ୍ଟିସ୍ ଭୂୟାଁଙ୍କ ଏହି ମନ୍ତବ୍ୟ ଏବେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । ଭୋଟର ତାଲିକା ସଂଶୋଧନ ନାଁରେ ଯେପରି ଜଣେ ବି ଯୋଗ୍ୟ ନାଗରିକ ତାଙ୍କ ମତାଧିକାରରୁ ବଞ୍ଚିତ ନହୁଅନ୍ତି ଏହା ହିଁ ଏବେ ବଡ଼ ପ୍ରଶ୍ନ ।

