ଆମେରିକା-ଇସ୍ରାଏଲର ସମ୍ଭାବ୍ୟ ଗ୍ରାଉଣ୍ଡ ଆଟାକ୍ ଆଶଙ୍କା ମଧ୍ୟରେ ଇରାନରେ ସାଧାରଣ ନାଗରିକଙ୍କୁ ସାମରିକ ପ୍ରଶିକ୍ଷଣ ଦିଆଯାଉଛି। ତେହରାନରେ ମହିଳାମାନେ ମଧ୍ୟ ହ୍ୟାଣ୍ଡଗନ୍ ଚଳାଇବା ଶିଖୁଛନ୍ତି। ଏପଟେ ଟ୍ରମ୍ପଙ୍କ ଚେତାବନୀ ଓ ଇରାନର କଡ଼ା ଜବାବ ମଧ୍ୟରେ ଯୁଦ୍ଧ ଆଶଙ୍କା ଆହୁରି ବଢ଼ିଛି।
ଇରାନ, ଆମେରିକା ଓ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ତିକ୍ତତା ଭିତରେ ଆସିଛି ବଡ଼ ଖବର । ସମ୍ଭାବ୍ୟ ଗ୍ରାଉଣ୍ଡ ଆଟାକ୍କୁ ମୁକାବିଲା କରିବା ପାଇଁ ଇରାନରେ ସାଧାରଣ ନାଗରିକଙ୍କୁ ସାମରିକ ପ୍ରଶିକ୍ଷଣ ଦିଆଯାଉଛି । ଏପରିକି ତେହରାନରେ ମହିଳାମାନେ ମଧ୍ୟ ବନ୍ଧୁକ ଚଳାଇବାର ଟ୍ରେନିଂ ନେଉଛନ୍ତି । ତେହରାନର ଇମାମ ହୁସେନ୍ ସ୍କୋୟାର ସ୍ଥିତ ଏକ ମିଲିଟାରୀ ଟ୍ରେନିଂ ସେଣ୍ଟରରେ ମହିଳାମାନଙ୍କୁ ଅଧିକାରୀ ଓ ପ୍ରଶିକ୍ଷକମାନେ ସାମରିକ ପ୍ରଶିକ୍ଷଣ ଦେଇଛନ୍ତି । ପ୍ରଥମେ ସେମାନଙ୍କୁ ଅସ୍ତ୍ର ସମ୍ପର୍କରେ ବୁଝାଯାଇଥିଲା ଏବଂ ପରେ ହ୍ୟାଣ୍ଡଗନ୍ ସହ ବିଭିନ୍ନ ଅସ୍ତ୍ର ଧରିବା ଓ ଚଳାଇବାର ଅଭ୍ୟାସ କରାଯାଇଛି ।
ଏହାର ଗୋଟିଏ ଦିନ ପୂର୍ବରୁ ମଧ୍ୟ ଇରାନର ହାଫ୍ତ-ଏ-ତିର୍ ସ୍କୋୟାରରେ ଆଉ ଏକ ସିଭିଲିଆନ୍ ମିଲିଟାରୀ ଟ୍ରେନିଂ ସେଣ୍ଟର ଖୋଲାଯାଇଥିଲା । ଯଦି ଆମେରିକା ଓ ଇସ୍ରାଏଲ ପକ୍ଷରୁ ଗ୍ରାଉଣ୍ଡ ଅଫେନ୍ସିଭ୍ ହୁଏ, ତେବେ ସାଧାରଣ ନାଗରିକଙ୍କୁ ପ୍ରତିରୋଧ ପାଇଁ ପ୍ରସ୍ତୁତ କରିବା ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ବୋଲି ରିପୋର୍ଟରୁ ଜଣାପଡ଼ିଛି । ତେବେ ଟ୍ରେନିଂ ନେଉଥିବା ଅନେକ ମହିଳାଙ୍କ ପାଇଁ ଏହା କେବଳ ଯୁଦ୍ଧ କରିବାର ପ୍ରସ୍ତୁତି ନୁହେଁ । ନିଜ ପରିବାର ଓ ଅଞ୍ଚଳକୁ ରକ୍ଷା କରିବା ପାଇଁ ମାନସିକ ଓ ବ୍ୟବହାରିକ ପ୍ରସ୍ତୁତି ବୋଲି ସେମାନେ କହିଛନ୍ତି ।
ଏପଟେ ଇରାନକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଚେତାବନୀ ମଧ୍ୟ ଆସିଛି । ଇରାନ ବିରୋଧରେ ପରବର୍ତ୍ତୀ ପଦକ୍ଷେପ ନେଇ ସେ ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି ବୋଲି ସଙ୍କେତ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ଇରାନ ଉପରେ ଚାପ ପକାଇବା ପାଇଁ ‘ସହଜ ରାସ୍ତା କିମ୍ବା କଠିନ ରାସ୍ତା’ ମଧ୍ୟରୁ ଗୋଟିଏ ବାଛିବାକୁ ପଡ଼ିବ । ଏହାର ଜବାବରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି, ଯୁଦ୍ଧ କିମ୍ବା ନୂଆ କଟକଣା ଦ୍ୱାରା ସମସ୍ୟାର ସମାଧାନ ସମ୍ଭବ ନୁହେଁ । ଯଦି ଶତ୍ରୁ ପୁଣି ସାମରିକ ମୁକାବିଲାର ରାସ୍ତା ବାଛେ, ତେବେ ଇରାନ ପୂର୍ବାପେକ୍ଷା ଆହୁରି ଶକ୍ତିଶାଳୀ ଜବାବ ଦେବ ବୋଲି ସେ ଚେତାଇଛନ୍ତି ।
ଅର୍ଥାତ୍, ଗୋଟିଏ ପଟେ କୂଟନୈତିକ ଆଲୋଚନା ଅଟକି ରହିଛି, ଅନ୍ୟପଟେ ଆମେରିକା-ଇରାନ ମଧ୍ୟରେ ଧମକ ଓ ପ୍ରତିଧମକ ଜାରି ରହିଛି । ଆଉ ଏହି ସମୟରେ ଇରାନର ସାଧାରଣ ନାଗରିକ, ବିଶେଷକରି ମହିଳାମାନେ, ସମ୍ଭାବ୍ୟ ଗ୍ରାଉଣ୍ଡ ୱାର୍ ପାଇଁ ବନ୍ଧୁକ ଚଳାଇବା ଶିଖୁଥିବା ଦୃଶ୍ୟ ଯୁଦ୍ଧର ଭୟାବହତାକୁ ଆହୁରି ସ୍ପଷ୍ଟ କରିଛି ।

