ବଲିଉଡ୍ର ଚାନ୍ଦିନୀଙ୍କୁ ମନେ ପକାଇଲେ ପ୍ରିୟଙ୍କା ଚୋପ୍ରା । ଶ୍ରୀଦେବୀଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେବା ସହ ଆଗାମୀ ବାୟୋଗ୍ରାଫିର ପ୍ରଥମ ଲୁକ୍ ଶେୟାର କରିଛନ୍ତି ପ୍ରିୟଙ୍କା ।
ଭାରତୀୟ ସିନେମାର ସେହି ମହାନ ଅଭିନେତ୍ରୀଙ୍କ, ଯିଏ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ଶ୍ରୀଦେବୀ ଆଜି ଆମ ଗହଣରେ ନାହାନ୍ତି, କିନ୍ତୁ ତାଙ୍କ ଅଭିନୟ, ହସ ଓ ଚରିତ୍ର ଆଜି ବି ସିନେପ୍ରେମୀଙ୍କ ମନରେ ଜୀବନ୍ତ । ଶିଶୁ କଳାକାରରୁ ଆରମ୍ଭ କରି ଭାରତୀୟ ସିନେମାର ପ୍ରଥମ ମହିଳା ସୁପରଷ୍ଟାର୍ ହେବା ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଥିଲା ଅସାଧାରଣ । ତାଙ୍କ ଜନ୍ମଦିନରେ ପ୍ରଶଂସକମାନେ ତାଙ୍କୁ ମନେ ପକାଇ କହୁଛନ୍ତି, ଶ୍ରୀଦେବୀ ଚାଲିଗଲେ, କିନ୍ତୁ ଚାନ୍ଦିନୀ ସବୁଦିନ ଅମର ।
ବଲିଉଡ୍ର ଚାନ୍ଦିନୀଙ୍କୁ ମନେ ପକାଇଲେ ପ୍ରିୟଙ୍କା ଚୋପ୍ରା । ଶ୍ରୀଦେବୀଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେବା ସହ ଆଗାମୀ ବାୟୋଗ୍ରାଫିର ପ୍ରଥମ ଲୁକ୍ ଶେୟାର କରିଛନ୍ତି ପ୍ରିୟଙ୍କା । ଶ୍ରୀଦେବୀଙ୍କ ଜୀବନ ଓ ସିନେମା ଯାତ୍ରାକୁ ନେଇ ଆସୁଛି ପୁସ୍ତକ ‘Empress: The Definitive Biography of Sridevi’।
ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ପୁସ୍ତକର କଭର୍ ଶେୟାର କରି ପ୍ରିୟଙ୍କା ଲେଖିଛନ୍ତି,ଶ୍ରୀଦେବୀ ଥିଲେ ‘ଦି ଓନ୍ ଆଣ୍ଡ୍ ଓନ୍ଲି’। ତାଙ୍କୁ ଆଜି ବି ବହୁତ ମନେ ପକାଉଛନ୍ତି ବୋଲି କହିବା ସହ ‘ହ୍ୟାପି ହେଭେନ୍ଲି ବର୍ଥଡେ’ ଲେଖିଛନ୍ତି ।
ଧୀରଜ୍ ୟୁ କୁମାରଙ୍କ ଦ୍ୱାରା ଲିଖିତ ଏହି ବାୟୋଗ୍ରାଫିକୁ ୱେଷ୍ଟଲ୍ୟାଣ୍ଡ ବୁକ୍ସ ପ୍ରକାଶ କରିବ । ଏବେ ପୁସ୍ତକଟି ‘କମିଂ ସୁନ୍’ ଭାବେ ତାଲିକାଭୁକ୍ତ ହୋଇଛି । ଏହି ବହିରେ ଶ୍ରୀଦେବୀଙ୍କ ଶୈଶବରୁ ଆରମ୍ଭ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ ଷ୍ଟାର୍ଡମ୍ ଓ ଦୀର୍ଘ ସିନେମା ଯାତ୍ରାର ବିଭିନ୍ନ ଦିଗ ସାମିଲ ହେବ । ବିଶେଷ କଥା ହେଉଛି, ପୁସ୍ତକର କଭର୍ରେ ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ଏକ ବିଶେଷ ମନ୍ତବ୍ୟ ମଧ୍ୟ ରହିଛି । ସେ ଶ୍ରୀଦେବୀଙ୍କୁ ‘ଅନମିଟିଗେଟେଡ୍ ଟ୍ୟାଲେଣ୍ଟର ପରାକାଷ୍ଠା’ ବୋଲି ବର୍ଣ୍ଣନା କରିଛନ୍ତି ।
ମାତ୍ର ୪ ବର୍ଷ ବୟସରୁ ଅଭିନୟ ଆରମ୍ଭ କରିଥିଲେ ଶ୍ରୀଦେବୀ । ୧୯୬୭ର ତାମିଲ୍ ଫିଲ୍ମ ‘କନ୍ଦନ୍ କରୁଣାଇ’ରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ପରେ ୧୯୭୨ର ହିନ୍ଦୀ ଫିଲ୍ମ ‘ରାଣୀ ମେରା ନାମ୍’ରେ ବଲିଉଡ୍ରେ ପାଦ ରଖିଥିଲେ । ବର୍ଷ ବର୍ଷ ଧରି ଅନେକ ସଫଳ ଫିଲ୍ମରେ ଅଭିନୟ କରି ସେ ଭାରତୀୟ ସିନେମାର ଅନ୍ୟତମ ଚର୍ଚ୍ଚିତ ଅଭିନେତ୍ରୀ ହୋଇଥିଲେ। ୧୯୯୬ରେ ଫିଲ୍ମ ନିର୍ମାତା ବୋନି କପୁରଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ଝିଅ ଜାହ୍ନବୀ ଓ ଖୁସି କପୁର । ୨୦୧୮ରେ ଦୁବାଇରେ ଶ୍ରୀଦେବୀଙ୍କ ଦେହାନ୍ତ ହୋଇଥିଲା । ୨୦୧୩ରେ ତାଙ୍କୁ ଦେଶର ଅନ୍ୟତମ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା ।

