ମହାପ୍ରଭୁ ଜଗନ୍ନାଥ ଆନିମେସନ୍ ଫିଲ୍ମକୁ ନେଇ ଜଗନ୍ନାଥ ସଂସ୍କୃତି ଗବେଷକ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ତୀବ୍ର ବିରୋଧ । ଏହି ଫିଲ୍ମ ରିଲିଜ୍ ହେଲେ ସଂସ୍କୃତି ପରମ୍ପରା ପ୍ରତି ଅପମାନ ହେବ ।
ମହାପ୍ରଭୁ ଜଗନ୍ନାଥ ଆନିମେସନ୍ ଫିଲ୍ମକୁ ନେଇ ଜଗନ୍ନାଥ ସଂସ୍କୃତି ଗବେଷକ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ତୀବ୍ର ବିରୋଧ । ଏହି ଫିଲ୍ମ ରିଲିଜ୍ ହେଲେ ସଂସ୍କୃତି ପରମ୍ପରା ପ୍ରତି ଅପମାନ ହେବ । ଏଭଳି ମହାପ୍ରଭୁଙ୍କୁ କାର୍ଟୁନ୍ କରିବାରୁ ଫିଲ୍ମ ନିର୍ମାଣ ସଂସ୍ଥା ବିରତ ରହୁ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । ସେପଟେ ଆନିମେଟେଡ଼ ଫିଲ୍ମ ‘ମହାପ୍ରଭୁ ଶ୍ରୀ ଜଗନ୍ନାଥ’ର ପ୍ରଦର୍ଶନ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ହାଇକୋର୍ଟରେ ଆସନ୍ତା ୧୩ ତାରିଖକୁ ଘୁଞ୍ଚିଯାଇଛି । ସିନେମାରେ ମହାପ୍ରଭୁଙ୍କ ସଂସ୍କୃତି, ରୀତିନୀତି ଏବଂ ପରମ୍ପରାକୁ କଦର୍ଥ କରାଯାଇଥିବା ଅଭିଯୋଗ ହୋଇଥିବାରୁ ହାଇକୋର୍ଟ ଅନ୍ୟାଦେଶ ପର୍ଯ୍ୟନ୍ତ ଏହାର ପ୍ରଦର୍ଶନ ଉପରେ ରୋକ୍ ଲଗାଇଛନ୍ତି ।
ପୂର୍ବରୁ ଏହି ପ୍ରଦର୍ଶନ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇବାକୁ ମନା କରିଦେଇଥିବା ବେଳେ ଏବେ ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ଅନ୍ୟପଟରେ ମହାପ୍ରଭୁଙ୍କୁ ନେଇ ହୋଇଛି କପୋଳକଳ୍ପିତ ଆନିମେସନ କାହାଣୀ । ଶ୍ରୀମନ୍ଦିର ପ୍ରଚାର ପ୍ରସାର ଉପସମିତିର ବିରୋଧ ଜାରି ରହିଛି । ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ,ଶ୍ରୀମନ୍ଦିର ପ୍ରଚାର ପ୍ରସାର ଉପସମିତିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଯେଉଁ ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବିଦ୍ୱାନ ପଣ୍ଡିତ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।
ଏଲି ଏନିମେସନ ପ୍ରାଇଭେଟ୍ ଲିମିଟେଡ ସଂସ୍ଥାର ପ୍ରଯୋଜକ ମହାପ୍ରଭୁ ଜଗନ୍ନାଥ ଫିଲ୍ମ ଟି ସମ୍ପୂର୍ଣ୍ଣ କାଳ୍ପନିକ ସ୍ୱୀକାର କରିଥିବା ବେଳେ ରିଲିଜ୍ ସ୍ଥଗିତ ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଏହାଦ୍ୱାରା ପ୍ରଚାର ନୁହେଁ ବରଂ ଜଗନ୍ନାଥ ସଂସ୍କୃତିର ଅପମାନ ହେଉଛି ବୋଲି ମତ ରଖିଥିଲେ ପ୍ରଚାର ପ୍ରସାର ଉପସମିତି ସଦସ୍ୟଙ୍କ ସମେତ ସମସ୍ତ ବିଦ୍ୱାନ ଗଣ । ମହାପ୍ରଭୁଙ୍କ ମହିମା ପ୍ରଚାର ପ୍ରସାର ହୋଇପାରିବ କିନ୍ତୁ ସନାତନ ଶାସ୍ତ୍ର ଆଧାର କିମ୍ବା ପ୍ରତିଷ୍ଠିତ ଲୋକମାନ୍ୟ କିମ୍ବଦନ୍ତୀ ଆଧାରରେ ହୋଇ ପାରିବ କହିଛନ୍ତି ଗଜପତି ଦିବ୍ୟସିଂହ ଦେବ ମତ ରଖିଥିଲେ।ଯୁବ ଉଦ୍ୟୋଗୀ ମାନେ ମହାପ୍ରଭୁଙ୍କ ମହିମା ନେଇ ଛୋଟ ପିଲାଙ୍କ ପାଖରେ ପହଞ୍ଚାଇବା ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ଏହା ଧର୍ମ ଶାସ୍ତ୍ର ଆଧାରରେ ହେବା ଉଚିତ୍ ବୋଲି ମତ ରଖିଥିଲେ ଗଜପତି ଦିବ୍ୟସିଂହ ଦେବ । ପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେବେ ଏବେ ବି ଜଗନ୍ନାଥ ପ୍ରେମୀ ଓ ଶ୍ରୀମନ୍ଦିର ପ୍ରଚାର ପ୍ରସାର କମିଟି ଏହାକୁ ବିରୋଧ କରିବା ସହ ଏଭଳି ନକାରାତ୍ମକ ଚିନ୍ତାଧାରା କୁ ଛୋଟ ଛୁଆ ଙ୍କୁ ଦେଖାଇବା ଉଚିତ୍ ନୁହେଁ ବୋଲି ମତ ବ୍ୟକ୍ତ କରିଛନ୍ତି । ଏହାଦ୍ୱାରା ଜଗନ୍ନାଥ ସଂସ୍କୃତି ବାବଦରେ ଏକ ଭ୍ରାନ୍ତ ଧାରଣା ପିଲାଙ୍କ ମନକୁ ଯିବ ବୋଲି ମତ ରଖିବା ସହ ପ୍ରଯୋଜକ ଏଇଭଳି ଫିଲ୍ମ ରୁ ନିବୃତ୍ତ ରହି,ସ୍କନ୍ଦ ପୁରାଣ ଆଧାରିତ କାହାଣୀ କୁ ନେଇ ଫିଲ୍ମ କରିବାକୁ ଅନୁରୋଧ କରିଛନ୍ତି ।

