MMSY-TRIP ଯୋଜନାକୁ ସବୁଜ ସଙ୍କେତ, ଚାରି ବର୍ଷରେ ବଦଳିବ ଗ୍ରାମାଞ୍ଚଳର ସଡ଼କ ଚିତ୍ର

ଓଡ଼ିଶାର ଗ୍ରାମାଞ୍ଚଳରେ ସଡ଼କ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା-ଟ୍ରାନ୍ସଫର୍ଡ ରୋଡ୍ ଇମ୍ପ୍ରୁଭମେଣ୍ଟ ପ୍ରୋଗ୍ରାମ୍ (ଏମ୍‌ଏମ୍‌ଏସ୍‌ୱାଇ-ଟ୍ରିପ୍)’ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।

ଓଡ଼ିଶାର ଗ୍ରାମାଞ୍ଚଳରେ ସଡ଼କ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା-ଟ୍ରାନ୍ସଫର୍ଡ ରୋଡ୍ ଇମ୍ପ୍ରୁଭମେଣ୍ଟ ପ୍ରୋଗ୍ରାମ୍ (ଏମ୍‌ଏମ୍‌ଏସ୍‌ୱାଇ-ଟ୍ରିପ୍)’ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜାରି ସଂକଳ୍ପ ଅନୁଯାୟୀ, ୨୦୨୬-୨୭ରୁ ୨୦୨୯-୩୦ ପର୍ଯ୍ୟନ୍ତ ଚାରି ବର୍ଷ ମଧ୍ୟରେ ରାଜ୍ୟରେ ଅନ୍ୟ ବିଭାଗରୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତରିତ ପ୍ରାୟ ୨୩,୭୦୫ କିଲୋମିଟର ସଡ଼କର ଉନ୍ନତି କରାଯିବ । ଏଥିପାଇଁ ୫,୩୬୫ କୋଟି ବ୍ୟୟବରାଦର ବ୍ୟବସ୍ଥା କରାଯାଇଛି । ପଞ୍ଚାୟତିରାଜ ଓ ଅନ୍ୟ ବିଭାଗରୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତରିତ ସଡ଼କଗୁଡ଼ିକର ଗୁଣାତ୍ମକ ଉନ୍ନତି କରିବା ହିଁ ଏହି ଯୋଜନାର ପ୍ରମୁଖ ଲକ୍ଷ୍ୟ । ରାସ୍ତାଗୁଡ଼ିକୁ ବିଟୁମିନ୍ (ବିଟି) କିମ୍ବା ସିମେଣ୍ଟ କଂକ୍ରିଟ୍ (ସିସି) ମାନରେ ନିର୍ମାଣ କରାଯିବ । ସଡ଼କର ଚଳାଚଳ ପଥ ୩.୭୫ ମିଟର ରହିବା ସହିତ ମୋଟ ପ୍ରସ୍ଥ ୬ରୁ ୭.୫ ମିଟର ମଧ୍ୟରେ ରଖାଯିବ । ଏହା ଜମିର ଉପଲବ୍ଧତା, ଯାନବାହନ ଚାପ ଏବଂ ସଡ଼କର ସ୍ଥିତିକୁ ଆଧାର କରି ନିର୍ଦ୍ଧାରଣ ହେବ । ନୂତନ ନିର୍ଦ୍ଦେଶାବଳୀରେ ହସ୍ପିଟାଲ, ସ୍କୁଲ, କଲେଜ, ପଞ୍ଚାୟତ କାର୍ଯ୍ୟାଳୟ, ସରକାରୀ ପ୍ରତିଷ୍ଠାନ, ବଜାର ଏବଂ ପର୍ଯ୍ୟଟନସ୍ଥଳକୁ ସଂଯୋଗ କରୁଥିବା ରାସ୍ତାକୁ ସର୍ବାଧିକ ପ୍ରାଥମିକତା ଦିଆଯିବ । ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀ ପ୍ରଥମେ ଉପଯୁକ୍ତ ପ୍ରକଳ୍ପ ଚିହ୍ନଟ କରି ପ୍ରସ୍ତାବ ପ୍ରସ୍ତୁତ କରିବେ । ପରେ ଏହା ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଯାଞ୍ଚ ଓ ସୁପାରିସ ପରେ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ପ୍ରତ୍ୟେକ ପ୍ରକଳ୍ପ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ ପୂର୍ବରୁ ସ୍ଥଳ ପରିଦର୍ଶନ ବାଧ୍ୟତାମୂଳକ କରାଯାଇଛି । ଡ୍ରେନ୍‌, କଲଭର୍ଟ, କ୍ରସ୍ ଡ୍ରେନେଜ୍‌, ବିଦ୍ୟୁତ୍ ଓ ଅନ୍ୟାନ୍ୟ ୟୁଟିଲିଟି ସ୍ଥାନାନ୍ତର, ବନ ଅନୁମତି, ସଡ଼କ ସୁରକ୍ଷା ବ୍ୟବସ୍ଥା ଏବଂ ସଡ଼କର ଦୁଇ ପାର୍ଶ୍ୱରେ ୨୦୦ ମିଟର ମଧ୍ୟରେ ଥିବା ସ୍କୁଲ, ହସ୍ପିଟାଲ ଓ ବଜାର ସଂଯୋଗ ଭଳି ବ୍ୟବସ୍ଥାକୁ ମଧ୍ୟ ଡିପିଆର୍‌ରେ ସାମିଲ କରିବାକୁ କୁହାଯାଇଛି ।

ଏଥିସହ ପ୍ରକଳ୍ପ ବ୍ୟୟର ୧ ପ୍ରତିଶତ ଅର୍ଥରେ ରାସ୍ତା କଡ଼ରେ ବୃକ୍ଷରୋପଣ ଓ ଏହାର ରକ୍ଷଣାବେକ୍ଷଣ ପାଇଁ ବ୍ୟବସ୍ଥା ରହିବ । ସମସ୍ତ କାର୍ଯ୍ୟ ଇ-ଟେଣ୍ଡରିଂ ମାଧ୍ୟମରେ କରାଯିବ। ପ୍ରକଳ୍ପ ରୂପାୟଣର ଦାୟିତ୍ୱ ଗ୍ରାମ୍ୟ କାର୍ଯ୍ୟ ସଂଗଠନ ଉପରେ ନ୍ୟସ୍ତ ରହିବ ଏବଂ କାର୍ଯ୍ୟ ଶେଷ କରିବାର ସମୟସୀମା ଓ ଗୁଣବତ୍ତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ସଡ଼କ ନିର୍ମାଣର ଗୁଣବତ୍ତା ନିଶ୍ଚିତ କରିବା ପାଇଁ ଦୁଇସ୍ତରୀୟ ଗୁଣବତ୍ତା ଯାଞ୍ଚ ବ୍ୟବସ୍ଥା କରାଯାଇଛି । ପ୍ରଥମ ସ୍ତରରେ କନିଷ୍ଠ ଯନ୍ତ୍ରୀଠାରୁ ଆରମ୍ଭ କରି ନିର୍ବାହୀ ଓ ଅଧୀକ୍ଷଣ ଯନ୍ତ୍ରୀ ପର୍ଯ୍ୟନ୍ତ କାର୍ଯ୍ୟର ଗୁଣବତ୍ତା ନିରୀକ୍ଷଣ କରିବେ । ଦ୍ୱିତୀୟ ସ୍ତରରେ ଅବସରପ୍ରାପ୍ତ ବରିଷ୍ଠ ନିର୍ବାହୀ ଯନ୍ତ୍ରୀ ପଦମର୍ଯ୍ୟାଦାର ଅଧିକାରୀମାନଙ୍କୁ ଗୁଣବତ୍ତା ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ କରାଯିବ, ଯେଉଁମାନେ ପ୍ରତିମାସ କାର୍ଯ୍ୟସ୍ଥଳ ପରିଦର୍ଶନ କରି ରିପୋର୍ଟ ଦାଖଲ କରିବେ । ନିର୍ଦ୍ଦେଶାବଳୀ ଅନୁଯାୟୀ, ନିର୍ମାଣ ପରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସଡ଼କର ରକ୍ଷଣାବେକ୍ଷଣ ସମ୍ପୃକ୍ତ ଠିକା ସଂସ୍ଥା ପାଇଁ ବାଧ୍ୟତାମୂଳକ ହେବ । ଏହି ସମୟ ମଧ୍ୟରେ କୌଣସି ତ୍ରୁଟି ଦେଖାଦେଲେ ଠିକା ସଂସ୍ଥା ନିଜ ଖର୍ଚ୍ଚରେ ତାହାର ମରାମତି କରିବ। ଯୋଜନାର ଅର୍ଥ ବ୍ୟୟ, ହିସାବ ଓ ଅଡିଟ୍ ୱାମିସ୍ (WAMIS) ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେବ ଏବଂ ମହାଲେଖାପାଳଙ୍କ ଦ୍ୱାରା ନିରୀକ୍ଷଣ କରାଯିବ । ଗ୍ରାମ୍ୟ ଉନ୍ନୟନ ବିଭାଗର ମତରେ, ଗ୍ରାମୀଣ ସଡ଼କ କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ବରଂ ଗ୍ରାମାଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବାଣିଜ୍ୟ ଓ ସାମଗ୍ରିକ ଆର୍ଥିକ ବିକାଶର ମୁଖ୍ୟ ଭିତ୍ତିଭୂମି । ନୂତନ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ହେଲେ ରାଜ୍ୟରେ ହସ୍ତାନ୍ତରିତ ଗ୍ରାମୀଣ ସଡ଼କର ମାନ ଉନ୍ନତ ହେବା ସହ ଗ୍ରାମାଞ୍ଚଳର ସଂଯୋଗ ବ୍ୟବସ୍ଥାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *