ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ୟ୍ୟଙ୍କୁ ନେଇ ମଧ୍ୟ ଅରବିନ୍ଦ ରାଜଭର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ସ୍ୱାମୀ ପ୍ରସାଦ ମୌର୍ୟ୍ୟ ଯଦି ସୁଭାସପା ସହ ଯୋଡ଼ି ହେବାକୁ ଚାହାନ୍ତି, ତେବେ ତାଙ୍କ ପାଇଁ ଦଳର ଦ୍ୱାର ଖୋଲା ରହିଛି। ତାଙ୍କ ସହ ଆଲୋଚନା କରାଯିବା ସହ ଏନଡିଏର ଶୀର୍ଷ ନେତୃତ୍ୱଙ୍କ ସହ କଥା ହୋଇ ତାଙ୍କୁ ମେଣ୍ଟରେ ସାମିଲ କରିବାକୁ ଉଦ୍ୟମ କରାଯିବ।
ସୁହେଲଦେବ ଭାରତୀୟ ସମାଜ ପାର୍ଟି (ସୁଭାସପା) ଅଧ୍ୟକ୍ଷ ଓମ୍ ପ୍ରକାଶ ରାଜଭରଙ୍କ ପୁଅ ଅରବିନ୍ଦ ରାଜଭର ବିହାରର ରାଜନୈତିକ ଦଳଗୁଡ଼ିକର ଉତ୍ତରପ୍ରଦେଶରେ ପ୍ରବେଶକୁ ନେଇ ବଡ଼ ବୟାନ ଦେଇଛନ୍ତି। ଏଥିସହିତ ସେ ଚେତାବନୀ ଦେଇ କହିଛନ୍ତି, ବିହାରରେ ଯେତେବେଳେ ତାଙ୍କ ଦଳକୁ ଏନଡିଏରେ ସାମିଲ କରାଗଲା ନାହିଁ, ସେତେବେଳେ ଉତ୍ତରପ୍ରଦେଶରେ ମଧ୍ୟ ବିହାରର ଦଳଗୁଡ଼ିକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ସୁଭାସପା ନେତା ଅରବିନ୍ଦ କହିଛନ୍ତି, ଯଦି କୌଣସି ଦଳ ଏଭଳି କରିବାକୁ ଉଦ୍ୟମ କରେ, ତେବେ ଆଗାମୀ ଦିନରେ ସୁଭାସପା ଏଥିପାଇଁ ଅନ୍ୟ ରଣନୀତି ଆପଣାଇବାକୁ ବିଚାର କରିବ। ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଏବଂ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଉତ୍ତରପ୍ରଦେଶର ପୂର୍ବାଞ୍ଚଳର କିଛି ବିଧାନସଭା ଆସନରେ ନିର୍ବାଚନ ଲଢ଼ିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି।
ସ୍ୱାମୀ ପ୍ରସାଦ ମୌର୍ୟ୍ୟଙ୍କ ପାଇଁ ଖୋଲା ରହିଛି ଦ୍ୱାର
ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ୟ୍ୟଙ୍କୁ ନେଇ ମଧ୍ୟ ଅରବିନ୍ଦ ରାଜଭର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ସ୍ୱାମୀ ପ୍ରସାଦ ମୌର୍ୟ୍ୟ ଯଦି ସୁଭାସପା ସହ ଯୋଡ଼ି ହେବାକୁ ଚାହାନ୍ତି, ତେବେ ତାଙ୍କ ପାଇଁ ଦଳର ଦ୍ୱାର ଖୋଲା ରହିଛି। ତାଙ୍କ ସହ ଆଲୋଚନା କରାଯିବା ସହ ଏନଡିଏର ଶୀର୍ଷ ନେତୃତ୍ୱଙ୍କ ସହ କଥା ହୋଇ ତାଙ୍କୁ ମେଣ୍ଟରେ ସାମିଲ କରିବାକୁ ଉଦ୍ୟମ କରାଯିବ। ଅରବିନ୍ଦ କହିଛନ୍ତି, ସ୍ୱାମୀ ପ୍ରସାଦ ମୌର୍ୟ୍ୟ ଜଣେ ଭଲ ନେତା ଏବଂ ଅଭିଜ୍ଞ ରାଜନେତା। ନିଜର ରାଜନୈତିକ ଅଭିଜ୍ଞତାକୁ ଆଧାର କରି ସେ ପୁଣିଥରେ ଏନଡିଏ ସହ ଯୋଡ଼ି ହେବା ଉଚିତ। ଏଠାରେ ତାଙ୍କୁ ସମ୍ମାନ, ମର୍ୟ୍ୟାଦା, ଭାଗୀଦାରୀ ଓ ଉଚିତ ଅଂଶୀଦାରିତା ମିଳିବ। କଂଗ୍ରେସ ଓ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍ କରି ଅରବିନ୍ଦ କହିଛନ୍ତି, ସ୍ୱାମୀ ପ୍ରସାଦ ମୌର୍ୟ୍ୟ ବର୍ତ୍ତମାନ ଉତ୍ତରପ୍ରଦେଶ ରାଜନୀତିରେ ଫୁଟବଲ୍ ପାଲଟିଯାଇଛନ୍ତି।
ଦୁଇ ମୁସଲିମ୍ ଚେହେରାଙ୍କୁ ଟିକେଟ୍ ଦେବ ସୁଭାସପା
ଉତ୍ତରପ୍ରଦେଶରେ ମୁସଲିମ୍ ପ୍ରାର୍ଥୀଙ୍କୁ ଟିକେଟ୍ ଦେବା ପ୍ରସଙ୍ଗରେ ମଧ୍ୟ ଅରବିନ୍ଦ ରାଜଭର ନିଜ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଆଗାମୀ ନିର୍ବାଚନରେ ସୁଭାସପା ଦୁଇ ଜଣ ମୁସଲିମ୍ ଚେହେରାଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବ। ସେମାନେ ହେଉଛନ୍ତି ଦଳର ଅଳ୍ପସଂଖ୍ୟକ ପ୍ରକୋଷ୍ଠର ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଫତାବ ଆଲମ୍ ଏବଂ ପ୍ରଦେଶ ଅଧ୍ୟକ୍ଷ ଖୁର୍ସିଦ୍ ଆଲମ୍। ଆଗାମୀ ଦିନରେ ଏହି ଦୁଇ ନେତାଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଦଳ ପଦକ୍ଷେପ ନେବ ବୋଲି ସେ କହିଛନ୍ତି।

