CBS ନ୍ୟୁଜ୍କୁ ସାକ୍ଷାତକାର ଦେଇ ଟ୍ରମ୍ପ କହିଛନ୍ତି, ମୋ ପାଖରେ ଶେଷ ଶକ୍ତି ରହିଛି ଏବଂ ତାହା ହେଉଛି ଭିଟୋ। ଡେମୋକ୍ରାଟ୍ମାନେ ହାଉସ୍ କିମ୍ବା ସିନେଟରେ ବହୁମତ ହାସଲ କଲେ ମଧ୍ୟ ଆବଶ୍ୟକ ସ୍ଥଳେ ଏହି କ୍ଷମତା ବ୍ୟବହାର କରିବାକୁ ସେ ପ୍ରସ୍ତୁତ ବୋଲି ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ନ୍ୟୁୟର୍କ ଟାଇମ୍ସକୁ ଆଉ ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ, ଡେମୋକ୍ରାଟ୍ମାନଙ୍କ ବିଜୟର ଫଳାଫଳକୁ ସେ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନୀ ରାତିରେ ପୁଣି ଥରେ କହିଛନ୍ତି ଯେ, ଯଦି ଡେମୋକ୍ରାଟ୍ମାନେ କଂଗ୍ରେସର ନିୟନ୍ତ୍ରଣ ନିଜ ହାତକୁ ନିଅନ୍ତି, ତେବେ ଆବଶ୍ୟକ ପଡ଼ିଲେ ସେ ସେମାନଙ୍କ ବିଲ୍ଗୁଡ଼ିକୁ ଭିଟୋ କରିଦେବେ। ନିଜକୁ ‘ମିଷ୍ଟର ଭିଟୋ’ ବୋଲି କୁହାଯିବା ନେଇ ମଧ୍ୟ ସେ ଖୁସି ପ୍ରକାଶ କରିଛନ୍ତି।
CBS ନ୍ୟୁଜ୍କୁ ସାକ୍ଷାତକାର ଦେଇ ଟ୍ରମ୍ପ କହିଛନ୍ତି, ମୋ ପାଖରେ ଶେଷ ଶକ୍ତି ରହିଛି ଏବଂ ତାହା ହେଉଛି ଭିଟୋ। ଡେମୋକ୍ରାଟ୍ମାନେ ହାଉସ୍ କିମ୍ବା ସିନେଟରେ ବହୁମତ ହାସଲ କଲେ ମଧ୍ୟ ଆବଶ୍ୟକ ସ୍ଥଳେ ଏହି କ୍ଷମତା ବ୍ୟବହାର କରିବାକୁ ସେ ପ୍ରସ୍ତୁତ ବୋଲି ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ନ୍ୟୁୟର୍କ ଟାଇମ୍ସକୁ ଆଉ ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ, ଡେମୋକ୍ରାଟ୍ମାନଙ୍କ ବିଜୟର ଫଳାଫଳକୁ ସେ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ।
ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ପ୍ରାରମ୍ଭିକ ଫଳାଫଳ ଆସିବା ସହ ଟ୍ରମ୍ପ ଏକ ନୂଆ ଦାୟିତ୍ୱ ତୁଲାଇବାକୁ ଘୋଷଣା କରିଛନ୍ତି। ଏଣିକି ସେ ନିର୍ବାଚନରେ ପ୍ରାର୍ଥୀଙ୍କ ଜିତିବା ଓ ହାରିବାର କାରଣ ଉପରେ ନିଜର ମତ ରଖିବେ। ଏଥିସହ ସେ ସୋସିଆଲ ମିଡିଆରେ ଏକ ନାଲି ରଙ୍ଗର ଟୋପି ପୋଷ୍ଟ କରିଛନ୍ତି, ଯେଉଁଥିରେ ‘ଭିଟୋ’ ଲେଖାଯାଇଛି। ଟ୍ରୁଥ୍ ସୋସିଆଲରେ ସେ ଲେଖିଛନ୍ତି, ଏବେ ମୁଁ ଜଣେ ରାଜନୈତିକ ‘ପଣ୍ଡିତ’ ହେବି। ପ୍ରାର୍ଥୀମାନେ କାହିଁକି ଜିତିଲେ କିମ୍ବା ହାରିଲେ, ସେ ସମ୍ପର୍କରେ ଭଲ ଓ ଖରାପ ଉଭୟ ପ୍ରକାରର ରାଜନୈତିକ ବିଶ୍ଳେଷଣ କରିବି। ଏହା ପରେ ସେ ନାଲି ରଙ୍ଗର ଭିଟୋ ଲେଖାଥିବା ଟୋପିର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।
ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଟ୍ରମ୍ପ କହିଥିଲେ ଯେ, ଯଦି ଡେମୋକ୍ରାଟ୍ମାନେ ବହୁମତ ହାସଲ କରନ୍ତି, ତେବେ ସେମାନେ ଆଣୁଥିବା ପ୍ରତ୍ୟେକ ଆଇନକୁ ଭିଟୋ କରି ନିଜର କ୍ଷମତା ବ୍ୟବହାର କରିବେ। ଏଥିପାଇଁ ହୁଏତ ଲୋକେ ତାଙ୍କୁ ‘ମିଷ୍ଟର ଭିଟୋ’ ଉପାଧି ଦେଇପାରନ୍ତି ବୋଲି ସେ କହିଥିଲେ। ଏହା ପୂର୍ବରୁ ଏକ ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପ ଦାବି କରିଥିଲେ ଯେ, ସେ ନିଜେ ସିଧାସଳଖ ନିର୍ବାଚନ ଲଢ଼ୁନଥିବାରୁ ରିପବ୍ଲିକାନ୍ ପାର୍ଟି ସପକ୍ଷରେ ଫଳାଫଳ ଆସୁନାହିଁ। ତେବେ ରିପବ୍ଲିକାନ୍ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସମୟରେ ଟ୍ରମ୍ପ ଭୋଟରଙ୍କୁ ଆହ୍ୱାନ ଦେଇଥିଲେ ଯେ, ଭୋଟ୍ ଦେବାବେଳେ ପ୍ରାର୍ଥୀ ଭାବେ ତାଙ୍କୁ ହିଁ ବିଚାରକୁ ନିଅନ୍ତୁ।
ରିପବ୍ଲିକାନ୍ ପାର୍ଟିକୁ ବଡ଼ ଝଟକା
ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିକୁ ବଡ଼ ଝଟକା ଲାଗିଛି। ଓହାଇଓରେ ଟ୍ରମ୍ପଙ୍କ ପସନ୍ଦର ପ୍ରାର୍ଥୀଙ୍କ ମଧ୍ୟରୁ ଅନ୍ୟତମ ବିବେକ ରାମାସ୍ୱାମୀ ଗଭର୍ଣ୍ଣର ନିର୍ବାଚନରେ ପରାସ୍ତ ହୋଇଛନ୍ତି। ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଏମି ଆକ୍ଟନ୍ ତାଙ୍କୁ ପରାସ୍ତ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ରାମାସ୍ୱାମୀଙ୍କ ସପକ୍ଷରେ ଭୋଟ୍ ଦେବାକୁ ଟ୍ରମ୍ପ ନିଜେ ଓହାଇଓ ଯାଇ ପ୍ରଚାର କରିଥିଲେ। ଉପରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ ତାଙ୍କ ପାଇଁ ପ୍ରଚାର କରିଥିଲେ।
୨୦୨୪ରେ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ବିବେକ ରାମାସ୍ୱାମୀ ନିଜର ଦାବିଦାରୀ ଉପସ୍ଥାପନ କରିଥିଲେ। କିନ୍ତୁ ପରେ ସେ ନିଜ ନାମ ପ୍ରତ୍ୟାହାର କରି ଟ୍ରମ୍ପଙ୍କୁ ସମର୍ଥନ ଜଣାଇଥିଲେ। ପ୍ରାୟ ୨୦ ବର୍ଷ ପରେ ଓହାଇଓରେ ଡେମୋକ୍ରାଟିକ୍ ପାର୍ଟି ଗଭର୍ଣ୍ଣର ପଦ ହାତେଇଛି। ଏହା ସହ ଏମି ଆକ୍ଟନ୍ ଏହି ପଦରେ ନିର୍ବାଚିତ ହେବାରେ ରାଜ୍ୟର ପ୍ରଥମ ମହିଳା ହେବାକୁ ଯାଉଛନ୍ତି।

