ମହାଦେବ ବେଟିଂ ଆପ୍‌ର ମାଷ୍ଟରମାଇଣ୍ଡ ଭାରତ ଆଣିଲା CBI , ଓମାନ ପୁଲିସ ରଖିଥିଲା ହେପାଜତରେ

ସୌରଭଙ୍କ ବିରୋଧରେ CBIର ଦୁଇଟି ମାମଲା ରହିଛି ଏବଂ ଏହି ମାମଲାଗୁଡ଼ିକରେ ତଦନ୍ତକାରୀ ସଂସ୍ଥା ପୂର୍ବରୁ ଚାର୍ଜସିଟ୍ ଦାଖଲ କରିସାରିଛି। ଏହାବ୍ୟତୀତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ମଧ୍ୟ ତାଙ୍କ ବିରୋଧରେ ଏକ ମାମଲାରେ ଅଭିଯୋଗପତ୍ର ଦାଖଲ ହୋଇଛି ।

ମହାଦେବ ଅନଲାଇନ୍ ବେଟିଂ ନେଟୱର୍କର ମୁଖ୍ୟ ଅଭିଯୁକ୍ତ ତଥା କଥିତ ମାଷ୍ଟରମାଇଣ୍ଡ ସୌରଭ ଚନ୍ଦ୍ରାକରଙ୍କୁ ଓମାନରୁ ଭାରତ ଅଣାଯାଇଛି । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଅନ୍ୟ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ସହଯୋଗରେ ତାଙ୍କୁ ପ୍ରତ୍ୟର୍ପଣ କରି ଭାରତ ଆଣିଛି । ଏଥିପାଇଁ CBIର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ ନେଇ ଭାରତରେ ପହଞ୍ଚିଛି ।

ସୂଚନା ଅନୁସାରେ, ପ୍ରଥମେ ସୌରଭଙ୍କର ଡାକ୍ତରୀ ପରୀକ୍ଷା କରାଯିବ । ଏହାପରେ ଟ୍ରାଞ୍ଜିଟ୍ ରିମାଣ୍ଡ ନେଇ ତାଙ୍କୁ ଛତିଶଗଡ଼ର ରାୟପୁର ନିଆଯିବ । ସେଠାରେ ସୋମବାର CBIର ସ୍ୱତନ୍ତ୍ର ଅଦାଲତରେ ତାଙ୍କୁ ହାଜର କରାଯିବ । ସୌରଭଙ୍କ ବିରୋଧରେ CBIର ଦୁଇଟି ମାମଲା ରହିଛି ଏବଂ ଏହି ମାମଲାଗୁଡ଼ିକରେ ତଦନ୍ତକାରୀ ସଂସ୍ଥା ପୂର୍ବରୁ ଚାର୍ଜସିଟ୍ ଦାଖଲ କରିସାରିଛି। ଏହାବ୍ୟତୀତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ମଧ୍ୟ ତାଙ୍କ ବିରୋଧରେ ଏକ ମାମଲାରେ ଅଭିଯୋଗପତ୍ର ଦାଖଲ ହୋଇଛି ।

ଦେଶର ବଡ଼ ଅବୈଧ ବେଟିଂ ନେଟୱର୍କର ତଦନ୍ତରେ ବଡ଼ ପଦକ୍ଷେପ

ଛତିଶଗଡ଼ ସରକାରଙ୍କ ଅନୁରୋଧ ପରେ CBI ମହାଦେବ ଅନଲାଇନ୍ ବୁକ୍ ମାମଲାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଜଣାପଡ଼ିଥିଲା ଯେ ଏହା ଦେଶର ଅନ୍ୟତମ ବଡ଼ ଅବୈଧ ଅନଲାଇନ୍ ବେଟିଂ ନେଟୱର୍କ ଥିଲା, ଯାହାର ପରିଚାଳନା ବିଦେଶରୁ କରାଯାଉଥିଲା । ଏହି ପ୍ଲାଟଫର୍ମ ମାଧ୍ୟମରେ କ୍ରିକେଟ୍, ଫୁଟବଲ୍, ତାସ୍ ଏବଂ ଅନ୍ୟାନ୍ୟ ଖେଳ ଓ କାର୍ଯ୍ୟକ୍ରମ ଉପରେ ବେଆଇନ୍ ଭାବେ ବାଜି ଲଗାଯାଉଥିଲା । ତଦନ୍ତକାରୀ ସଂସ୍ଥାଙ୍କ ଅନୁସାରେ, ଦେଶର ବିଭିନ୍ନ ସ୍ଥାନରେ ଫ୍ରାଞ୍ଚାଇଜି ଆଧାରିତ ପ୍ୟାନେଲ୍ ଓ ଶାଖା ଖୋଲାଯାଇ ଲୋକଙ୍କୁ ଏହି ନେଟୱର୍କ ସହ ଯୋଡ଼ାଯାଉଥିଲା । ଏହା ମାଧ୍ୟମରେ ବାଜି ଟଙ୍କା ସଂଗ୍ରହ କରାଯାଉଥିଲା ।

ହାୱାଲା ନେଟୱର୍କ ଜରିଆରେ ବିଦେଶକୁ ଯାଉଥିଲା ଟଙ୍କା

ତଦନ୍ତରେ ଆହୁରି ଜଣାପଡ଼ିଥିଲା ଯେ ଅବୈଧ ବେଟିଂରୁ ମିଳୁଥିବା ଟଙ୍କାକୁ ବହୁ ସଂଖ୍ୟାରେ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ବିଭିନ୍ନ କାରବାର କରି ଏକାଧିକ ପର୍ଯ୍ୟାୟରେ ଘୂରାଯାଉଥିଲା । ପରେ ହାୱାଲା ନେଟୱର୍କ ଜରିଆରେ ଏହି ଟଙ୍କା ବିଦେଶକୁ ପଠାଯାଉଥିବା CBI ତଦନ୍ତରୁ ଜଣାପଡ଼ିଛି । CBIର ଦାବି ଅନୁସାରେ, ଏହି ଅବୈଧ ଆୟର ଏକ ଅଂଶ କେତେକ ସରକାରୀ କର୍ମଚାରୀଙ୍କୁ କଥିତ ଭାବେ ସୁରକ୍ଷା ରାଶି ଦେବାରେ ବ୍ୟବହାର କରାଯାଉଥିଲା । ଏହାଦ୍ୱାରା ସିଣ୍ଡିକେଟ୍‌ଟି କୌଣସି ବାଧା ବିନା ନିଜର ବେଆଇନ୍ କାରବାର ଜାରି ରଖିପାରୁଥିଲା ବୋଲି ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛି ।

ଦୁର୍ନୀତି, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ଅଭିଯୋଗ

ଏହି ମାମଲାରେ CBI ଦୁର୍ନୀତି ନିବାରଣ ଆଇନ, ୧୯୮୮ ସହ ଭାରତୀୟ ଦଣ୍ଡବିଧିର ଅପରାଧିକ ଷଡ଼ଯନ୍ତ୍ର, ଠକେଇ ଓ ଜାଲିଆତି ସମ୍ପର୍କିତ ବିଭିନ୍ନ ଧାରା ଏବଂ ଛତିଶଗଡ଼ ଜୁଆ ନିଷେଧ ଆଇନ ଅନୁସାରେ ଚାର୍ଜସିଟ୍ ଦାଖଲ କରିଛି। ସୌରଭ ଚନ୍ଦ୍ରାକର ଏହି ମାମଲାଗୁଡ଼ିକର ପ୍ରମୁଖ ଅଭିଯୁକ୍ତଙ୍କ ମଧ୍ୟରେ ଅନ୍ୟତମ । ଅନ୍ୟପଟେ, ED ଏହି ମାମଲାରେ ଭାରତ ଓ ବିଦେଶରେ ଥିବା ଅନେକ ସମ୍ପତ୍ତିକୁ ପୂର୍ବରୁ ଜବତ କରିବା ପାଇଁ ଅଟାଚ୍ କରିସାରିଛି ।

ରେଡ୍ କର୍ଣ୍ଣର ନୋଟିସ୍ ପରେ ଓମାନରେ ହୋଇଥିଲା ଗିରଫ

ସୌରଭ ଚନ୍ଦ୍ରାକରଙ୍କ ବିରୋଧରେ ଜାରି ହୋଇଥିବା ରେଡ୍ କର୍ଣ୍ଣର ନୋଟିସ୍ ଆଧାରରେ ରୟାଲ୍ ଓମାନ୍ ପୋଲିସ ତାଙ୍କୁ ଖୋଜି ବାହାର କରି ହେପାଜତକୁ ନେଇଥିଲା । ଏହାପରେ CBI ଓ ED ତାଙ୍କ ବିରୋଧରେ ସଂଗ୍ରହ କରିଥିବା ପ୍ରମାଣ ସହ ଓମାନ ସରକାରଙ୍କ ନିକଟକୁ ଆନୁଷ୍ଠାନିକ ପ୍ରତ୍ୟର୍ପଣ ପ୍ରସ୍ତାବ ପଠାଇଥିଲେ । ଭାରତ ସରକାରଙ୍କ ବିଭିନ୍ନ ଏଜେନ୍ସି, ଇଣ୍ଟରପୋଲର ନ୍ୟାସନାଲ୍ ସେଣ୍ଟ୍ରାଲ୍ ବ୍ୟୁରୋ ଏବଂ ଓମାନର ସମ୍ପୃକ୍ତ ଏଜେନ୍ସିଗୁଡ଼ିକ ମଧ୍ୟରେ ସମନ୍ୱୟ ପରେ ପ୍ରତ୍ୟର୍ପଣ ପ୍ରକ୍ରିୟା ଶେଷ ହୋଇଥିଲା । ଅନୁମତି ମିଳିବା ପରେ CBIର ସ୍ୱତନ୍ତ୍ର ଟିମ୍ ମସ୍କଟ୍‌ରେ ପହଞ୍ଚି ସୌରଭଙ୍କୁ ଭାରତ ଆଣିଥିଲା । ଏହି କାର୍ଯ୍ୟାନୁଷ୍ଠାନରେ ସହଯୋଗ ପାଇଁ CBI ଓମାନ ସରକାର ଏବଂ ରୟାଲ୍ ଓମାନ୍ ପୋଲିସକୁ ଧନ୍ୟବାଦ ଜଣାଇଛି । ସଂଗଠିତ ଆନ୍ତର୍ଜାତୀୟ ଅପରାଧ ବିରୋଧରେ ଦୁଇ ଦେଶର ମିଳିତ ପ୍ରତିବଦ୍ଧତାର ଏହା ଏକ ଉଦାହରଣ ବୋଲି CBI କହିଛି ।

Leave a Reply

Your email address will not be published. Required fields are marked *