ଦିଲଜିତ୍‌ଙ୍କ ଉପରେ କାହିଁକି ରାଗିଥିଲେ ଅଭିଜିତ୍ ଦିପକେ? ମନର କଥା ଖୋଲି କହିଲେ

ଦିଲଜିତ୍‌ଙ୍କ ଉପରେ କାହିଁକି ଅସନ୍ତୁଷ୍ଟ ଥିଲେ ଅଭିଜିତ୍? କେଉଁ କଥା ତାଙ୍କୁ ଆଘାତ ଦେଇଥିଲା? ଏବେ ସୋସିଆଲ ମିଡିଆରେ ପୋଷ୍ଟ କରି ଏହାର ଖୁଲାସା କରିଛନ୍ତି କକରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦିପକେ।

ଜଣେ ପ୍ରଶଂସକଙ୍କ ମନରେ ଅସନ୍ତୋଷ, ଆଉ ଜଣେ କଳାକାରଙ୍କ ମନରେ ନିଜ ଲଢ଼େଇକୁ ନେଇ ଆତ୍ମସମ୍ମାନ। ଜୁନ୍‌ ମାସରେ ହୋଇଥିବା ଏକ ଘଟଣାକୁ ନେଇ ଏବେ ପୁଣି ଚର୍ଚ୍ଚାରେ ଅଭିଜିତ୍ ଦିପକେ ଓ ପଞ୍ଜାବୀ ଗାୟକ ଦିଲଜିତ୍ ଦୋସାଞ୍ଝ। ଦିଲଜିତ୍‌ଙ୍କ ଉପରେ କାହିଁକି ଅସନ୍ତୁଷ୍ଟ ଥିଲେ ଅଭିଜିତ୍? କେଉଁ କଥା ତାଙ୍କୁ ଆଘାତ ଦେଇଥିଲା? ଏବେ ସୋସିଆଲ ମିଡିଆରେ ପୋଷ୍ଟ କରି ଏହାର ଖୁଲାସା କରିଛନ୍ତି କକରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦିପକେ।

ଶନିବାର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଦିପକେ କହିଛନ୍ତି, ଜୁନ୍‌ ମାସରେ ଯେତେବେଳେ ସେମାନେ ପ୍ରତିବାଦ କରୁଥିଲେ, ସେହି ସମୟରେ ଦିଲଜିତ୍‌ଙ୍କ ଏକ ମନ୍ତବ୍ୟ ତାଙ୍କୁ ସାମାନ୍ୟ ଆଘାତ ଦେଇଥିଲା। ତେବେ ଏହା ପଛରେ କୌଣସି ବ୍ୟକ୍ତିଗତ ଅଭିଯୋଗ ନଥିଲା। ବରଂ ଦିଲଜିତ୍‌ଙ୍କୁ ସେ ସବୁବେଳେ ସାମାଜିକ ପ୍ରସଙ୍ଗରେ ସ୍ୱର ଉଠାଉଥିବା ଜଣେ ବ୍ୟକ୍ତି ଭାବେ ଦେଖିଆସିଛନ୍ତି। ତେଣୁ ତାଙ୍କଠାରୁ ଏଭଳି ମନ୍ତବ୍ୟ ଆଶା କରିନଥିଲେ ବୋଲି କହିଛନ୍ତି।

ଦିପକେ ଆହୁରି କହିଛନ୍ତି, ସେ ଦିଲଜିତ୍‌ଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ ଏବଂ ଏବେ ମଧ୍ୟ ଅଛନ୍ତି। ଆଜି ବି ତାଙ୍କ ଗୀତ ଶୁଣୁଛନ୍ତି। ଚଳିତ ବର୍ଷ ମେ’ ମାସରେ ଭାରତ ଫେରିବା ପୂର୍ବରୁ ଶିକାଗୋରେ ଦିଲଜିତ୍‌ଙ୍କ ସଙ୍ଗୀତ କାର୍ଯ୍ୟକ୍ରମକୁ ମଧ୍ୟ ଯାଇଥିଲେ। କେବଳ ଗୀତ ପାଇଁ ନୁହେଁ, ବରଂ ଜଣେ ବ୍ୟକ୍ତି ଭାବେ ଦିଲଜିତ୍‌ଙ୍କ ପ୍ରତି ତାଙ୍କର ସମ୍ମାନ ଥିବାରୁ ସେ ସେଠାକୁ ଯାଇଥିଲେ। ଗୋଟିଏ ମତଭେଦ କିମ୍ବା ଭୁଲ ବୁଝାମଣା ଯୋଗୁଁ ତାଙ୍କ ପ୍ରତି ଥିବା ସମ୍ମାନ କମିଯିବ ନାହିଁ ବୋଲି ଦିପକେ ସ୍ପଷ୍ଟ କରିଛନ୍ତି।

ତେବେ ଏହି ବିବାଦର ଆରମ୍ଭ ହୋଇଥିଲା ଜୁନ୍‌ ମାସରେ। ଦିଲ୍ଲୀର ଯନ୍ତରମନ୍ତରରେ ନିଟ୍ ପେପର ଲିକ୍‌କୁ ନେଇ ଚାଲିଥିବା ପ୍ରତିବାଦ ସମୟରେ ଦିଲଜିତ୍‌ଙ୍କୁ ଏକ ଇନଷ୍ଟାଗ୍ରାମ ଲାଇଭ୍‌ରେ ପ୍ରଶ୍ନ କରାଯାଇଥିଲା। ସେ ଏହି ଆନ୍ଦୋଳନରେ ସାମିଲ ହେବେ କି ନାହିଁ ବୋଲି ଜଣେ ପ୍ରଶଂସକ ପଚାରିଥିଲେ। ଏହାର ଉତ୍ତରରେ ସେ ନିଜକୁ ଜଣେ କଳାକାର ବୋଲି କହିବା ସହ ଏଭଳି ପ୍ରସଙ୍ଗରୁ ତାଙ୍କୁ ଦୂରରେ ରଖିବାକୁ କହିଥିଲେ।

ଅନ୍ୟପଟେ ଦିପକେଙ୍କ ସମାଲୋଚନା ଉପରେ ଦିଲଜିତ୍ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ। ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ସେ କହିଥିଲେ, ସେ ଚୁପ୍ ରହିବାକୁ ପସନ୍ଦ କରନ୍ତି। ପଞ୍ଜାବୀମାନେ କିପରି ନିଜ ଲଢ଼େଇ ଲଢ଼ିବେ, ତାହା ସେମାନଙ୍କୁ ଶିଖାଇବା ଉଚିତ ନୁହେଁ। ଏହା ସହ ସେ ‘ସତଲୁଜ୍’ ଫିଲ୍ମର ଉଦାହରଣ ଦେଇ ଏହା ପାଇଁ ଦୀର୍ଘ ସମୟ ଧରି ସଂଘର୍ଷ କରିଥିବା କଥା ମଧ୍ୟ କହିଥିଲେ।ଏବେ ଦିପକେଙ୍କ ନୂଆ ପୋଷ୍ଟ ପରେ ଉଭୟଙ୍କ ମଧ୍ୟରେ ଥିବା ମତଭେଦକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *