ଯୁଦ୍ଧବିରାମ ନେଇ ବଡ଼ ପଦକ୍ଷେପ! ପୁଟିନ୍‌-ଜେଲେନସ୍କିଙ୍କ ମୁହାଁମୁହିଁ ବୈଠକ କରାଇବେ ଟ୍ରମ୍ପ?

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ଖୁବ୍‌ଶୀଘ୍ର ପ୍ରତ୍ୟକ୍ଷ ଆଲୋଚନା ହୋଇପାରେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି ।

ରୁଷ-ୟୁକ୍ରେନ ଯୁଦ୍ଧର ଅନ୍ତ ଘଟାଇବା ପାଇଁ ପୁଣି ଥରେ ଜୋରଦାର ହୋଇଛି କୂଟନୈତିକ ପ୍ରୟାସ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ଖୁବ୍‌ଶୀଘ୍ର ପ୍ରତ୍ୟକ୍ଷ ଆଲୋଚନା ହୋଇପାରେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି । ଏହି ସମ୍ଭାବ୍ୟ ବୈଠକ ଯୁଦ୍ଧବିରାମ ଦିଗରେ ବଡ଼ ପଦକ୍ଷେପ ହୋଇପାରେ ବୋଲି ଆଶା କରାଯାଉଛି ।

ଆମେରିକୀୟ ଗଣମାଧ୍ୟମକୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ, ଉଭୟ ନେତାଙ୍କ ମଧ୍ୟରେ ଅତିଶୀଘ୍ର ବୈଠକ ହେବାର ସମ୍ଭାବନା ରହିଛି । ଏହା ଶାନ୍ତି ପ୍ରକ୍ରିୟାକୁ ନୂଆ ଦିଗ ଦେଇପାରେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ନଭେମ୍ବରରେ ଶାନ୍ତି ଆଲୋଚନା ପୁନର୍ବାର ଆରମ୍ଭ ହେବା ନେଇ ସଙ୍କେତ ଦେଇଥିଲେ । କିଭ୍‌, ୱାଶିଂଟନ୍‌ ଓ ମସ୍କୋ ମଧ୍ୟରେ ତ୍ରିପାକ୍ଷିକ ବୈଠକ ଆୟୋଜନ ନେଇ ଆଲୋଚନା ଚାଲିଥିବା କୁହାଯାଉଛି । ଏହି ବୈଠକ ସଂଯୁକ୍ତ ଆରବ ଏମିରେଟ୍ସରେ ହୋଇପାରେ ବୋଲି କ୍ରେମଲିନ୍‌ ପକ୍ଷରୁ ମଧ୍ୟ ପୂର୍ବରୁ ସଙ୍କେତ ମିଳିଥିବା ଖବରରେ ଉଲ୍ଲେଖ ରହିଛି ।

୨୦୨୨ ଫେବୃଆରୀରେ ରୁଷ ୟୁକ୍ରେନ ଉପରେ ବ୍ୟାପକ ଆକ୍ରମଣ ଆରମ୍ଭ କରିବା ପରଠାରୁ ଉଭୟ ଦେଶ ମଧ୍ୟରେ ସଂଘର୍ଷ ଜାରି ରହିଛି । ଯୁଦ୍ଧର ଅନ୍ତ ଘଟାଇବା ପାଇଁ ବିଭିନ୍ନ ସ୍ତରରେ ଆଲୋଚନା ହୋଇଥିଲେ ମଧ୍ୟ ଏଯାଏଁ ସ୍ଥାୟୀ ସମାଧାନ ବାହାରିପାରିନାହିଁ। ଟ୍ରମ୍ପ କ୍ଷମତାକୁ ଫେରିବା ପରେ ଯୁଦ୍ଧ ବନ୍ଦ କରିବାକୁ ଉଦ୍ୟମ କରିଆସୁଛନ୍ତି । ଏବେ ପୁଟିନ୍‌ ଓ ଜେଲେନସ୍କିଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ନେଇ ମିଳିଥିବା ସଙ୍କେତ ଆଶା ସୃଷ୍ଟି କରିଛି । ତେବେ ବୈଠକର ତାରିଖ, ସ୍ଥାନ ଓ ଯୁଦ୍ଧବିରାମ ସମ୍ପର୍କିତ ସର୍ତ୍ତାବଳୀ ନେଇ ଆନୁଷ୍ଠାନିକ ଘୋଷଣା ହେବା ପରେ ହିଁ ପ୍ରକୃତ ସ୍ଥିତି ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *