ବିକି ଲାଲୱାନୀଙ୍କ ପଡ୍କାଷ୍ଟରେ ନିଜ ଜୀବନର ସଂଘର୍ଷ ବିଷୟରେ କହି ଅନିତା କହିଛନ୍ତି ଯେ, ସେ ଆଉ ୧୦ରୁ ୧୨ ବର୍ଷ ବଞ୍ଚିବାକୁ ଚାହିଁଲେ ନିଜ ଖର୍ଚ୍ଚ କିପରି ତୁଲାଇବେ, ତାହା ଏବେ ବଡ଼ ପ୍ରଶ୍ନ ।
ଦିନେ ଛୋଟ ପରଦାରୁ ଆରମ୍ଭ କରି ବଡ଼ ପରଦା ପର୍ଯ୍ୟନ୍ତ ନିଜ ଅଭିନୟର ଛାପ ଛାଡ଼ିଥିବା ଦିଗ୍ଗଜ ଅଭିନେତ୍ରୀ ଅନିତା କଂୱଲ ଏବେ କାମ ନ ପାଇବା ଯୋଗୁଁ ଚିନ୍ତାରେ ଅଛନ୍ତି । ଦୀର୍ଘଦିନ ଧରି ଅଭିନୟରୁ ଦୂରେଇ ରହିଥିବା ଏହି ଅଭିନେତ୍ରୀ ନିଜର ଆର୍ଥିକ ସମସ୍ୟା ଓ ମାନସିକ ସ୍ଥିତି ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି । ତାଙ୍କ କହିବା ଅନୁସାରେ, ଆଗାମୀ ଏକ ବର୍ଷ ମଧ୍ୟରେ ତାଙ୍କର ସଞ୍ଚିତ ଅର୍ଥ ଶେଷ ହୋଇଯାଇପାରେ । ତେଣୁ ତାଙ୍କୁ ପୁଣିଥରେ କାମକୁ ଫେରିବାର ଆବଶ୍ୟକତା ରହିଛି ।
ବିକି ଲାଲୱାନୀଙ୍କ ପଡ୍କାଷ୍ଟରେ ନିଜ ଜୀବନର ସଂଘର୍ଷ ବିଷୟରେ କହି ଅନିତା କହିଛନ୍ତି ଯେ, ସେ ଆଉ ୧୦ରୁ ୧୨ ବର୍ଷ ବଞ୍ଚିବାକୁ ଚାହିଁଲେ ନିଜ ଖର୍ଚ୍ଚ କିପରି ତୁଲାଇବେ, ତାହା ଏବେ ବଡ଼ ପ୍ରଶ୍ନ। ତାଙ୍କ ପାଖରେ ନିଜ ଘର ହିଁ ଏକମାତ୍ର ସମ୍ପତ୍ତି ଏବଂ ସଞ୍ଚୟ ମଧ୍ୟ ଧୀରେ ଧୀରେ ଶେଷ ହେଉଛି ।
ତାଙ୍କ ପିଲାମାନେ ତାଙ୍କୁ ଆର୍ଥିକ ସହାୟତା କରିବାକୁ ଚାହୁଁଥିଲେ ମଧ୍ୟ ସେ ସେମାନଙ୍କଠାରୁ ଟଙ୍କା ନେବାକୁ ଚାହୁଁନାହାନ୍ତି। ବରଂ ନିଜେ ରୋଜଗାର କରି ପରିବାରକୁ ସହାୟତା କରିବାକୁ ଚାହୁଁଛନ୍ତି। ଅନିତା କହିଛନ୍ତି, ସେ ଅନେକ କାଷ୍ଟିଂ ଡାଇରେକ୍ଟରଙ୍କୁ ଭେଟିବା ସହ ଅଡିସନ୍ ମଧ୍ୟ ଦେଉଛନ୍ତି। ହେଲେ ଏପର୍ଯ୍ୟନ୍ତ କୌଣସି ଭଲ କାମ ମିଳିନାହିଁ। ଏପରିକି ତାଙ୍କୁ ବେଳେବେଳେ ୨୧ ବର୍ଷୀୟ ଯୁବତୀଙ୍କ ଭୂମିକା ମଧ୍ୟ ପ୍ରସ୍ତାବ ଦିଆଯାଉଛି। ସେ କାମ ପାଇଁ ଭିକ ମାଗୁନାହାନ୍ତି, କେବଳ ନିଜ ଯୋଗ୍ୟତା ଅନୁଯାୟୀ ସୁଯୋଗ ଚାହୁଁଛନ୍ତି।
ଅନିତା ‘କଭି ହାଁ କଭି ନା’ ଚଳଚ୍ଚିତ୍ରରେ ଶାହରୁଖ ଖାନଙ୍କ ସହ କାମ କରିଥିଲେ। ଏଥିରେ ସେ ଦୀପକ ତିଜୋରୀଙ୍କ ମାଆ ଭୂମିକାରେ ନଜର ଆସିଥିଲେ। ତେବେ ଚଳଚ୍ଚିତ୍ରରୁ ତାଙ୍କର ଅନେକ ଦୃଶ୍ୟ କାଟି ଦିଆଯାଇଥିବା କଥା ସେ କହିଛନ୍ତି। ସେହିପରି ‘ଗଙ୍ଗାଜଲ’ ଚଳଚ୍ଚିତ୍ରର ସଫଳତା ପରେ ତାଙ୍କ ପାରିଶ୍ରମିକ ଦୁଇଗୁଣ ହୋଇଥିଲା। ‘ବନେଗୀ ଅପନୀ ବାତ୍’, ‘ଶାନ୍ତି’ ଓ ‘ସସୁରାଲ ଗେଣ୍ଡା ଫୁଲ୍’ ଭଳି ଲୋକପ୍ରିୟ ଧାରାବାହିକରେ ଅଭିନୟ କରିଥିବା ଅନିତା ଏବେ ପୁଣିଥରେ ଭଲ ଭୂମିକା ଖୋଜୁଛନ୍ତି। କାମକୁ ଫେରିବା ତାଙ୍କ ଆର୍ଥିକ ସ୍ଥିତି ସହ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଜରୁରୀ ବୋଲି ସେ କହିଛନ୍ତି।

