ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ ଏକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ମନ୍ଦିରକୁ ଦାନ ଆକାରରେ ମିଳିଥିବା ସମ୍ପତ୍ତିର ମାଲିକ ଦେବତା ଏବଂ ଏହାକୁ ସରକାରଙ୍କ ସମ୍ପତ୍ତି ବୋଲି ବିବେଚନା କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।
ମନ୍ଦିରର ସମ୍ପତ୍ତି ଉପରେ କାହାର ଅଧିକାର , ଏହାର ମାଲିକ କିଏ ? ମନ୍ଦିର ସମ୍ପତ୍ତିକୁ ସରକାର ନିଜ ଇଚ୍ଛାରେ ବ୍ୟବହାର କରିପାରିବେ କି ? ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ ଏକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ମନ୍ଦିରକୁ ଦାନ ଆକାରରେ ମିଳିଥିବା ସମ୍ପତ୍ତିର ମାଲିକ ଦେବତା ଏବଂ ଏହାକୁ ସରକାରଙ୍କ ସମ୍ପତ୍ତି ବୋଲି ବିବେଚନା କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଏଥିସହ ତାମିଲନାଡୁର ଏକ ମନ୍ଦିର ଜମିକୁ ସରକାରଙ୍କୁ ଉପହାର ଦେବା ପାଇଁ କରାଯାଇଥିବା ଦଲିଲକୁ ଅବୈଧ ଘୋଷଣା କରିଛନ୍ତି ସର୍ବୋଚ୍ଚ ଅଦାଲତ । ଜଷ୍ଟିସ୍ ପି.ଏସ୍. ନରସିଂହ ଏବଂ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ମନ୍ଦିର ସମ୍ପତ୍ତିର ମାଲିକାନା, ସଂରକ୍ଷଣ ଏବଂ ସରକାରଙ୍କ ନିୟନ୍ତ୍ରଣ ସମ୍ପର୍କରେ କୋର୍ଟ ଗୁରୁତ୍ୱପୂର୍ଣ୍ଣ ଆଇନଗତ ଦିଗ ଉପରେ ଆଲୋକପାତ କରିଛନ୍ତି ।
ମନ୍ଦିର ସମ୍ପତ୍ତିର ମାଲିକ ଦେବତା
ସୁପ୍ରିମକୋର୍ଟ କହିଛନ୍ତି, ଦାନ ଆକାରରେ ଦେବତାଙ୍କୁ ସମର୍ପିତ ସମ୍ପତ୍ତି ଦାନଦାତା, ପୂଜାରୀ, ଟ୍ରଷ୍ଟି କିମ୍ବା ସରକାରଙ୍କର ହୋଇ ରହେ ନାହିଁ । ଏହା ଦେବତାଙ୍କ ନାମରେ ନ୍ୟସ୍ତ ହୋଇଥାଏ । ଏହି ସମ୍ପତ୍ତିର ଦେଖାଶୁଣା କରୁଥିବା ବ୍ୟକ୍ତିଙ୍କ ଦାୟିତ୍ୱ ହେଉଛି ଏହାକୁ ମନ୍ଦିର ଓ ଦେବତାଙ୍କ ସ୍ୱାର୍ଥରେ ସୁରକ୍ଷିତ ରଖିବା । ମନ୍ଦିର ସମ୍ପତ୍ତିର ପରିଚାଳନା କରୁଥିବା ବ୍ୟକ୍ତି ଏହାର ମାଲିକ ହୋଇଯାଆନ୍ତି ନାହିଁ । ଟ୍ରଷ୍ଟି ନିଜ ପଦବୀର ଅପବ୍ୟବହାର କରି ମନ୍ଦିର ସମ୍ପତ୍ତିକୁ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ସରକାରଙ୍କୁ ମନଇଚ୍ଛା ହସ୍ତାନ୍ତର କରିପାରିବେ ନାହିଁ ।
ସରକାର ରକ୍ଷକ, ମାଲିକ ନୁହେଁ
ମନ୍ଦିର ସମ୍ପତ୍ତିର ପ୍ରଶାସନିକ ପରିଚାଳନା ଓ ନିୟନ୍ତ୍ରଣ ଦାୟିତ୍ୱ ସରକାରଙ୍କ ପାଖରେ ଥିଲେ ମଧ୍ୟ ଏହାଦ୍ୱାରା ସରକାର ସମ୍ପତ୍ତିର ମାଲିକ ହୋଇଯାଆନ୍ତି ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ସରକାରଙ୍କ ଦାୟିତ୍ୱ ହେଉଛି ମନ୍ଦିର ସମ୍ପତ୍ତିର ସୁରକ୍ଷା ଓ ସଠିକ୍ ପରିଚାଳନା ସୁନିଶ୍ଚିତ କରିବା । ସରକାରୀ କାର୍ଯ୍ୟାଳୟ ନିର୍ମାଣ ପାଇଁ ଜମିର ଆବଶ୍ୟକତା ଥିବା ଦର୍ଶାଇ ମନ୍ଦିର ଜମିକୁ ମାଗଣାରେ ହସ୍ତାନ୍ତର କରିବା ଆଇନଗତ ଭାବେ ଠିକ୍ ନୁହେଁ । ସାଧାରଣ ଉଦ୍ଦେଶ୍ୟ ପାଇଁ ଜମିର ଆବଶ୍ୟକତା ଥିଲେ ମଧ୍ୟ ଆଇନ ବିରୋଧୀ ହସ୍ତାନ୍ତରକୁ ବୈଧ କରାଯାଇପାରିବ ନାହିଁ ।
କ’ଣ ଥିଲା ପୂରା ମାମଲା?
ତାମିଲନାଡୁର ଇରୋଡ ଜିଲ୍ଲା ଅନ୍ତର୍ଗତ କୋଡୁମୁଡି ଗାଁରେ ଥିବା ନାଗପାଲାୟମ ମାରିଆମ୍ମନ୍-ପୋନ୍ନାଚିଆମ୍ମନ୍ ମନ୍ଦିରର ପ୍ରାୟ ଏକ ଏକର ୧୦ ସେଣ୍ଟ୍ ଇନାମ ଜମିକୁ ନେଇ ଏହି ମାମଲା ହୋଇଥିଲା । ୨୦୧୭ ଅଗଷ୍ଟରେ ମନ୍ଦିରର ଜଣେ ଅସ୍ଥାୟୀ ଟ୍ରଷ୍ଟି ତାଲୁକ କାର୍ଯ୍ୟାଳୟ ନିର୍ମାଣ ପାଇଁ ଏହି ଜମିକୁ ତାମିଲନାଡୁ ସରକାରଙ୍କୁ ଉପହାର ଆକାରରେ ଦେଇଥିଲେ। ରାଜସ୍ୱ ଅଧିକାରୀମାନେ ମଧ୍ୟ ଏହି ହସ୍ତାନ୍ତରକୁ ଗ୍ରହଣ କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଅଦାଲତରେ ମାମଲା ଦାଏର ହୋଇଥିଲା। ୨୦୧୯ ମାର୍ଚ୍ଚରେ ମାଡ୍ରାସ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ। ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସର୍ବୋଚ୍ଚ ଅଦାଲତ ଏବେ ଜମି ହସ୍ତାନ୍ତର ପାଇଁ କରାଯାଇଥିବା ଗିଫ୍ଟ ଡିଡ୍କୁ ଅବୈଧ ଘୋଷଣା କରିଛନ୍ତି ।
ସରକାରୀ କାର୍ଯ୍ୟାଳୟ ହଟିବନି, ଦେବାକୁ ପଡ଼ିବ ଭଡ଼ା
ଜମି ହସ୍ତାନ୍ତରକୁ ଅବୈଧ ଘୋଷଣା କରିଥିଲେ ମଧ୍ୟ ସେହି ଜମିରେ ପୂର୍ବରୁ ନିର୍ମିତ ତାଲୁକ କାର୍ଯ୍ୟାଳୟକୁ ହଟାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇନାହାନ୍ତି। ଏହା ବଦଳରେ ଲିଜ୍ ଆଧାରରେ ସରକାରଙ୍କୁ ଜମି ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ୨୦୧୯ ମାର୍ଚ୍ଚ ୮ ତାରିଖରୁ ସରକାରଙ୍କୁ ପ୍ରତି ମାସରେ ୩୧ ହଜାର ଟଙ୍କା ଭଡ଼ା ଦେବାକୁ ପଡ଼ିବ। ଏଥିସହ ମନ୍ଦିରକୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ପ୍ରତି ତିନି ବର୍ଷରେ ଭଡ଼ାର ପୁନଃସମୀକ୍ଷା କରାଯିବ ।

