ଭାରତ ସ୍ପଷ୍ଟ କରିଛି ଯେ, ଜମ୍ମୁ-କଶ୍ମୀର ସହ ଜଡ଼ିତ କେବଳ ଦୁଇଟି ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯିବା ଉଚିତ । ପ୍ରଥମେ ପାକିସ୍ତାନ ଭାରତୀୟ ଅଞ୍ଚଳରୁ ନିଜର ବେଆଇନ ଦଖଲ ହଟାଉ ଏବଂ ଦ୍ୱିତୀୟରେ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ କରୁ ।
ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଇସଲାମିକ୍ ସହଯୋଗ ସଂଗଠନ (OIC)ର ବୟାନକୁ ଦୃଢ଼ ଭାବେ ଖାରଜ କରିଛି ଭାରତ । ସଂଗଠନର ଏଭଳି ମନ୍ତବ୍ୟକୁ ନିରାଶାଜନକ ବୋଲି କହିବା ସହ ଏହା ପଛରେ ପାକିସ୍ତାନର ଏଜେଣ୍ଡା ରହିଥିବା ଅଭିଯୋଗ କରିଛି ବୈଦେଶିକ ମନ୍ତ୍ରଣାଳୟ ।ଭାରତ ସ୍ପଷ୍ଟ କରିଛି ଯେ, ଜମ୍ମୁ-କଶ୍ମୀର ସହ ଜଡ଼ିତ କେବଳ ଦୁଇଟି ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯିବା ଉଚିତ । ପ୍ରଥମେ ପାକିସ୍ତାନ ଭାରତୀୟ ଅଞ୍ଚଳରୁ ନିଜର ବେଆଇନ ଦଖଲ ହଟାଉ ଏବଂ ଦ୍ୱିତୀୟରେ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ କରୁ ।
ପୁଣି ପାକିସ୍ତାନର ଏଜେଣ୍ଡାରେ ବ୍ୟବହାର ହେଲା OIC!
ଅକ୍ଟୋବର ୧୭ ଓ ୧୮ ତାରିଖରେ ବାଗଦାଦରେ ଅନୁଷ୍ଠିତ OICର ବୈଦେଶିକ ମନ୍ତ୍ରୀ ପରିଷଦ ବୈଠକରେ ଭାରତ ବିରୋଧୀ ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ କରିଛି ଭାରତ । ବୈଦେଶିକ ମନ୍ତ୍ରଣାଳୟ କହିଛି, ଭାରତ ସମ୍ପର୍କରେ ଦିଆଯାଇଥିବା ମନ୍ତବ୍ୟ ଦୁର୍ଭାବନାପୂର୍ଣ୍ଣ, ପକ୍ଷପାତପୂର୍ଣ୍ଣ ଏବଂ ମିଥ୍ୟା। ଏହା ପାକିସ୍ତାନର ପ୍ରୋତ୍ସାହନରେ କରାଯାଇଛି ।
ଭାରତ ଆହୁରି କହିଛି ଯେ, ପାକିସ୍ତାନର ଏକପାଖିଆ ଏଜେଣ୍ଡା ପାଇଁ OIC ବାରମ୍ବାର ବ୍ୟବହୃତ ହେବା ଦୁର୍ଭାଗ୍ୟଜନକ । ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ମନ୍ତବ୍ୟ ଦେବାକୁ ଏହି ସଂଗଠନର କୌଣସି ଅଧିକାର ନାହିଁ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।
ପାକିସ୍ତାନ ଅଧିକୃତ କଶ୍ମୀରରେ ହିଂସାକୁ ନେଇ ପ୍ରଶ୍ନ
ପାକିସ୍ତାନ ଅଧିକୃତ ଜମ୍ମୁ-କଶ୍ମୀର (PoJK)ରେ ପ୍ରଦର୍ଶନକାରୀଙ୍କ ଉପରେ ହୋଇଥିବା ହିଂସା ଓ ଦମନକୁ ନେଇ ମଧ୍ୟ ଭାରତ ପାକିସ୍ତାନକୁ ଘେରିଛି । ଭାରତର ଅଭିଯୋଗ ଅନୁଯାୟୀ, ସେଠାରେ ମହିଳା ଓ ଶିଶୁଙ୍କ ସମେତ ଅନେକ ଲୋକଙ୍କ ଜୀବନ ଯାଇଛି । ଗଣମାଧ୍ୟମ ଉପରେ କଟକଣା ଲଗାଇ ମାନବାଧିକାର ଉଲ୍ଲଂଘନକୁ ଲୁଚାଇବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ଏହାକୁ ଲୁଚାଯାଇ ପାରିନାହିଁ ବୋଲି ଭାରତ କହିଛି ।
ଅନ୍ୟପକ୍ଷରେ, ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଆର୍ଥିକ ବିକାଶ, ଭିତ୍ତିଭୂମି ନିର୍ମାଣ, ପର୍ଯ୍ୟଟନ ଓ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ହୋଇଥିବା ଭାରତ ଦାବି କରିଛି । ଏହାଦ୍ୱାରା ସେଠାକାର ଲୋକମାନେ ଉପକୃତ ହେଉଥିବା ମଧ୍ୟ କୁହାଯାଇଛି ।
OICର ବିଶ୍ୱସନୀୟତା ଉପରେ ଉଠାଇଲା ପ୍ରଶ୍ନ
ଭାରତ ବିରୋଧରେ ଇସଲାମୋଫୋବିଆ ସମ୍ପର୍କିତ ଅଭିଯୋଗକୁ ମଧ୍ୟ ବୈଦେଶିକ ମନ୍ତ୍ରଣାଳୟ ଖାରଜ କରିଛି । ଭାରତର କହିବା ଅନୁଯାୟୀ, ନିଜ ଦେଶରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର, ସାମ୍ପ୍ରଦାୟିକ ହିଂସା, ଶାସନଗତ ବିଫଳତା ଏବଂ ରାଜନୈତିକ ଅସ୍ଥିରତା ଭଳି ପ୍ରସଙ୍ଗରୁ ଅନ୍ତର୍ଜାତୀୟ ସମୁଦାୟର ଧ୍ୟାନ ହଟାଇବା ପାଇଁ ପାକିସ୍ତାନ ଏଭଳି ଉଦ୍ୟମ କରୁଛି ।
ପାକିସ୍ତାନର ଦୁର୍ଭାବନାପୂର୍ଣ୍ଣ ପ୍ରଚାରକୁ OIC ବାରମ୍ବାର ସମର୍ଥନ କରିବା ଦ୍ୱାରା ସଂଗଠନର ବିଶ୍ୱସନୀୟତା ଓ ନିରପେକ୍ଷତା ଉପରେ ଗମ୍ଭୀର ପ୍ରଶ୍ନ ଉଠୁଛି ବୋଲି ଭାରତ କହିଛି । ସଂଗଠନର ସଦସ୍ୟ ଦେଶଗୁଡ଼ିକ ଏହାର କାର୍ଯ୍ୟଶୈଳୀରେ ସୁଧାର ଆଣିବାକୁ ଉଦ୍ୟମ କରିବେ ବୋଲି ଭାରତ ଆଶା ପ୍ରକାଶ କରିଛି ।
କ’ଣ ଏହି OIC?
ଇସଲାମିକ୍ ସହଯୋଗ ସଂଗଠନ ବା OICରେ ମୋଟ ୫୭ଟି ସଦସ୍ୟ ଦେଶ ରହିଛନ୍ତି । ୨୫ ସେପ୍ଟେମ୍ବର ୧୯୬୯ରେ ଏହି ସଂଗଠନ ଗଠନ ହୋଇଥିଲା । ଏହାର ମୁଖ୍ୟାଳୟ ସାଉଦି ଆରବର ଜେଦ୍ଦାରେ ଅବସ୍ଥିତ । ଏସିଆ ଓ ଆଫ୍ରିକାର ଅଧିକାଂଶ ମୁସଲିମ୍ ବହୁଳ ଦେଶ ଏହାର ସଦସ୍ୟ ।ଏହା ବ୍ୟତୀତ ୟୁରୋପର ଆଲବାନିଆ ଏବଂ ଦକ୍ଷିଣ ଆମେରିକାର ଗୁୟାନା ଓ ସୁରିନାମ୍ ମଧ୍ୟ ଏହି ସଂଗଠନର ସଦସ୍ୟ ଅଟନ୍ତି ।

