ଆସନ୍ତା ବର୍ଷ ମାର୍ଚ୍ଚ-ଏପ୍ରିଲ ସୁଦ୍ଧା ସରକାର ଭାଙ୍ଗିଯିବ ଏବଂ ଦେଶରେ ନୂଆ ସରକାର ଗଠନ ହେବ । ଏଭଳି ବଡ଼ ଦାବି କରିଛନ୍ତି ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ।
ଆସନ୍ତା ୬ ମାସ ମଧ୍ୟରେ କେନ୍ଦ୍ରରେ ମୋଦୀ ସରକାରର ପତନ ହେବ । ଆସନ୍ତା ବର୍ଷ ମାର୍ଚ୍ଚ-ଏପ୍ରିଲ ସୁଦ୍ଧା ସରକାର ଭାଙ୍ଗିଯିବ ଏବଂ ଦେଶରେ ନୂଆ ସରକାର ଗଠନ ହେବ । ଏଭଳି ବଡ଼ ଦାବି କରିଛନ୍ତି ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ । ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଚାଲିଥିବା ପ୍ରଦର୍ଶନ ମଧ୍ୟରେ ରାଉତଙ୍କ ଏହି ବୟାନ ରାଜନୈତିକ ଚର୍ଚ୍ଚାକୁ ବଢ଼ାଇଛି ।
ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ, ବିରୋଧ ପ୍ରଦର୍ଶନରେ ସାମିଲ ହେବାକୁ ଆସୁଥିବା ଲୋକଙ୍କୁ ଦିଲ୍ଲୀରେ ପହଞ୍ଚିବାକୁ ଦିଆଯାଉନାହିଁ । ଏଥିପାଇଁ ବିପୁଳ ସଂଖ୍ୟାରେ ପୁଲିସ ମୁତୟନ ସହ ରାସ୍ତାରେ ନାକାବନ୍ଦୀ କରାଯାଇଛି ବୋଲି ସେ କହିଛନ୍ତି । ଚାଲିଥିବା ଆନ୍ଦୋଳନକୁ ଜନବିଦ୍ରୋହ ବୋଲି ବର୍ଣ୍ଣନା କରି ସେ ଦାବି କରିଛନ୍ତି ଯେ, କେନ୍ଦ୍ର ସରକାର ଯୁବପିଢ଼ି ଏବଂ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କୁ ଭୟ କରୁଛନ୍ତି ।
ସଞ୍ଜୟ ରାଉତ କହିଛନ୍ତି ଯେ, ବର୍ତ୍ତମାନର ସରକାର ଆଉ ଅଧିକ ଦିନ ତିଷ୍ଠିପାରିବ ନାହିଁ । ଆସନ୍ତା ବର୍ଷ ମାର୍ଚ୍ଚ ଓ ଏପ୍ରିଲ ମଧ୍ୟରେ ମୋଦୀ ସରକାରର ଅନ୍ତ ଘଟିବ ଏବଂ ନୂଆ ସରକାର ଗଠନ ହେବ ବୋଲି ସେ ଦାବି କରିଛନ୍ତି । ସିଜେପି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶନିବାର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ପୁଲିସ ତାଙ୍କୁ ଅଟକ ରଖିଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ନେଇ ରାଉତ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଗୋଟିଏ ଅସରପା ମଧ୍ୟ ସରକାରକୁ ଅସହାୟ କରିପାରେ । କେନ୍ଦ୍ରୀୟ ନେତୃତ୍ୱକୁ ସମାଲୋଚନା କରି ଅଭିନେତା ନାନା ପାଟେକରଙ୍କ ଏକ ପ୍ରସିଦ୍ଧ କଥାର ଉଦାହରଣ ଦେଇଥିଲେ । ବର୍ତ୍ତମାନର ନେତାମାନେ ଦୃଢ଼ ରାଜନେତା ନୁହନ୍ତି, ବରଂ ବ୍ୟବସାୟୀଙ୍କ ଭଳି ବ୍ୟବହାର କରୁଛନ୍ତି ଏବଂ ଏଭଳି ଲୋକ ଶୀଘ୍ର ଭୟଭୀତ ହୋଇପଡ଼ନ୍ତି ବୋଲି ରାଉତ ଅଭିଯୋଗ କରିଛନ୍ତି । ଏହାସହ ଦିଲ୍ଲୀକୁ ଜମ୍ମୁ-କଶ୍ମୀର ଭଳି କରିଦିଆଯାଇଛି ବୋଲି ସେ କହିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ୧୫ ହଜାର ଗାଡ଼ି ସହର ବାହାରେ ଅଟକି ରହିଛି ଏବଂ ଆନ୍ଦୋଳନକାରୀଙ୍କୁ ଦିଲ୍ଲୀରେ ପହଞ୍ଚିବାରୁ ରୋକିବା ପାଇଁ ଟ୍ରେନ୍ ମଧ୍ୟ ଅଟକାଯାଇଛି ।
କେନ୍ଦ୍ର ସରକାର ବ୍ରିଟିଶ ଶାସନ ସମୟର ଦମନମୂଳକ ନୀତି ଆପଣାଉଥିବା ଅଭିଯୋଗ କରିଛନ୍ତି ସଞ୍ଜୟ ରାଉତ । ଦିଲ୍ଲୀକୁ କାହିଁକି ସିଲ୍ କରାଯାଉଛି ଏବଂ ଯୁବପିଢ଼ିଙ୍କୁ ଗଣତାନ୍ତ୍ରିକ ଉପାୟରେ ବିରୋଧ ପ୍ରଦର୍ଶନ କରିବାକୁ କାହିଁକି ଦିଆଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏପରିକି ବ୍ରିଟିଶ ଶାସନ ସମୟରେ ମଧ୍ୟ ଏତେ ବଡ଼ ଧରଣର ନାକାବନ୍ଦୀ ଦେଖିବାକୁ ମିଳିନଥିଲା ବୋଲି ସେ କହିଛନ୍ତି । ଆନ୍ଦୋଳନକାରୀ ଯୁବକମାନଙ୍କୁ କେଉଁ ଆଇନ ଅନୁଯାୟୀ ଦେଶଦ୍ରୋହୀ ଓ ରାଷ୍ଟ୍ରବିରୋଧୀ କୁହାଯାଉଛି ବୋଲି ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି ।
ସେହିପରି କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ବେଆଇନ ନିର୍ଦ୍ଦେଶ ପାଳନ ନକରିବାକୁ ସଞ୍ଜୟ ରାଉତ ଦିଲ୍ଲୀ ପୁଲିସକୁ ଆହ୍ୱାନ ଦେଇଛନ୍ତି । ଭୋଟର ତାଲିକାରେ ହେରଫେର ଏବଂ ସରକାରୀ କଳର ଅପବ୍ୟବହାର ଉପରେ କେନ୍ଦ୍ର ସରକାର ନିର୍ଭର କରୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

