ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କା ଦେଲା ମିନି କୁପର୍ । ଆଉ ଏହି ଦୁର୍ଘଟଣାରେ ଚାଲିଗଲା ୩ ଜଣ ଛାତ୍ରଛାତ୍ରୀଙ୍କ ଜୀବନ । ମୃତକଙ୍କ ମଧ୍ୟରେ ଦୁଇ ଜଣ ଯୁବତୀ ଓ ଜଣେ ଯୁବକ ଅଛନ୍ତି ।
କେରଳରେ ବିଳାସପୂର୍ଣ୍ଣ କାର୍ର ଭୟଙ୍କର ଦୁର୍ଘଟଣା । ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କା ଦେଲା ମିନି କୁପର୍ । ଆଉ ଏହି ଦୁର୍ଘଟଣାରେ ଚାଲିଗଲା ୩ ଜଣ ଛାତ୍ରଛାତ୍ରୀଙ୍କ ଜୀବନ । ମୃତକଙ୍କ ମଧ୍ୟରେ ଦୁଇ ଜଣ ଯୁବତୀ ଓ ଜଣେ ଯୁବକ ଅଛନ୍ତି । ଦୁର୍ଘଟଣା ପରେ କାର୍ ଚାଳକଙ୍କୁ ନେଇ ଏବେ ଚର୍ଚ୍ଚା । ସ୍ଥାନୀୟ ଲୋକେ ତାଙ୍କୁ ପ୍ରଶ୍ନ କରିବାରୁ, ‘ମୋ ବାପା ସବୁ ସମ୍ଭାଳି ନେବେ’ ବୋଲି ସେ କହିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ, ମଦ୍ୟପାନ କରି ଗାଡ଼ି ଚଳାଇଥିବା ସନ୍ଦେହରେ ପୋଲିସ ତଦନ୍ତ ଜାରି ରଖିଛି ।
ଘଟଣାଟି କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲାର କୋଚି ବିମାନବନ୍ଦର ନିକଟ ନେଡୁମ୍ବାସେରୀ ଅଞ୍ଚଳରେ ଘଟିଛି । ରବିବାର ଭୋର ପ୍ରାୟ ୨ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ତିନି ଜଣ ଛାତ୍ରଛାତ୍ରୀ ନିକଟସ୍ଥ ଏକ ଦୋକାନରେ ଚା’ ପିଇ ଘରକୁ ଫେରୁଥିଲେ । ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ମିନି କୁପର୍ ସେମାନଙ୍କ ସ୍କୁଟିକୁ ଜୋରଦାର ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ସ୍କୁଟିରେ ଥିବା ତିନି ଜଣ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ହସ୍ପିଟାଲ୍ ନେଇଥିଲେ । କିନ୍ତୁ ଚିକିତ୍ସା ପୂର୍ବରୁ କିମ୍ବା ଚିକିତ୍ସା ସମୟରେ ସେମାନଙ୍କ ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ମୃତକମାନେ ହେଲେ ଓ୍ୱାୟନାଡର ଦେବିକା, ପାଲକ୍କାଡର ଗୋପିକା ଏବଂ କର୍ଣ୍ଣାଟକର ଇଜାଜ୍ । ସେମାନେ ତ୍ରିକ୍କାକରା ଅଞ୍ଚଳରେ ମଧ୍ୟ କାମ କରୁଥିଲେ ।
ମଦ୍ୟପାନ କରି ଗାଡ଼ି ଚଳାଉଥିଲେ କି ଅଭିଯୁକ୍ତ?
ଏହି ଦୁର୍ଘଟଣାରେ ମିନି କୁପର୍ ଚଳାଉଥିବା ୧୯ ବର୍ଷୀୟ ସୁହେଲ୍ ସାଜୀବଙ୍କୁ ପୋଲିସ ହେପାଜତକୁ ନେଇଛି । ଦୁର୍ଘଟଣା ପରେ ସେ ମଦ୍ୟପାନ କରିଥିବା କଥା ସ୍ୱୀକାର କରିଥିବା ଅଭିଯୋଗ ହୋଇଛି । ତେବେ ସେ କେବଳ ବିୟର୍ ପିଇଥିବା କହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।
ତାଙ୍କ ରକ୍ତ ଓ ଅନ୍ୟ ନମୁନା ସଂଗ୍ରହ କରାଯାଇଛି । ପରୀକ୍ଷା ରିପୋର୍ଟ ଆସିବା ପରେ ସେ ମଦ କିମ୍ବା ଅନ୍ୟ କୌଣସି ନିଶାଦ୍ରବ୍ୟ ସେବନ କରିଥିଲେ କି ନାହିଁ, ତାହା ସ୍ପଷ୍ଟ ହେବ । ଏଥିସହ କାର୍ର ଫରେନ୍ସିକ୍ ଯାଞ୍ଚ ମଧ୍ୟ ଚାଲିଛି ।
ଅଭିଯୁକ୍ତଙ୍କ ବିରୋଧରେ ଦୋଷୀ ମାନବହତ୍ୟା ସମେତ ଭାରତୀୟ ନ୍ୟାୟ ସଂହିତାର ସମ୍ପୃକ୍ତ ଧାରାରେ ମାମଲା ରୁଜୁ ହୋଇଛି । କାର୍ଟି ତାଙ୍କ ବାପାଙ୍କ ନାଁରେ ପଞ୍ଜୀକୃତ ଥିବାବେଳେ ଅଭିଯୁକ୍ତଙ୍କ ପାଖରେ ବୈଧ ଡ୍ରାଇଭିଂ ଲାଇସେନ୍ସ ଥିବା ପୋଲିସ କହିଛି ।
ହସ୍ପିଟାଲ୍ରେ ଅଭିଯୁକ୍ତଙ୍କୁ ଆକ୍ରମଣ ଅଭିଯୋଗ
ଅନ୍ୟପଟେ, ମୃତକଙ୍କ କିଛି ବନ୍ଧୁ ହସ୍ପିଟାଲ୍ରେ ଅଭିଯୁକ୍ତ ସୁହେଲ୍ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତାଙ୍କୁ ମେଡିକାଲ୍ ପରୀକ୍ଷା ପାଇଁ ନିଆଯାଇଥିବା ବେଳେ କିଛି ଲୋକ ତାଙ୍କୁ ଘେରିଯାଇଥିଲେ । ପରେ ହସ୍ପିଟାଲ୍ରୁ ବାହାରକୁ ନିଆଯାଉଥିବା ସମୟରେ ପଛପଟୁ ମୁଣ୍ଡରେ ଆଘାତ କରିଥିବା ପୋଲିସ କହିଛି । ପୋଲିସ ହସ୍ତକ୍ଷେପ କରି ଆକ୍ରମଣ ରୋକିବା ସହ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି ।
ସିସିଟିଭି ଫୁଟେଜ୍ରେ ଦୁର୍ଘଟଣାର ଭୟଙ୍କର ଦୃଶ୍ୟ
ଟିଭି ଚ୍ୟାନେଲ୍ଗୁଡ଼ିକରେ ପ୍ରସାରିତ ଦୁର୍ଘଟଣାର ଭିଡିଓରେ ମିନି କୁପର୍ଟି ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କା ଦେଉଥିବା ଦେଖିବାକୁ ମିଳିଛି । ଧକ୍କାର ପ୍ରଭାବରେ ସ୍କୁଟିରେ ପଛରେ ବସିଥିବା ଜଣେ ଯୁବତୀ ଆକାଶକୁ ଛିଟିକି ପଡ଼ିଥିବା ଦୃଶ୍ୟ ମଧ୍ୟ ରହିଛି । ଦୁର୍ଘଟଣା ପରେ ସ୍କୁଟିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ କାର୍ଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କୋଚି ବିମାନବନ୍ଦର ନିକଟରେ ଦ୍ରୁତଗତିରେ ଗାଡ଼ି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ରୋକିବା ପାଇଁ ପୋଲିସ ପାଟ୍ରୋଲିଂ ଓ ଅନ୍ୟ ପ୍ରତିରୋଧମୂଳକ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବ ବୋଲି କହିଛି ।

