ୟୁପିଆଇ ଶୁଳ୍କ ନେଇ ବଢ଼ିଲା ବିବାଦ, ଖବରକୁ ଖଣ୍ଡନ କଲା କଂଗ୍ରେସ

ୟୁପିଆଇ ଶୁଳ୍କ ନେଇ କଂଗ୍ରେସ ସାଂସଦଙ୍କ ଆପତ୍ତି । ୟୁପିଆଇ କାରବାର ଉପରେ ଶୁଳ୍କ ଲଗାଇବା ପ୍ରସ୍ତାବକୁ ସଂସଦର ଅର୍ଥ ବ୍ୟାପାର ସ୍ଥାୟୀ କମିଟିରେ ଥିବା କଂଗ୍ରେସ ସାଂସଦମାନେ ବିରୋଧ କରି ନ ଥିଲେ ବୋଲି ଖବର ପ୍ରକାଶ ପରେ ଦଳ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି ।

ୟୁପିଆଇ ଶୁଳ୍କ ନେଇ କଂଗ୍ରେସ ସାଂସଦଙ୍କ ଆପତ୍ତି । ୟୁପିଆଇ କାରବାର ଉପରେ ଶୁଳ୍କ ଲଗାଇବା ପ୍ରସ୍ତାବକୁ ସଂସଦର ଅର୍ଥ ବ୍ୟାପାର ସ୍ଥାୟୀ କମିଟିରେ ଥିବା କଂଗ୍ରେସ ସାଂସଦମାନେ ବିରୋଧ କରି ନ ଥିଲେ ବୋଲି ଖବର ପ୍ରକାଶ ପରେ ଦଳ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଗୁରୁବାର କହିଛନ୍ତି, ଅଗଷ୍ଟରେ ଅର୍ଥ ବ୍ୟାପାର ସ୍ଥାୟୀ କମିଟିର ବୈଠକ ସମୟରେ ସରକାରଙ୍କ ପକ୍ଷରୁ ୟୁପିଆଇ ଉପରେ ଏବେ ଘୋଷଣା ହୋଇଥିବା ଶୁଳ୍କ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ପ୍ରସ୍ତାବ ଆସିନଥିଲା । ତେଣୁ ଏହାକୁ ସାଂସଦମାନେ ସମର୍ଥନ କରିଥିଲେ ବୋଲି କହିବା ବିଭ୍ରାନ୍ତିକର । ଅଗଷ୍ଟ ୧୨ରେ ବସିଥିବା କମିଟି ବୈଠକରେ କଂଗ୍ରେସର ୫ ସାଂସଦ ଗୌରବ ଗୋଗୋଇ, ପି. ଚିଦମ୍ବରମ୍‌, ମନୀଷ ତିୱାରୀ, କିଶୋରୀ ଲାଲ ଓ କେ. ଗୋପୀନାଥ ଉପସ୍ଥିତ ଥିଲେ । 

ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ କମିଟି ୟୁପିଆଇ କାରବାର ପାଇଁ ପର୍ଯ୍ୟାୟଭିତ୍ତିକ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍‌ ବ୍ୟବସ୍ଥା ଶୀଘ୍ର ଲାଗୁ କରିବାକୁ ସୁପାରିସ କରିଥିଲା । ପ୍ରକାଶିତ ବୈଠକ ବିବରଣୀରେ ଏହି ୫ କଂଗ୍ରେସ ସାଂସଦଙ୍କ କୌଣସି ଅସମ୍ମତି ନଥିବା କୁହାଯାଇଥିଲା । ତେବେ ଗୌରବ ଗୋଗୋଇ କହିଛନ୍ତି, ସେତେବେଳେ ୟୁପିଆଇ ଉପରେ କେତେ ଶୁଳ୍କ ହେବ, କେଉଁ କାରବାରରେ ଲାଗିବ, ସୀମା କେତେ ରହିବ କିମ୍ବା କାହାକୁ ଛାଡ଼ ମିଳିବ ଭଳି ଏବେ ଘୋଷଣା ହୋଇଥିବା ବ୍ୟବସ୍ଥାର କୌଣସି ନିର୍ଦ୍ଦିଷ୍ଟ ପ୍ରସ୍ତାବ କମିଟି ସମ୍ମୁଖରେ ରଖାଯାଇ ନ ଥିଲା ।

କେନ୍ଦ୍ର ସରକାର ମଙ୍ଗଳବାର ଘୋଷଣା କରିଥିବା ନୂଆ ବ୍ୟବସ୍ଥା ଅନୁଯାୟୀ, ଅକ୍ଟୋବର ୧୫ରୁ ୨ ହଜାର ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ମର୍ଚ୍ଚାଣ୍ଟ କାରବାର ଉପରେ ୦.୪ ପ୍ରତିଶତ ଏମ୍‌ଡିଆର୍‌ ଲାଗିବ । ଏହି ଶୁଳ୍କ ଗ୍ରାହକ ନୁହେଁ, ବ୍ୟବସାୟୀ ଦେବେ । ୨ହଜାର ଟଙ୍କା ପର୍ଯ୍ୟନ୍ତ ମର୍ଚ୍ଚାଣ୍ଟ କାରବାର ଓ ବ୍ୟକ୍ତିଗତ ୟୁପିଆଇ ଟଙ୍କା ପଠାଣ ଉପରେ କୌଣସି ଶୁଳ୍କ ରହିବ ନାହିଁ । ୭୫ହଜାର ଟଙ୍କା ବା ତା ଠାରୁ ଅଧିକ କାରବାରରେ ଏହି ଶୁଳ୍କ ସର୍ବାଧିକ ୩୦୦ ଟଙ୍କାରେ ସୀମିତ ରହିବ । କଂଗ୍ରେସ ଏହାକୁ ବିରୋଧ କରିଥିବାବେଳେ ଅର୍ଥ ମନ୍ତ୍ରଣାଳୟ କହିଛି, ୟୁପିଆଇ ଶୁଳ୍କ ନିଷ୍ପତ୍ତି ପଛରେ କୌଣସି ବିଦେଶୀ ପ୍ରଭାବ ନାହିଁ । 

Leave a Reply

Your email address will not be published. Required fields are marked *