ବ୍ରହ୍ମପୁର ଗେଟ୍ ବଜାର ଫ୍ଲାଏଓଭର ନିର୍ମାଣକୁ ନେଇ ଉଠିଲା ପ୍ରଶ୍ନ, ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣିଲେ ସାଂସଦ

 କେବଳ ନିର୍ମାଣର ଗୁଣବତ୍ତା ନୁହେଁ, କାମରେ ବିଳମ୍ବକୁ ନେଇ ମଧ୍ୟ ଚିଠିରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ସାଂସଦ। ଫ୍ଲାଏଓଭର ନିର୍ମାଣ ଯୋଗୁଁ ଧୂଳି ଓ ପ୍ରଦୂଷଣ ବଢ଼ୁଥିବା ବେଳେ ସ୍ଥାନୀୟ ବ୍ୟବସାୟୀମାନେ କ୍ଷତି ସହୁଥିବା ସେ ଉଲ୍ଲେଖ କରିଛନ୍ତି।

 ବ୍ରହ୍ମପୁର ଗେଟ୍ ବଜାର ଫ୍ଲାଏଓଭର ନିର୍ମାଣକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ନେଇ ସନ୍ଦେହ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ। ନିଜ ଦଳର ସାଂସଦଙ୍କ ଚିଠି ପରେ ରାଜନୈତିକ ମହଲରେ ବଢ଼ିଛି ଚର୍ଚ୍ଚା। ପ୍ରାୟ ୧୩୦ କୋଟି ଟଙ୍କାର ଏହି ପ୍ରକଳ୍ପର ଗୁଣବତ୍ତା ଓ ତଦାରଖକୁ ନେଇ ଉଠିଛି ପ୍ରଶ୍ନ।

୨୦୨୫ ମାର୍ଚ୍ଚ ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗେଟ୍‌ ବଜାର ଫ୍ଲାଏଓଭରର ଶିଳାନ୍ୟାସ କରିଥିଲେ। ହେଲେ ନିର୍ମାଣ କାମର ଗୁଣବତ୍ତାକୁ ନେଇ ଏବେ ଉଠିଛି ପ୍ରଶ୍ନ। ଫ୍ଲାଏଓଭର ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ନେଇ ଚିଠିରେ ଦର୍ଶାଇଛନ୍ତି ସାଂସଦ ପ୍ରଦୀପ ପାଣିଗ୍ରାହୀ। ଲୋକଙ୍କ ସୁରକ୍ଷା ସହ ଜଡ଼ିତ ଏହି ପ୍ରକଳ୍ପର ଗୁଣବତ୍ତା ଯାଞ୍ଚ ଓ ତଦାରଖ ଉପରେ ସେ ଚିନ୍ତା ପ୍ରକାଶ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ଦାବି କରିଛନ୍ତି। ସେପଟେ ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତି ଶାସକ ଦଳର ସାଂସଦଙ୍କ ଅଭିଯୋଗକୁ ଗୁରୁତର ସହ ନିଆଯାଉ। ଅପରପକ୍ଷରେ ସାଂସଦ ପ୍ରଦୀପ ପାଣିଗ୍ରାହୀ ଏନେଇ ଆଉ କିଛି କହିବାକୁ ମନା କରିଦେଇଥିଲେ। 

 କେବଳ ନିର୍ମାଣର ଗୁଣବତ୍ତା ନୁହେଁ, କାମରେ ବିଳମ୍ବକୁ ନେଇ ମଧ୍ୟ ଚିଠିରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ସାଂସଦ। ଫ୍ଲାଏଓଭର ନିର୍ମାଣ ଯୋଗୁଁ ଧୂଳି ଓ ପ୍ରଦୂଷଣ ବଢ଼ୁଥିବା ବେଳେ ସ୍ଥାନୀୟ ବ୍ୟବସାୟୀମାନେ କ୍ଷତି ସହୁଥିବା ସେ ଉଲ୍ଲେଖ କରିଛନ୍ତି। ସ୍ଥାନୀୟ ନେତା ଓ ପ୍ରତିନିଧିମାନେ ବାରମ୍ବାର ତ୍ରୁଟି ସମ୍ପର୍କରେ ଜଣାଇଥିଲେ ମଧ୍ୟ ସୁଧାର ଆସୁନଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

 ଫ୍ଲାଏ ଓଭରର ନିମ୍ନମାନର କାମକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବ୍ରହ୍ମପୁର ସାଂସଦ। ଏହାକୁ ଗୁରୁତର ସହ ନେଇ ବିଚାର କରିବାକୁ ଦାବି କରିଛନ୍ତି ପୂର୍ବତନ ସାଂସଦ। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ କ’ଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା। 

Leave a Reply

Your email address will not be published. Required fields are marked *