ନେପାଳରେ ଜଳପ୍ରଳୟର ତାଣ୍ଡବ , ୪୬୯ ମୃତ; ଏବେ ବି ଶତାଧିକ ନିଖୋଜ

ନେପାଳରେ ପ୍ରଳୟଙ୍କରୀ ବନ୍ୟାର ତାଣ୍ଡବ ପରେ ଏବେ ବି ଥମିନି ମୃତ୍ୟୁର କରାଳ ରୂପ । ଦିନ ଗଡ଼ିବା ସହ ବଢ଼ିଚାଲିଛି ମୃତକଙ୍କ ସଂଖ୍ୟା । ପାହାଡ଼ ଓ ମାଟି ତଳୁ ଉଦ୍ଧାର ହେଉଛି ମୃତଦେହ । ନେପାଳ-ତିବ୍ବତ ସୀମା ଅଞ୍ଚଳରେ ଘଟିଥିବା ଏହି ଭୟଙ୍କର ବିପର୍ଯ୍ୟୟରେ ମୃତ୍ୟୁସଂଖ୍ୟା ୪୬୯ରେ ପହଞ୍ଚିଥିବା ରିପୋର୍ଟ ସାମ୍ନାକୁ ଆସିଛି ।

ନେପାଳରେ ପ୍ରଳୟଙ୍କରୀ ବନ୍ୟାର ତାଣ୍ଡବ ପରେ ଏବେ ବି ଥମିନି ମୃତ୍ୟୁର କରାଳ ରୂପ । ଦିନ ଗଡ଼ିବା ସହ ବଢ଼ିଚାଲିଛି ମୃତକଙ୍କ ସଂଖ୍ୟା । ପାହାଡ଼ ଓ ମାଟି ତଳୁ ଉଦ୍ଧାର ହେଉଛି ମୃତଦେହ । ନେପାଳ-ତିବ୍ବତ ସୀମା ଅଞ୍ଚଳରେ ଘଟିଥିବା ଏହି ଭୟଙ୍କର ବିପର୍ଯ୍ୟୟରେ ମୃତ୍ୟୁସଂଖ୍ୟା ୪୬୯ରେ ପହଞ୍ଚିଥିବା ରିପୋର୍ଟ ସାମ୍ନାକୁ ଆସିଛି । ଏହାସହ ବହୁ ସଂଖ୍ୟକ ଲୋକ ଏବେ ବି ନିଖୋଜ ଅଛନ୍ତି । ଫ୍ଲାସ୍‌ ଫ୍ଲଡ୍‌ରେ ଅନେକ ଗାଁ, ରାସ୍ତା ଓ ବ୍ରିଜ୍‌ ଧୋଇଯାଇଛି। ଯୋଗାଯୋଗ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବାରୁ ଅନେକ ଅଞ୍ଚଳରେ ପହଞ୍ଚିବା ମଧ୍ୟ ଉଦ୍ଧାରକାରୀ ଦଳ ପାଇଁ ଚ୍ୟାଲେଞ୍ଜ ହୋଇଛି । ହେଲିକପ୍ଟର ଓ ଅନ୍ୟାନ୍ୟ ଉପାୟରେ ନେପାଳ ସୁରକ୍ଷାବାହିନୀ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି ରଖିଛନ୍ତି । ଏହି ବିପର୍ଯ୍ୟୟରେ ଭାରତ ସମେତ ଅନେକ ଦେଶର ନାଗରିକ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି । ଭାରତୀୟ ବିଦେଶ ମନ୍ତ୍ରଣାଳୟ ଅନୁସାରେ, ୨୮୮ ଜଣ ଭାରତୀୟଙ୍କ ସହ ଏପର୍ଯ୍ୟନ୍ତ ଯୋଗାଯୋଗ ହୋଇପାରିନାହିଁ, ଯେତେବେଳେ ୨୧ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ନିଖୋଜଙ୍କ ମଧ୍ୟରେ କୈଳାସ ମାନସରୋବର ଯାତ୍ରୀ ଓ ପାୱାର୍‌ ପ୍ରୋଜେକ୍ଟରେ କାମ କରୁଥିବା ଭାରତୀୟ ମଧ୍ୟ ଅଛନ୍ତି ।

 ସେପଟେ ଆମେରିକାର ପ୍ରାୟ ୯୦ ଜଣ ନାଗରିକଙ୍କ ପତ୍ତା ମିଳୁନଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଅଧିକାଂଶ ଆମେରିକୀୟ ନାଗରିକ ତିବ୍ବତରେ କୈଳାସ ଯାତ୍ରା ପାଇଁ ଯାଇଥିଲେ। ତିନିଜଣ ଆମେରିକୀୟ ଉଦ୍ଧାର ହୋଇଥିବା ବେଳେ, ଆମେରିକା ପକ୍ଷରୁ ଉଦ୍ଧାର ଓ ସହାୟତା ପାଇଁ ନେପାଳ ସରକାର ସହ ଯୋଗାଯୋଗ ରହିଛି। ସବୁଠାରୁ ବଡ଼ ଚିନ୍ତାର କାରଣ ହେଉଛି, ବନ୍ୟାର ବିପଦ ଏବେ ବି ସମ୍ପୂର୍ଣ୍ଣ ଟଳିନାହିଁ। ବନ୍ୟାରେ ଉପରମୁଣ୍ଡରେ ସୃଷ୍ଟି ହୋଇଥିବା ଏକ ଡେବ୍ରିସ୍‌ ଲେକ୍‌ ବା ବାଧାପ୍ରାପ୍ତ ଜଳାଶୟ ଫାଟିଲେ ପୁଣି ଭୟଙ୍କର ବନ୍ୟା ଆସିବା ଆଶଙ୍କା ରହିଛି। ତେଣୁ ପ୍ରଭାବିତ ଅଞ୍ଚଳରେ ସତର୍କତା ବଢ଼ାଯାଇଛି। ଏବେ ନେପାଳ ସାମ୍ନାରେ ଦୁଇଟି ବଡ଼ ଚ୍ୟାଲେଞ୍ଜ—ନିଖୋଜ ଲୋକଙ୍କୁ ଖୋଜି ବାହାର କରିବା ଏବଂ ଆଗକୁ ଆସିପାରୁଥିବା ଆଉ ଏକ ବନ୍ୟା ବିପଦକୁ ରୋକିବା। ଧ୍ୱଂସସ୍ତୂପ ତଳେ ଜୀବନର ସନ୍ଧାନରେ ଉଦ୍ଧାରକାରୀଙ୍କ ଅଭିଯାନ ଜାରି ରହିଛି।

Leave a Reply

Your email address will not be published. Required fields are marked *