ପିଆଜ ଦରରେ ନିଆଁ! ୨ ଦିନରେ ବଢ଼ିଲା ଦର, ଖାଉଟି ହନ୍ତସନ୍ତ

ଖାଇବା ଥାଳିରୁ ଗାଏବ ହେଉଛି ପିଆଜ । ବଜାରରେ ପିଆଜ ମିଳୁଛି ସତ, ହେଲେ ଦର ଏବେ ଖାଉଟିଙ୍କ ଚିନ୍ତା ବଢ଼ାଇଛି । କେଉଁଠି ପିଆଜରେ ଚିହ୍ନ ଲାଗିଛି ତ କେଉଁଠି ଚୋପା ଲାଗିଥିବା ନିମ୍ନମାନର ପିଆଜ ବିକ୍ରି ହେଉଥିବା ଅଭିଯୋଗ ଆସିଛି ।

ଖାଇବା ଥାଳିରୁ ଗାଏବ ହେଉଛି ପିଆଜ । ବଜାରରେ ପିଆଜ ମିଳୁଛି ସତ, ହେଲେ ଦର ଏବେ ଖାଉଟିଙ୍କ ଚିନ୍ତା ବଢ଼ାଇଛି । କେଉଁଠି ପିଆଜରେ ଚିହ୍ନ ଲାଗିଛି ତ କେଉଁଠି ଚୋପା ଲାଗିଥିବା ନିମ୍ନମାନର ପିଆଜ ବିକ୍ରି ହେଉଥିବା ଅଭିଯୋଗ ଆସିଛି । ସ୍ଥିତି ଏପରି ଯେ, ପିଆଜ ଦର ଏବେ କେଜି ପିଛା ୫୦ ଟଙ୍କା ଟପିଛି । ଗୃହିଣୀଙ୍କ କହିବା କଥା, ଦୁଇ ଦିନ ତଳେ ଯେଉଁ ପିଆଜ ୩ କିଲୋକୁ ୧୦୦ ଟଙ୍କାରେ ମିଳୁଥିଲା, ଏବେ ସେହି ପିଆଜ ପାଇଁ କେଜି ପିଛା ପ୍ରାୟ ୫୦ ଟଙ୍କା ଗଣିବାକୁ ପଡ଼ୁଛି । ଅର୍ଥାତ୍‌, ଅଳ୍ପ କିଛି ଦିନରେ ଦରରେ ବଡ଼ ପରିବର୍ତ୍ତନ ।

ପିଆଜ ଦର ବୃଦ୍ଧିକୁ ନେଇ ଗୃହିଣୀଙ୍କ ଚିନ୍ତା ବଢ଼ିଥିବା ବେଳେ ବ୍ୟବସାୟୀ ସିଧାସଳଖ ସରକାରଙ୍କୁ ଦାୟୀ କରିଛନ୍ତି । ସେମାନଙ୍କ ଅଭିଯୋଗ, ସରକାରଙ୍କ ଦୂରଦୃଷ୍ଟି ଅଭାବ ଯୋଗୁଁ ଏଭଳି ଦରବୃଦ୍ଧି ସ୍ଥିତି ସୃଷ୍ଟି ହୋଇଛି । କେବଳ ଦରବୃଦ୍ଧି ନୁହେଁ, ପିଆଜ କଳାବଜାରୀ ଏବଂ ଭଲ ପିଆଜ ଦରରେ ନିମ୍ନମାନର ପିଆଜ ବିକ୍ରି ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ଏହାପରେ ଏବେ ଆକ୍ସନ ମୋଡ୍‌କୁ ଆସିଛି ଯୋଗାଣ ବିଭାଗ ।

ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନେତୃତ୍ୱରେ ୪ଟି ଟିମ୍‌ ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ, ବୋଲଗଡ଼ ଓ ବେଗୁନିଆର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛନ୍ତି । ପିଆଜର ଦର, ମହଜୁଦ ଓ ବିକ୍ରି ବ୍ୟବସ୍ଥା ଉପରେ ଯାଞ୍ଚ କରାଯାଉଛି । ଅନ୍ୟପଟେ, ପିଆଜ ଦର ବୃଦ୍ଧିକୁ ନେଇ ବିରୋଧୀ ମଧ୍ୟ ସରକାରଙ୍କୁ ଘେରିଛନ୍ତି । ଏହାକୁ ସରକାରଙ୍କ ବିଫଳତା ବୋଲି ଅଭିଯୋଗ କରିବା ସହ ଦୂରଦୃଷ୍ଟି ଅଭାବ ଯୋଗୁଁ ଦର ବଢ଼ିଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *