ଦିନେ ଯେଉଁ ଅଞ୍ଚଳରେ ମାଓବାଦୀଙ୍କ ନାଲିଆଖିରେ ଚାଲୁଥିଲା ଶାସନ । ଭୟ ଓ ଆତଙ୍କରେ ଜୀବନ ବିତାଉଥିଲେ ଲୋକେ । ଏବେ ସେହି ଅଞ୍ଚଳ ମାଓମୁକ୍ତ ହୋଇଛି । ଗାଁକୁ ରାସ୍ତା ଖୋଲିଛି, ଯାତାୟାତ ସୁବିଧା ବଢ଼ିଛି ।
ଦିନେ ଯେଉଁ ଅଞ୍ଚଳରେ ମାଓବାଦୀଙ୍କ ନାଲିଆଖିରେ ଚାଲୁଥିଲା ଶାସନ । ଭୟ ଓ ଆତଙ୍କରେ ଜୀବନ ବିତାଉଥିଲେ ଲୋକେ । ଏବେ ସେହି ଅଞ୍ଚଳ ମାଓମୁକ୍ତ ହୋଇଛି । ଗାଁକୁ ରାସ୍ତା ଖୋଲିଛି, ଯାତାୟାତ ସୁବିଧା ବଢ଼ିଛି । ହେଲେ ଏବେ ବି ମୌଳିକ ସୁବିଧା ଅପହଞ୍ଚ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଟେମୃପାଲି ପଞ୍ଚାୟତର ଚିଙ୍ଗିଡିକୁଣ୍ଡ ଗାଁ ମାଓବାଦୀଙ୍କ ଆତଙ୍କରୁ ମୁକ୍ତ ହେବା ପରେ ଗାଁରେ ବିକାଶର ଆଶା ଦେଖାଦେଇଥିଲା । କିନ୍ତୁ ଆଜି ବି ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ହୋଇପାରିନାହିଁ । ଗାଁରେ ବିଦ୍ୟୁତ ଆଲୋକ ନାହିଁ । ସନ୍ଧ୍ୟା ହେଲେ ଅନ୍ଧାରରେ ବୁଡ଼ିଯାଉଛି ପୂରା ଗାଁ । ଲୋକଙ୍କ ପାଇଁ ଲଗାଯାଇଥିବା ସୋଲାର ପାଣିଟାଙ୍କି ମଧ୍ୟ ଅଚଳ । ଫଳରେ ପାନୀୟ ଜଳ ପାଇଁ ଲୋକଙ୍କୁ ହନ୍ତସନ୍ତ ହେବାକୁ ପଡ଼ୁଛି । କେବଳ ପାଣି ନୁହେଁ, ଆବାସ ଘର ମଧ୍ୟ ଏଠାକାର ଲୋକଙ୍କ ପାଇଁ ଏବେ ବି ସ୍ୱପ୍ନ ।
ଗାଁର କୌଣସି ପରିବାରକୁ ଆଜି ଯାଏଁ ଆବାସ ଘର ମିଳିନଥିବା ଅଭିଯୋଗ ହୋଇଛି । ବର୍ଷା, ଖରା ଓ ଅନ୍ୟ ପ୍ରତିକୂଳ ପରିସ୍ଥିତିରେ ଅସୁରକ୍ଷିତ ଘରେ ଜୀବନ କାଟୁଛନ୍ତି ଲୋକେ । ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ମୌଳିକ ସେବା ମଧ୍ୟ ଏଠାରେ ପର୍ଯ୍ୟାପ୍ତ ନୁହେଁ । ଗାଁର ଲୋକେ ବାରମ୍ବାର ପ୍ରଶାସନ ନିକଟରେ ନିଜ ସମସ୍ୟା ଜଣାଇଛନ୍ତି । ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି । ହେଲେ ଅଭିଯୋଗ ଅନୁସାରେ, ଏଯାଏଁ ସେମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ । ଯେଉଁ ଅଞ୍ଚଳ ଦିନେ ମାଓବାଦୀଙ୍କ ଭୟରେ ଥରହର ହେଉଥିଲା, ଆଜି ସେଠାରେ ଶାନ୍ତି ଫେରିଛି । କିନ୍ତୁ ଶାନ୍ତି ଫେରିବା ପରେ ବିକାଶର ଆଲୋକ କେବେ ପହଞ୍ଚିବ—ସେଇ ଅପେକ୍ଷାରେ ଚିଙ୍ଗିଡିକୁଣ୍ଡ ଗାଁବାସୀ । ମାଓବାଦୀଙ୍କ ନାଲିଆଖିରୁ ମୁକ୍ତି ମିଳିଛି, ରାସ୍ତା ବି ଖୋଲିଛି । ହେଲେ ପାଣି, ବିଜୁଳି, ଆବାସ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ଅଧିକାର କେବେ ମିଳିବ—ଏବେ ସେଇ ପ୍ରଶ୍ନ ଉଠାଇଛନ୍ତି ଗାଁବାସୀ ।

