ଚନ୍ଦ୍ର ପୃଷ୍ଠରେ ରକେଟ୍ ଧକ୍କାର ଚିହ୍ନ । ମହାକାଶରୁ ନାସା କ୍ୟାମେରାରେ କଏଦ ହୋଇଛି ଚନ୍ଦ୍ରର ଏକ ନୂଆ ଗର୍ତ୍ତର ଚିତ୍ର । ଚଳିତ ମାସ ଆରମ୍ଭରେ ଏକ ସ୍ପେସ୍ଏକ୍ସ ଫାଲକନ୍ ୯ ରକେଟ୍ ଚନ୍ଦ୍ର ପୃଷ୍ଠରେ କ୍ରାସ୍ ଲ୍ୟାଣ୍ଡିଂ କରିବା ପରେ ଏହି ଗର୍ତ୍ତ ସୃଷ୍ଟି ହୋଇଥିବା ଜଣାପଡ଼ିଛି ।
ଚନ୍ଦ୍ର ପୃଷ୍ଠରେ ରକେଟ୍ ଧକ୍କାର ଚିହ୍ନ । ମହାକାଶରୁ ନାସା କ୍ୟାମେରାରେ କଏଦ ହୋଇଛି ଚନ୍ଦ୍ରର ଏକ ନୂଆ ଗର୍ତ୍ତର ଚିତ୍ର । ଚଳିତ ମାସ ଆରମ୍ଭରେ ଏକ ସ୍ପେସ୍ଏକ୍ସ ଫାଲକନ୍ ୯ ରକେଟ୍ ଚନ୍ଦ୍ର ପୃଷ୍ଠରେ କ୍ରାସ୍ ଲ୍ୟାଣ୍ଡିଂ କରିବା ପରେ ଏହି ଗର୍ତ୍ତ ସୃଷ୍ଟି ହୋଇଥିବା ଜଣାପଡ଼ିଛି । ନାସାର ଲୁନାର ରିକୋନାଇସାନ୍ସ ଅର୍ବିଟର ଅଗଷ୍ଟ ୧୧ ଓ ୧୨ ତାରିଖ ମଧ୍ୟରେ ଏହି ଚିତ୍ର ଉତ୍ତୋଳନ କରିଥିଲା । ଅଗଷ୍ଟ ୫ ତାରିଖରେ ଫାଲକନ୍ ୯ ରକେଟ୍ର ଚନ୍ଦ୍ରରେ ଧକ୍କା ପରେ ପୃଷ୍ଠରେ ରହିଥିବା ଚିହ୍ନ ଏଥିରେ ସ୍ପଷ୍ଟ ଭାବେ ଦେଖାଯାଇଛି ।
ବୈଜ୍ଞାନିକଙ୍କ ଆକଳନ ଅନୁସାରେ, ଏହି ଗର୍ତ୍ତ ପ୍ରାୟ ୬୦ ଫୁଟ୍ ଚଉଡ଼ା ଏବଂ ୧୦ ଫୁଟ୍ରୁ କମ୍ ଗଭୀର । ରକେଟ୍ଟି ଜାନୁଆରୀ ୨୦୨୫ରେ ଫାୟାରଫ୍ଲାଇ ଏରୋସ୍ପେସ୍ର ‘ବ୍ଲୁ ଘୋଷ୍ଟ-୧’ ଚନ୍ଦ୍ର ଲ୍ୟାଣ୍ଡର ସହ ଲଞ୍ଚ୍ ହୋଇଥିଲା । ଏହି ଲ୍ୟାଣ୍ଡର ପରେ ଚନ୍ଦ୍ରରେ ସଫଳ ସଫ୍ଟ ଲ୍ୟାଣ୍ଡିଂ କରିଥିଲା ।
ତେବେ ପ୍ରାୟ ୬୦ ମାଇଲ୍ ଉଚ୍ଚତାରୁ ଏହି ଗର୍ତ୍ତର ଫଟୋ ଉଠାଇବା ନାସା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ବିଭିନ୍ନ କୋଣରୁ ନିଆଯାଇଥିବା ଚିତ୍ରରେ ଗର୍ତ୍ତ ଚାରିପାଖରେ ଧୂଳି ଓ ପଥରର ଚିହ୍ନ ମଧ୍ୟ ଦେଖାଯାଇଛି । ରକେଟ୍ର ଗତିପଥ ଆକଳନ କରିବାରେ ନାସାର ନିକଟ-ପୃଥିବୀ ଅବଜେକ୍ଟ ଷ୍ଟଡିଜ୍ ସେଣ୍ଟର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିଲା । ଚନ୍ଦ୍ରରେ ରକେଟ୍ ଧକ୍କାର ଏହି ନୂଆ ଚିହ୍ନ ମହାକାଶ ଅନୁସନ୍ଧାନ ପାଇଁ ଏବେ ବୈଜ୍ଞାନିକଙ୍କ ଆଗ୍ରହର କେନ୍ଦ୍ର ପାଲଟିଛି ।

