ଛାତ୍ର ଆନ୍ଦୋଳନ ପରେ ଆକ୍ସନ୍ରେ ଯୋଗୀ ସରକାର। ଏଣିକି ଉତ୍ତରପ୍ରଦେଶରେ ସମୟବଦ୍ଧ ହେବ ସରକାରୀ ଚାକିରି ନିଯୁକ୍ତି ପ୍ରକ୍ରିୟା ।
ଛାତ୍ର ଆନ୍ଦୋଳନ ପରେ ଆକ୍ସନ୍ରେ ଯୋଗୀ ସରକାର। ଏଣିକି ଉତ୍ତରପ୍ରଦେଶରେ ସମୟବଦ୍ଧ ହେବ ସରକାରୀ ଚାକିରି ନିଯୁକ୍ତି ପ୍ରକ୍ରିୟା । ଦୀର୍ଘଦିନ ଧରି ନିଯୁକ୍ତି ପରୀକ୍ଷାରେ ବିଳମ୍ବ ଏବଂ ପ୍ରକ୍ରିୟା ଲମ୍ବା ହେଉଥିବାକୁ ନେଇ ଛାତ୍ରମାନେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ, ଏବେ ସରକାର ଭର୍ତ୍ତି ପ୍ରକ୍ରିୟାକୁ ଏକ ନିର୍ଦ୍ଦିଷ୍ଟ ସମୟସୀମାରେ ଶେଷ କରିବା ଦିଗରେ ପଦକ୍ଷେପ ନେଉଛନ୍ତି । ସରକାରଙ୍କ ଯୋଜନା ଅନୁସାରେ, ସରକାରୀ ନିଯୁକ୍ତି ପାଇଁ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ । କେଉଁ ପଦବୀ ପାଇଁ କେବେ ବିଜ୍ଞପ୍ତି ପ୍ରକାଶ ପାଇବ, କେବେ ପରୀକ୍ଷା ହେବ ଏବଂ କେବେ ନିଯୁକ୍ତି ପ୍ରକ୍ରିୟା ସରିବ—ଏସବୁକୁ କ୍ୟାଲେଣ୍ଡର ଅନୁସାରେ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଉଛି ।
ଏହାର ଉଦ୍ଦେଶ୍ୟ ହେଉଛି ନିଯୁକ୍ତି ପରୀକ୍ଷାରେ ଅନିଶ୍ଚିତତା ଏବଂ ଅଯଥା ବିଳମ୍ବକୁ ଦୂର କରିବା । ଉତ୍ତରପ୍ରଦେଶର ବିଭିନ୍ନ ନିଯୁକ୍ତି ସଂସ୍ଥା ନିଜ ନିଜ ପରୀକ୍ଷା ଓ ଭର୍ତ୍ତି ପ୍ରକ୍ରିୟା ପାଇଁ ଯୋଜନାବଦ୍ଧ ଭାବେ ସମୟସୂଚୀ ପ୍ରସ୍ତୁତ କରିବେ । ଏହା ଫଳରେ ଚାକିରି ଆଶାୟୀଙ୍କୁ ଆଗୁଆ ସୂଚନା ମିଳିବ ଏବଂ ସେମାନେ ନିଜ ପ୍ରସ୍ତୁତିକୁ ସେହି ଅନୁସାରେ ଗଢ଼ିପାରିବେ । ଏପଟେ ଉତ୍ତରପ୍ରଦେଶ ଅଧୀନସ୍ଥ ସେବା ଚୟନ ଆୟୋଗ UPSSSC ପକ୍ଷରୁ ୨୦୨୬ ପାଇଁ ପରୀକ୍ଷା କ୍ୟାଲେଣ୍ଡର ପ୍ରକାଶ ପାଇସାରିଛି । ଏଥିରେ ବର୍ଷସାରା ବିଭିନ୍ନ ନିଯୁକ୍ତି ପରୀକ୍ଷା, ଶାରୀରିକ ପରୀକ୍ଷା, ସ୍କିଲ୍ ଟେଷ୍ଟ ଓ ଇଣ୍ଟରଭ୍ୟୁ ସମ୍ପର୍କିତ ସମୟସୂଚୀ ରହିଛି । ଛାତ୍ର ଓ ଚାକିରି ଆଶାୟୀଙ୍କ ଦାବି ପରେ ଏହି ପଦକ୍ଷେପକୁ ସରକାରଙ୍କ ବଡ଼ ପ୍ରତିକ୍ରିୟା ଭାବେ ଦେଖାଯାଉଛି । ଏଣିକି ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ହେଲେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ ସମୟସୀମା ମଧ୍ୟରେ ପରୀକ୍ଷାରୁ ନିଯୁକ୍ତି ପର୍ଯ୍ୟନ୍ତ ପ୍ରକ୍ରିୟା ଶେଷ କରିବା ଉପରେ ସରକାର ଫୋକସ୍ କରୁଛନ୍ତି । ତେବେ ନୂଆ ବ୍ୟବସ୍ଥା କେତେ ଶୀଘ୍ର ଲାଗୁ ହେବ ଏବଂ ଚାକିରି ଆଶାୟୀଙ୍କୁ ଏହାର କେତେ ଫାଇଦା ମିଳିବ—ସେଥିପାଇଁ ଆଗାମୀ ସରକାରୀ ଘୋଷଣା ଉପରେ ନଜର ରହିଛି ।

