ଆଇପିଏଲ୍‌ ୨୦୨୭ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ନୂଆ କୋଚିଂ ଟିମ୍‌, ପୋଲାର୍ଡଙ୍କ ସହ ଯୋଡ଼ିହେଲେ ଏହି ୪ ଅଭିଜ୍ଞ

ଅକ୍ଟୋବର ୩୦ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏନେଇ ଆନୁଷ୍ଠାନିକ ଘୋଷଣା କରାଯାଇଛି। ପୂର୍ବତନ ଭାରତୀୟ କ୍ରିକେଟର୍‌ ରବିନ୍‌ ଉଥାପ୍ପାଙ୍କୁ ବ୍ୟାଟିଂ କୋଚ୍‌ ନିଯୁକ୍ତ କରାଯାଇଥିବା ବେଳେ ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର୍‌ ମିଚେଲ୍‌ ମ୍ୟାକ୍‌କ୍ଲେନାଘନ୍‌ଙ୍କୁ ବୋଲିଂ କୋଚ୍‌ ଦାୟିତ୍ୱ ମିଳିଛି।

ଆଇପିଏଲ୍‌ ୨୦୨୭ ପୂର୍ବରୁ ବଡ଼ ପରିବର୍ତ୍ତନ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଆଗାମୀ ସିଜିନ୍‌ରେ ଦଳକୁ ପୁଣିଥରେ ଚାମ୍ପିଅନ୍‌ କରିବା ଲକ୍ଷ୍ୟରେ ନୂଆ କୋଚିଂ ଟିମ୍‌ ଘୋଷଣା କରିଛି ଫ୍ରାଞ୍ଚାଇଜ୍‌। ମୁଖ୍ୟ କୋଚ୍‌ କିରନ୍‌ ପୋଲାର୍ଡଙ୍କ ସହ ଏବେ ଯୋଡ଼ିହୋଇଛନ୍ତି ଆଉ ୪ ଜଣ ଅଭିଜ୍ଞ କ୍ରିକେଟ୍‌ ବ୍ୟକ୍ତିତ୍ୱ। ରବିନ୍‌ ଉଥାପ୍ପା, ମିଚେଲ୍‌ ମ୍ୟାକ୍‌କ୍ଲେନାଘନ୍‌, ଟି. ଦିଲୀପ ଏବଂ ଧୱଲ କୁଲକର୍ଣ୍ଣିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି।

ଅକ୍ଟୋବର ୩୦ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏନେଇ ଆନୁଷ୍ଠାନିକ ଘୋଷଣା କରାଯାଇଛି। ପୂର୍ବତନ ଭାରତୀୟ କ୍ରିକେଟର୍‌ ରବିନ୍‌ ଉଥାପ୍ପାଙ୍କୁ ବ୍ୟାଟିଂ କୋଚ୍‌ ନିଯୁକ୍ତ କରାଯାଇଥିବା ବେଳେ ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର୍‌ ମିଚେଲ୍‌ ମ୍ୟାକ୍‌କ୍ଲେନାଘନ୍‌ଙ୍କୁ ବୋଲିଂ କୋଚ୍‌ ଦାୟିତ୍ୱ ମିଳିଛି। ସେହିପରି ଟି. ଦିଲୀପ ଫିଲ୍ଡିଂ କୋଚ୍‌ ଏବଂ ଧୱଲ କୁଲକର୍ଣ୍ଣି ଡେଭଲପମେଣ୍ଟ ବୋଲିଂ କୋଚ୍‌ ଭାବେ କାର୍ଯ୍ୟ କରିବେ।

୨୦୦୭ ଟି-୨୦ ବିଶ୍ୱକପ୍‌ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ ରବିନ୍‌ ଉଥାପ୍ପା। ସେ ୨୦୦୮ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ। ଏବେ ପୁଣିଥରେ ପୁରୁଣା ଦଳକୁ ଫେରି ବ୍ୟାଟର୍‌ମାନଙ୍କ ଦକ୍ଷତା ବୃଦ୍ଧି ଏବଂ ଟି-୨୦ ରଣନୀତି ଉପରେ କାମ କରିବେ।

ଅନ୍ୟପଟେ ମିଚେଲ୍‌ ମ୍ୟାକ୍‌କ୍ଲେନାଘନ୍‌ ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ମୁମ୍ବାଇ ପାଇଁ ଖେଳିଥିଲେ। ଏହି ସମୟରେ ସେ ଦଳ ସହ ୪ ଥର ଆଇପିଏଲ୍‌ ଟ୍ରଫି ଜିତିଛନ୍ତି। ତାଙ୍କ ଆକ୍ରମଣାତ୍ମକ ବୋଲିଂ ଅଭିଜ୍ଞତା ଦଳ ପାଇଁ ବେଶ୍‌ ଉପଯୋଗୀ ହେବ ବୋଲି ଆଶା କରାଯାଉଛି। ସବୁଠୁ ଚର୍ଚ୍ଚାର ବିଷୟ ହେଉଛି ଟି. ଦିଲୀପଙ୍କ ନିଯୁକ୍ତି। ଭାରତୀୟ କ୍ରିକେଟ୍‌ ଦଳର ଫିଲ୍ଡିଂ କୋଚ୍‌ ଭାବେ ସେ ବେଶ୍‌ ସଫଳତା ପାଇଛନ୍ତି। ୨୦୨୪ ଓ ୨୦୨୬ ଟି-୨୦ ବିଶ୍ୱକପ୍‌ ସହ ୨୦୨୫ ଚାମ୍ପିଅନ୍ସ ଟ୍ରଫି ବିଜୟ ସମୟରେ ସେ ଭାରତୀୟ କୋଚିଂ ଟିମ୍‌ର ସଦସ୍ୟ ଥିଲେ।

ସେହିପରି ଦୁଇଥର ଆଇପିଏଲ୍‌ ଚାମ୍ପିଅନ୍‌ ହୋଇଥିବା ଧୱଲ କୁଲକର୍ଣ୍ଣିଙ୍କୁ ଯୁବ ବୋଲର୍‌ମାନଙ୍କୁ ପ୍ରସ୍ତୁତ କରିବାର ଦାୟିତ୍ୱ ମିଳିଛି। ବିଶେଷକରି ଭାରତୀୟ ଯୁବ ପ୍ରତିଭାଙ୍କ ବିକାଶ ପାଇଁ ସେ ବର୍ଷସାରା କାମ କରିବେ। ମୁମ୍ବାଇ ଇଣ୍ଡିଆନ୍ସ ସହ ଦୀର୍ଘ ୧୬ ବର୍ଷର ସମ୍ପର୍କ ରଖିଥିବା କିରନ୍‌ ପୋଲାର୍ଡଙ୍କ ନେତୃତ୍ୱରେ ଏହି ନୂଆ କୋଚିଂ ଟିମ୍‌ କାମ କରିବ। ତେବେ ଏହି ଅଭିଜ୍ଞ କୋଚିଂ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ୨୦୨୭ରେ ପୁଣି ଆଇପିଏଲ୍‌ ଟ୍ରଫି ଜିତାଇପାରୁଛି କି ନାହିଁ, ତାହା ଉପରେ ରହିବ କ୍ରିକେଟ୍‌ପ୍ରେମୀଙ୍କ ନଜର।

Leave a Reply

Your email address will not be published. Required fields are marked *