କୋରିଆ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳିମାନେ ଦମ୍ଦାର ଆରମ୍ଭ କରିଛନ୍ତି। ମହିଳା ଏକକରେ ୧୭ ବର୍ଷୀୟା ତନ୍ବୀ ଶର୍ମା ପ୍ରଥମ ରାଉଣ୍ଡରେ ଚୀନ୍ର ୟୁଆନ ଆନ୍ କ୍ବିଙ୍କୁ ସିଧାସଳଖ ଗେମ୍ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡକୁ ପ୍ରବେଶ କରିଛନ୍ତି।
ଚଳିତ କୋରିଆ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ୧୭ ବର୍ଷୀୟା ଉଦୀୟମାନ ଖେଳାଳି ତନ୍ଭୀ ଶର୍ମା ଚମତ୍କାର ବିଜୟ ସହ ଆରମ୍ଭ କରିଛନ୍ତି । ମହିଳା ଏକକ ପ୍ରଥମ ରାଉଣ୍ଡ ମ୍ୟାଚ୍ରେ ତାଇପେଇ ଓପନ୍ ବିଜୟିନୀ ତଥା ଟୁର୍ଣ୍ଣାମେଣ୍ଟର ତୃତୀୟ ମାନ୍ୟତାପ୍ରାପ୍ତ ତନ୍ଭୀ ସୀଧାସଳଖ ୨୧-୧୬, ୨୧-୧୫ ସେଟ୍ରେ ଚୀନ୍ର ୟୁଆନ ଆନ୍ କ୍ବିଙ୍କୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି ।
ପରବର୍ତ୍ତୀ (ଦ୍ୱିତୀୟ) ରାଉଣ୍ଡରେ ତନ୍ଭୀ ନିଜ ଦେଶ ଭାରତର ଶ୍ରୀୟାଂଶୀ ଭାଲିସେଟ୍ଟୀଙ୍କୁ ଭେଟିବେ । ଶ୍ରୀୟାଂଶୀ ମଧ୍ୟ ପ୍ରଥମ ରାଉଣ୍ଡରେ ଦମ୍ଦାର ପ୍ରଦର୍ଶନ କରି ୨୧-୧୫, ୨୧-୧୪ ଗେମ୍ରେ ଚାଇନିଜ୍ ତାଇପେଇର ପାଇ ୟୁ-ପୋଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଫଳରେ ଦ୍ୱିତୀୟ ରାଉଣ୍ଡରେ ଦୁଇ ଭାରତୀୟ ଖେଳାଳିଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ ।
ଅନ୍ୟପଟେ ପୁରୁଷ ଯୁଗଳ ବର୍ଗରେ ଭାରତର ପୃଥ୍ବୀ କ୍ରୀଷ୍ଣାମୂର୍ତ୍ତି ରୟ ଓ କ୍ରୀଷ୍ଣା ପ୍ରସାଦ ଗରାଜା ପ୍ରଥମ ରାଉଣ୍ଡରେ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ଏହି ଭାରତୀୟ ଯୋଡ଼ି ୨୧-୧୬, ୨୧-୧୮ ସେଟ୍ରେ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ମାନ୍ୟତାପ୍ରାପ୍ତ ଥାଇଲାଣ୍ଡର ଶକ୍ତିଶାଳୀ ଯୋଡ଼ି ଓରାପୋଲ ଥୋଙ୍ଗସା-ଙ୍ଗା ଓ ଚାଲୋଇମ୍ପନ ଚାରୋଇଏଙ୍କିତାମୋର୍ନଙ୍କୁ ପରାସ୍ତ କରି ଆଗାମୀ ରାଉଣ୍ଡରେ ନିଜ ସ୍ଥାନ ପକ୍କା କରିଛନ୍ତି ।

