ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଆସନ୍ତା ସେପ୍ଟେମ୍ବରରେ ଶେଷ ହେବ। ବିସିସିଆଇ ତାଙ୍କ କାର୍ଯ୍ୟକାଳ ବଢ଼ାଇବା ସପକ୍ଷରେ ନଥିବା ବେଳେ ତାଙ୍କ ସ୍ଥାନରେ ପୂର୍ବତନ ଭାରତୀୟ ବ୍ୟାଟର୍ ତଥା ଜାତୀୟ କ୍ରିକେଟ୍ ଉତ୍କର୍ଷ କେନ୍ଦ୍ର (CoE)ର ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣଙ୍କୁ ନିଯୁକ୍ତି ଦେବା ନେଇ ଚର୍ଚ୍ଚା ଚାଲିଛି।
ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଆସନ୍ତା ସେପ୍ଟେମ୍ବର ମାସରେ ଶେଷ ହେବାକୁ ଯାଉଛି । ବିସିସିଆଇ (BCCI) ଏହି କାର୍ଯ୍ୟକାଳକୁ ଆଉ ବଢ଼ାଇବା ସପକ୍ଷରେ ନାହିଁ । ତାଙ୍କ ସ୍ଥାନରେ ଜାତୀୟ କ୍ରିକେଟ୍ ଉତ୍କର୍ଷ କେନ୍ଦ୍ର (CoE)ର ମୁଖ୍ୟ ତଥା ପୂର୍ବତନ ମହାନ ବ୍ୟାଟର୍ ଭିଭିଏସ୍ ଲକ୍ଷ୍ମଣଙ୍କୁ ନୂଆ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତି ଦିଆଯିବାର ବଳିଷ୍ଠ ସମ୍ଭାବନା ରହିଛି । ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା ବିସିସିଆଇ ବାର୍ଷିକ ସାଧାରଣ ବୈଠକ (AGM)ରେ ଏହି ନିଷ୍ପତ୍ତି ଚୂଡ଼ାନ୍ତ ହୋଇପାରେ ।
ପ୍ରକୃତରେ ଅଗରକରଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଜୁନ୍ରେ ଶେଷ ହୋଇଥିଲେ ମଧ୍ୟ ବିସିସିଆଇ ତାଙ୍କୁ ୩ ମାସର ଏକ୍ସଟେନ୍ସନ୍ ଦେଇଥିଲା । ଗୌତମ ଗମ୍ଭୀରଙ୍କ ସହ ଉତ୍ତମ ସମ୍ପର୍କ ହେତୁ ସେ ୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ରହିବାକୁ ଆଶା ରଖିଥିଲେ । ତେବେ ଗତ ମାସରେ ଇଂଲଣ୍ଡ ଦିନିକିଆ ଶୃଙ୍ଖଳା ବେଳେ ରୋହିତ ଶର୍ମାଙ୍କ ଅବସରକୁ ନେଇ ସୃଷ୍ଟି ହୋଇଥିବା ଗୁଜବ ଓ ବିବାଦ ଅଗରକରଙ୍କ ବିଦାୟର ବାଟ ଫିଟାଇଥିଲା । ବିସିସିଆଇ ଅଧ୍ୟକ୍ଷ ଦେବଜିତ ସାଇକିଆ ଏଥିରେ ହସ୍ତକ୍ଷେପ କରି ସ୍ପଷ୍ଟ କରିଥିଲେ ଯେ ରୋହିତ ଦଳୀୟ ଯୋଜନାରେ ଅଛନ୍ତି ।
ଅଗରକରଙ୍କ ସ୍ଥାନରେ ଲକ୍ଷ୍ମଣଙ୍କୁ ଆଣିବା ପଛରେ ବିସିସିଆଇର ବଡ଼ ରଣନୀତି ରହିଛି । ଲକ୍ଷ୍ମଣଙ୍କ ଆଗମନ ଦ୍ୱାରା ଦୁଇ ବରିଷ୍ଠ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରତି ଚୟନ କମିଟିର ମନୋଭାବ ସକାରାତ୍ମକ ରହିବ । ୨୦୨୧ରୁ ସିଇଓ ମୁଖ୍ୟ ରହିଥିବା ଲକ୍ଷ୍ମଣ ବିଭିନ୍ନ ସମୟରେ ଭାରତୀୟ ଦଳର ଅସ୍ଥାୟୀ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇଛନ୍ତି, ଯାହାଙ୍କ ନିର୍ଦ୍ଦେଶନାରେ ନିକଟରେ ଭାରତ ଜିମ୍ବାୱେରେ ୩-୦ରେ ଟ୍ୱେଣ୍ଟି-୨୦ ଶୃଙ୍ଖଳା ଜିତିଥିଲା । ଆଗାମୀ ଏସୀୟ କ୍ରୀଡ଼ାରେ ମଧ୍ୟ ସେ ଦଳର ପ୍ରଶିକ୍ଷଣ ଦାୟିତ୍ୱରେ ରହିବେ ।
ସୂଚନାଯୋଗ୍ୟ ଯେ, ୨୦୨୩ ଅକ୍ଟୋବରରୁ ଅଗରକରଙ୍କ ନେତୃତ୍ୱରେ ଚୟନ ହୋଇଥିବା ଭାରତୀୟ ଦଳ ୪ଟି ଆଇସିସି ଫାଇନାଲ୍ରେ ପହଞ୍ଚିବା ସହ ୩ଟି ଟ୍ରଫି (୨ଟି T20 ବିଶ୍ୱକପ୍ ଓ ୧ଟି ଚାମ୍ପିଅନ୍ସ ଟ୍ରଫି) ଜିତିବାରେ ସଫଳ ହୋଇଛି । ତେବେ ତାଙ୍କ କାର୍ଯ୍ୟକାଳ ସମୟରେ ରୋହିତ ଓ ବିରାଟ ଟେଷ୍ଟ୍ କ୍ରିକେଟ୍ରୁ ଅବସର ନେଇଥିବା ବେଳେ ବରିଷ୍ଠ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ କ୍ରମାଗତ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍ରେ ସୁଯୋଗ ନମିଳିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା ।

