ଜାତୀୟ କନିଷ୍ଠ ପୁରୁଷ ହକି ପ୍ରତିଯୋଗିତାରେ ଓଡ଼ିଶା ଦଳ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲ୍ରେ ପ୍ରବେଶ କରିଛି । କ୍ୱାର୍ଟରଫାଇନାଲ୍ରେ ଅପରାଜେୟ ଓଡ଼ିଶା ୫-୧ ଗୋଲ୍ରେ ହରିୟାଣାକୁ ପରାସ୍ତ କରିଛି ।
ଜାତୀୟ କନିଷ୍ଠ ପୁରୁଷ ହକି ପ୍ରତିଯୋଗିତାରେ ଓଡ଼ିଶାର ବିଜୟ ଅଭିଯାନ ଜାରି ରହିଛି । ବୁଧବାର ଖେଳାଯାଇଥିବା ହାଇଭୋଲ୍ଟେଜ୍ କ୍ୱାର୍ଟରଫାଇନାଲ୍ ମ୍ୟାଚ୍ରେ ଲିଗ୍ ପର୍ଯ୍ୟାୟରେ ଅପରାଜେୟ ଥିବା ଓଡ଼ିଶା ଦଳ ୫-୧ ଗୋଲ୍ର ବୃହତ୍ ବ୍ୟବଧାନରେ ହରିୟାଣାକୁ ଧୂଳିସାଟ୍ କରି ସେମିଫାଇନାଲ୍ରେ ପ୍ରବେଶ କରିଛି ।
ମ୍ୟାଚ୍ ଆରମ୍ଭରୁ ଓଡ଼ିଶା ଦଳ ନିଜର ଦବ୍ଦବା ବଜାୟ ରଖିଥିଲା । ତୃତୀୟ ମିନିଟ୍ରେ ମନଦୀପ କେର୍କେଟାଙ୍କ ଚମତ୍କାର ଫିଲ୍ଡ ଗୋଲ୍ ବଳରେ ଓଡ଼ିଶା ଆଗୁଆ ଖାତା ଖୋଲିଥିଲା । ଏହାପରେ ୧୫ଶ ମିନିଟ୍ରେ ଲେଇସାନ ମିଞ୍ଚଙ୍କ ପେନାଲ୍ଟି ଗୋଲ୍ ସହାୟତାରେ ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଓଡ଼ିଶା ୨-୦ରେ ଅଗ୍ରଣୀ ହାସଲ କରିଥିଲା ।
ମ୍ୟାଚ୍ର ୨୦ ଓ ୪୬ଶ ମିନିଟ୍ରେ ଆଉ ଦୁଇଟି ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ଲେଇସାନ ନିଜର ବ୍ୟକ୍ତିଗତ ହ୍ୟାଟ୍ରିକ୍ ପୂରଣ କରିଥିଲେ । ହରିୟାଣା ପକ୍ଷରୁ ପ୍ରିନ୍ସ (୪୧ ମିନିଟ୍) ଗୋଟିଏ ଗୋଲ୍ ଶୁଝିଥିଲେ ମଧ୍ୟ ଶେଷ ମିନିଟ୍ରେ ଓଡ଼ିଶା ଅଧିନାୟକ ଦୀପକ ପ୍ରଧାନ ଏକ ସୁନ୍ଦର ଫିଲ୍ଡ ଗୋଲ୍ ଦେଇ ଦଳର ବିଜୟକୁ ୫-୧ରେ ସୁନିଶ୍ଚିତ କରିଥିଲେ ।
ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ସେମିଫାଇନାଲ୍ ମୁକାବିଲାରେ ଓଡ଼ିଶା ଶକ୍ତିଶାଳୀ ପଞ୍ଜାବ ଦଳକୁ ଭେଟିବ । ଅନ୍ୟ ଏକ କ୍ୱାର୍ଟରଫାଇନାଲ୍ ମ୍ୟାଚ୍ରେ ପଞ୍ଜାବ ୫-୨ ଗୋଲ୍ରେ କର୍ଣ୍ଣାଟକକୁ ପରାସ୍ତ କରି ସେମିଫାଇନାଲ୍ରେ ନିଜ ସ୍ଥାନ ପକ୍କା କରିଛି ।

