ପୁରୁଷ ୨୦୦ ମିଟରରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି ଭାରତୀୟ ଧାବକ ଅନିମେଷ କୁଜୁର। ଗୁରୁବାର ଅନୁଷ୍ଠିତ ୨୦୦ ମିଟର ଦ୍ବିତୀୟ ସେମିଫାଇନାଲ୍ରେ ସେ ୨୦.୬୫ ସେକେଣ଼୍ଡରେ ରେସ୍ ଶେଷ କରି ଷଷ୍ଠ ସ୍ଥାନରେ ରହିଥିଲେ।
ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରତ ପାଇଁ ଆଉ ଏକ ରୌପ୍ୟ ଆଣିଛନ୍ତି ଲଭ୍ପ୍ରୀତ ସିଂହ। ପୁରୁଷ ୧୧୦ କେଜି ଭାରୋତ୍ତୋଳନ ଫାଇନାଲ୍ରେ ସେ ମୋଟ ୩୮୮ କେଜି ଭାର ଉଠାଇ ଦ୍ବିତୀୟ ସ୍ଥାନରେ ରହିବା ସହ ରୌପ୍ୟ ପଦକ ଜିତିଥିଲେ। ନ୍ୟୁଜିଲାଣ୍ଡର ଡେଭିଡ୍ ଲିଟ୍ଟି ମୋଟ ୩୮୯ କେଜି ଭାର ଉଠାଇ ନୂଆ ରାଜ୍ୟଗୋଷ୍ଠୀ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ଜିତିଥିବାବେଳେ ଇଂଲଣ୍ଡର ଆଣ୍ଡ୍ର୍ୟୁ ଗ୍ରିଫିଥ୍ କାଂସ୍ୟ ପଦକ ଜିତିଥିଲେ।
ଅନିମେଷ ବିଫଳ
ପୁରୁଷ ୨୦୦ ମିଟରରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି ଭାରତୀୟ ଧାବକ ଅନିମେଷ କୁଜୁର। ଗୁରୁବାର ଅନୁଷ୍ଠିତ ୨୦୦ ମିଟର ଦ୍ବିତୀୟ ସେମିଫାଇନାଲ୍ରେ ସେ ୨୦.୬୫ ସେକେଣ଼୍ଡରେ ରେସ୍ ଶେଷ କରି ଷଷ୍ଠ ସ୍ଥାନରେ ରହିଥିଲେ। ଏହା ଫଳରେ ସେ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି। ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ୨୩ ବର୍ଷୀୟ କୁଜୁର ୨୦୦ ମିଟର ରାଉଣ୍ଡ-୧ରେ ଚମତ୍କାର ପ୍ରଦର୍ଶନ ଦେଇଥିଲେ। ସେ ତାଙ୍କର ଋତୁ ଶ୍ରେଷ୍ଠ ୨୦.୪୬ ସେକେଣ୍ଡରେ ରେସ୍ ଶେଷ କରି ହିଟ୍-୪ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହା ଫଳରେ ସେ ସେମିଫାଇନାଲ୍ରେ ପ୍ରବେଶ କରି ଭାରତ ପାଇଁ ପଦକ ଆଶା ସୃଷ୍ଟି କରିଥିଲେ। ବିଶେଷକରି ଭାରତର ଦ୍ରୁତତମ ଧାବକ ଗୁରିନ୍ଦରବୀର ସିଂହ ୧୦୦ ମିଟର ଦୌଡ଼ରେ ବିଫଳ ହେବା ପରେ ତାଙ୍କଠାରୁ ପଦକ ଆଶା ରହିଥିଲା। କିନ୍ତୁ ଆଜି ସେ ଲୟରେ ଥିବା ପରି ଲାଗୁ ନଥିଲେ ଓ ରାଉଣ୍ଡ-୧ର ପ୍ରଦର୍ଶନ ବି ଦୋହରାଇପାରି ନଥିଲେ। ଏହି ନୈରାଶ୍ୟଜନକ ପ୍ରଦର୍ଶନ ପରେ ପଦକ ଆଶା ନିରାଶାରେ ପରିଣତ ହୋଇଛି।
ପୁରୁଷ ସଟପୁଟ୍
ପୁରୁଷ ସଟ୍ପୁଟ୍ରେ ଭାରତର ତଜିନ୍ଦରପାଲ୍ ସିଂହ ତୁର୍ ଓ ସମରଦୀପ ସିଂହ ଗିଲ୍ ପଦକ ଜିତିବାରେ ବିଫଳ ହୋଇଛନ୍ତି। ସେମାନେ ଯଥାକ୍ରମେ ୫ମ ଓ ୬ଷ୍ଠ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟରେ ନାଇଜେରିଆର ଚୁକୁଏବୁକା ଏନେଜକ୍ଓ୍ବେଚି ୨୧.୦୭ ମିଟର ଫିଙ୍ଗି ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ନ୍ୟୁଜିଲାଣ୍ଡର ଟମ୍ ଓ୍ବାଲସ ରୌପ୍ୟ ଓ ଇଂଲଣ୍ଡର ସ୍କଟ୍ ଲିଙ୍କନ୍ କାଂସ୍ୟ ପଦକ ହାସଲ କରିଛନ୍ତି।

