‘ଆମକୁ ବଞ୍ଚାଅ ଭାରତୀୟ ସେନା’: ପାକିସ୍ତାନୀ ସେନାର ବର୍ବରତା ବିରୋଧରେ PoK ବାସୀଙ୍କ ଚିତ୍କାର

ସେଠାକାର ସାଧାରଣ ଜନତା ପାକିସ୍ତାନୀ ସେନା ଏବଂ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ରାଜପଥକୁ ଓହ୍ଲାଇଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନକୁ ଦମନ କରିବା ପାଇଁ ପାକିସ୍ତାନୀ ସେନା ଏବଂ ରେଞ୍ଜର୍ସ ନିରସ୍ତ୍ର ଜନତାଙ୍କ ଉପରେ ବର୍ବର ଭାବେ ଗୁଳିଚାଳନା କରୁଥିବା ସୂଚନା ମିଳିଛି ।

ପାକିସ୍ତାନ ଦଖଲରେ ଥିବା କାଶ୍ମୀର ବା ପିଓକେରେ ବର୍ତ୍ତମାନ ପରିସ୍ଥିତି ଅତ୍ୟନ୍ତ ସଙ୍ଗିନ ହୋଇପଡ଼ିଛି । ସେଠାକାର ସାଧାରଣ ଜନତା ପାକିସ୍ତାନୀ ସେନା ଏବଂ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ରାଜପଥକୁ ଓହ୍ଲାଇଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନକୁ ଦମନ କରିବା ପାଇଁ ପାକିସ୍ତାନୀ ସେନା ଏବଂ ରେଞ୍ଜର୍ସ ନିରସ୍ତ୍ର ଜନତାଙ୍କ ଉପରେ ବର୍ବର ଭାବେ ଗୁଳିଚାଳନା କରୁଥିବା ସୂଚନା ମିଳିଛି । ପ୍ରଦର୍ଶନର ନେତୃତ୍ୱ ନେଉଥିବା ଜଏଣ୍ଟ ଆୱାମୀ ଆକ୍ସନ କମିଟି (JAAC) ର ସୂଚନା ଅନୁଯାୟୀ, ଗତ ସୋମବାର ଏବଂ ମଙ୍ଗଳବାର ମଧ୍ୟରେ ସେନା ଗୁଳିମାଡ଼ରେ ପ୍ରାୟ ୩୦ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇସାରିଛି ।

ଏହି ରକ୍ତାକ୍ତ ସଂଘର୍ଷ ଏବଂ ପାକିସ୍ତାନୀ ସେନାର ଅତ୍ୟାଚାରରେ ଅତିଷ୍ଠ ହୋଇ ପିଓକେ ବାସୀ ବର୍ତ୍ତମାନ ଭାରତୀୟ ସେନାକୁ ସହାୟତା ପାଇଁ ଗୁହାରି କରିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓରେ ସ୍ଥାନୀୟ ଲୋକେ ଭାରତୀୟ ସେନାକୁ ହସ୍ତକ୍ଷେପ କରିବାକୁ ନିବେଦନ କରୁଥିବା ଦେଖିବାକୁ ମିଳିଛି।  ଜଣେ ମହିଳା ନିଜ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ପାକିସ୍ତାନୀ ଫୌଜ ଏବଂ ପୋଲିସ ସେମାନଙ୍କ ଲୋକଙ୍କୁ ସହିଦ କରୁଛନ୍ତି, ପୁରା କାଶ୍ମୀର ଏବେ ରକ୍ତରେ ଜୁଡୁବୁଡୁ । ଏହି ଦୁର୍ଦ୍ଦିନରେ ଭାରତୀୟ ସେନା ଆସି ସେମାନଙ୍କୁ ରକ୍ଷା କରୁ ବୋଲି ସେ ଆକୁଳ ନିବେଦନ କରିଛ ।

ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ବିକ୍ଷୋଭ ପ୍ରଦର୍ଶନରେ ଏବେ ସେହି ଲୋକମାନେ ମଧ୍ୟ ସାମିଲ ହୋଇଛନ୍ତି ଯେଉଁମାନେ ଦିନେ ପାକିସ୍ତାନ ପାଇଁ ଭାରତ ବିରୋଧରେ ଆତଙ୍କବାଦୀଙ୍କୁ ତାଲିମ ଦେଉଥିଲେ । ସେନା ଗୁଳିମାଡ଼ରେ ପାକିସ୍ତାନୀ ସେନାର ଅନେକ ଅବସରପ୍ରାପ୍ତ ଅଧିକାରୀ ଏବଂ ଜୱାନ ମଧ୍ୟ ଆହତ ହୋଇଛନ୍ତି । ପୂର୍ବତନ ଏସଏସଜି (SSG) କମାଣ୍ଡୋ ଫାରୁକ୍ ସୁଧନ, ଯିଏ ଭାରତ ବିରୋଧରେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଉଥିଲା, ସେ ନିଜେ ପାକିସ୍ତାନୀ ସେନା ଗୁଳିର ଶିକାର ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛି ।

ଜଏଣ୍ଟ ଆୱାମୀ ଆକ୍ସନ କମିଟି ପାକିସ୍ତାନୀ ସେନା ଉପରେ ଏକ ଗମ୍ଭୀର ଅଭିଯୋଗ ଆଣିଛି। ସଂଗଠନର କହିବା ଅନୁଯାୟୀ, ପାକିସ୍ତାନୀ ସୁରକ୍ଷାବଳ କେବଳ ଗୁଳି ଚଳାଉ ନାହାନ୍ତି, ବରଂ ମୃତ ବ୍ୟକ୍ତିଙ୍କ ଶବକୁ ମଧ୍ୟ ଗାଏବ କରିଦେଉଛନ୍ତି। ଗତ ସୋମବାର ୨୫ ଜଣ ଏବଂ ମଙ୍ଗଳବାର ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରକୃତ ମୃତ୍ୟୁ ସଂଖ୍ୟା ଏହାଠାରୁ ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ପିଓକେର ଏହି ସ୍ଥିତି ବର୍ତ୍ତମାନ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ।

Leave a Reply

Your email address will not be published. Required fields are marked *