କଂଗ୍ରେସ ପକ୍ଷରୁ ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମଇଦାନରେ ଏକ ମେଗା ରାଲି ଆୟୋଜନ କରାଯାଉଛି। ଚିନ୍ତା ପ୍ରକାଶ କରି ଦିଲ୍ଲୀର ବ୍ୟବସାୟୀ ଏବଂ ଉଦ୍ୟୋଗୀଙ୍କ ସଂଗଠନ ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି
କଂଗ୍ରେସ ପକ୍ଷରୁ ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମଇଦାନରେ ଏକ ମେଗା ରାଲି ଆୟୋଜନ କରାଯାଉଛି। ଚିନ୍ତା ପ୍ରକାଶ କରି ଦିଲ୍ଲୀର ବ୍ୟବସାୟୀ ଏବଂ ଉଦ୍ୟୋଗୀଙ୍କ ସଂଗଠନ ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି (ସିଟିଆଇ) କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖି ଅନୁରୋଧ କରିଛି ଯେ, ରାଲିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଉ। ନହେଲେ ପାର୍ବଣ ଋତୁରେ ବ୍ୟବସାୟ ବୁଡ଼ିଯିବ।ସିଟିଆଇ ଅଧ୍ୟକ୍ଷ ବ୍ରିଜେଶ ଗୋୟଲ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଏକ ଚିଠିରେ ଲେଖିଛନ୍ତି, ଆମେ ସୂଚନା ପାଇଛୁ ଯେ, ଆପଣଙ୍କ ଦଳ ନଭେମ୍ବର ୧ ତାରିଖରେ ରାମଲୀଳା ମଇଦାନରେ ଏକ ମେଗା ରାଲି ଆୟୋଜନ କରୁଛି। ଆମେ ବିନମ୍ରତାର ସହିତ ଅନୁରୋଧ କରୁଛୁ, ଏହି ରାଲିକୁ ନଭେମ୍ବର ୧୦ ଭାଇ ଦୁଜ୍ ପରେ କରାଯାଉ। କାରଣ ଦୀପାବଳି ପାଇଁ ବ୍ୟବସାୟ ବର୍ତ୍ତମାନ ଜୋରଦାର ରହିଛି।
ଚିଠିରେ ଉଲ୍ଲେଖ କରାଯାଇଛି, ଚଳିତ ବର୍ଷ, ଧନତେରସ୍ ନଭେମ୍ବର ୬ ରେ, ଦୀପାବଳି ୮ ରେ ଏବଂ ଭାଇ ଦୁଜ୍ ୧୦ ରେ ପଡୁଛି। ଲୋକମାନେ ଗୋଟିଏ ସପ୍ତାହ ପୂର୍ବରୁ ଧନତେରସ୍ ଏବଂ ଦୀପାବଳି ପାଇଁ କିଣାକିଣି ଆରମ୍ଭ କରିଦିଅନ୍ତି। କେବଳ ଧନତେରସ୍ରେ ଦିଲ୍ଲୀର ସମସ୍ତ କ୍ଷେତ୍ରରେ ପ୍ରାୟ ୨୫ ହଜାର କୋଟି ଟଙ୍କାର ବ୍ୟବସାୟ ହୋଇଥାଏ। ଯେଉଁଥିରେ ସୁନା, ରୂପା, ବାସନକୁସନ, ଇଲେକ୍ଟ୍ରୋନିକ୍ସ, କପଡ଼ା, ଶୁଖିଲା ଫଳ, ମିଠା, ଅଟୋମୋବାଇଲ୍, ଯାନବାହାନ, ସମ୍ପତ୍ତି ଏବଂ ଉପହାର ସାମଗ୍ରୀ ଆଦି ରହିଥାଏ। ଏହି ବାଣିଜ୍ୟ ଦିଲ୍ଲୀ ଅର୍ଥନୀତିର ମେରୁଦଣ୍ଡ ସଦୃଶ।
ସଂଗଠନର ଆକଳନ ଅନୁଯାୟୀ, କନଟ୍ ପ୍ଲେସ୍, ଇଣ୍ଡିଆ ଗେଟ୍ ଏବଂ କେନ୍ଦ୍ରୀୟ ଦିଲ୍ଲୀରେ ରାଲି, ଶୋଭାଯାତ୍ରା ଏବଂ ରାସ୍ତା ବନ୍ଦ ଯୋଗୁଁ ଦିଲ୍ଲୀର ବ୍ୟବସାୟୀମାନେ ପ୍ରାୟ ୩ ହଜାର କୋଟି ଟଙ୍କାର କ୍ଷତି ସହିସାରିଛନ୍ତି। ପାଇକାରୀ ବଜାରଗୁଡ଼ିକକୁ ବାହାରୁ ସାମଗ୍ରୀ ଆସିବା ବନ୍ଦ ହୋଇଯାଇଥିଲା। ସେହିପରି ଖୁଚୁରା ଦୋକାନଗୁଡ଼ିକରେ ଗ୍ରାହକ ପହଞ୍ଚି ପାରି ନଥିଲେ।
ସିଟିଆଇ ଅଧ୍ୟକ୍ଷ ବ୍ରିଜେଶ ଗୋୟଲ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ଦିଲ୍ଲୀର ସବୁଠାରୁ ଐତିହାସିକ ଏବଂ ପ୍ରସିଦ୍ଧ ପାଇକାରୀ ଏବଂ ଖୁଚୁରା ବଜାରଗୁଡ଼ିକ ରାମଲୀଳା ମଇଦାନର ୫ କିଲୋମିଟର ପରିଧି ମଧ୍ୟରେ ଅବସ୍ଥିତ, ଯେଉଁଥିରେ ଚାନ୍ଦନୀ ଚୌକ, ସଦର ବଜାର, ଚାୱରୀ ବଜାର, ଭାଗୀରଥ ପ୍ୟାଲେସ, ଖାରୀ ବାଓଲି, କାଶ୍ମୀର ଗେଟ୍, ନୟା ବଜାର, ମୋରି ଗେଟ୍, କିନାରି ବଜାର, ଦାରିବା, ଦରିଆ ଗଞ୍ଜ, ଆଜମେରୀ ଗେଟ୍, ଜାମା ମସଜିଦ୍, ଝଣ୍ଡେୱାଲାନ, କାରୋଲ ବାଗ, ନବି କରିମ୍, ଆଜାଦ ମାର୍କେଟ୍ ଏବଂ ଲାଜପତ ରାୟ ମାର୍କେଟ୍ ଆଦି ରହିଛି। ଏହି ବଜାରଗୁଡ଼ିକ ସାରା ଭାରତରୁ ସାମଗ୍ରୀ ପରିବହନ କରନ୍ତି। ପୁରୁଣା ଦିଲ୍ଲୀ ରେଳ ଷ୍ଟେସନ ଏବଂ ନୂଆ ଦିଲ୍ଲୀ ରେଳ ଷ୍ଟେସନ ମଧ୍ୟ ରାମଲୀଳା ମଇଦାନ ନିକଟରେ ଅବସ୍ଥିତ। ପ୍ରତିଦିନ ଲକ୍ଷ ଲକ୍ଷ ବ୍ୟବସାୟୀ ଏବଂ ଦୋକାନୀ ଏହି ଷ୍ଟେସନ ଦେଇ ଦିଲ୍ଲୀକୁ ଯାତାୟାତ କରିଥାନ୍ତି।

