୫ କୋଟିରୁ ଅଧିକ ଟଙ୍କାରେ ନିର୍ମାଣ ହେଲା ରାସ୍ତା, ହେଲେ ମାସେ ନପୂରୁଣୁ ଦେଖାଦେଲା ଫାଟ । କେଉଁଠି ଧସିଗଲା ରାସ୍ତା, ତ ଆଉ କେଉଁଠି ଉଠିଗଲା ପିଚୁ। ଏବେ ଏହି ରାସ୍ତା ପାଲଟିଛି ଲୋକଙ୍କ ପାଇଁ ମରଣଯନ୍ତା ।
୫ କୋଟିରୁ ଅଧିକ ଟଙ୍କାରେ ନିର୍ମାଣ ହେଲା ରାସ୍ତା, ହେଲେ ମାସେ ନପୂରୁଣୁ ଦେଖାଦେଲା ଫାଟ । କେଉଁଠି ଧସିଗଲା ରାସ୍ତା, ତ ଆଉ କେଉଁଠି ଉଠିଗଲା ପିଚୁ। ଏବେ ଏହି ରାସ୍ତା ପାଲଟିଛି ଲୋକଙ୍କ ପାଇଁ ମରଣଯନ୍ତା । ନିମ୍ନମାନର କାମ ଅଭିଯୋଗ କରି ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଜୁଆଣିଆ ପଞ୍ଚାୟତରେ ସାମ୍ନାକୁ ଆସିଛି ଏଭଳି ଅଭିଯୋଗ । ଜୁଆଣିଆଠାରୁ ମଧୁବନ ପର୍ଯ୍ୟନ୍ତ ପ୍ରାୟ ୩.୫ କିଲୋମିଟର ଖରସ୍ରୋତା ନଦୀ ବନ୍ଧ ରାସ୍ତା ନିର୍ମାଣ କରିଥିଲା ଆଳି ତଟବନ୍ଧ ବିଭାଗ । ଏଥିପାଇଁ ଖର୍ଚ୍ଚ ହୋଇଥିଲା ୫ କୋଟି ୧୫ ଲକ୍ଷ ଟଙ୍କାରୁ ଅଧିକ । ରାସ୍ତା ନିର୍ମାଣ ସମୟରେ ଗାଁ ଲୋକଙ୍କ ମଧ୍ୟରେ ଖୁସି ଦେଖାଦେଇଥିଲା ।
କାରଣ ଏହି ରାସ୍ତା ଜୁଆଣିଆ, ମଧୁବନ ଓ ହଦୁଆ ଅଞ୍ଚଳର ହଜାର ହଜାର ଲୋକଙ୍କ ଯାତାୟାତର ମୁଖ୍ୟ ମାର୍ଗ । ଏହା ସହିତ ବନ୍ୟା ସମୟରେ ଏହି ନଦୀ ବନ୍ଧ ଗାଁକୁ ସୁରକ୍ଷା ମଧ୍ୟ ଦେଇଥାଏ କିନ୍ତୁ ରାସ୍ତା ନିର୍ମାଣର ମାତ୍ର ମାସେ ନପୂରୁଣୁ ସାମ୍ନାକୁ ଆସିଛି ଅନିୟମିତତାର ଚିତ୍ର । ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି । କେଉଁଠି ମାଟି ଧସିଯାଇଛି, ତ ଆଉ କେଉଁଠି ପିଚୁ ଉଠିଯାଇଛି। ଲଗାଣ ବର୍ଷା ପରେ ସ୍ଥିତି ଆହୁରି ଖରାପ ହୋଇପଡ଼ିଛି । ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ନିର୍ମାଣ କାମ ଆରମ୍ଭରୁ ହିଁ ନିମ୍ନମାନର କାମ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ।
ହେଲେ କେହି ଏହାକୁ ଗୁରୁତ୍ୱ ଦେଇନଥିଲେ । ଏପରିକି ରାସ୍ତା କାମ ସମୟରେ ସୂଚନା ଫଳକ ମଧ୍ୟ ଲଗାଯାଇନଥିବା ଅଭିଯୋଗ ହୋଇଛି । ଏବେ ଗାଁ ଲୋକେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତୁରନ୍ତ ରାସ୍ତାର ମରାମତି ସହ ଘଟଣାର ଭିଜିଲାନ୍ସ ତଦନ୍ତ କରାଯିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ । ସେପଟେ ଅଭିଯୋଗ ପାଇବା ପରେ ବିଭାଗୀୟ ଅଧିକାରୀ ତଦନ୍ତ କରିବେ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ । ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

