ସ୍କୁଲ ପରିସରରେ ମନଇଚ୍ଛା ଫଟୋ-ଭିଡିଓ ମନା, ଜାରି ହେଲା ନୂଆ ନିୟମ

ରାଜସ୍ଥାନର ସରକାରୀ ସ୍କୁଲଗୁଡ଼ିକରେ ଏଣିକି ବାହାର ଲୋକଙ୍କ ପ୍ରବେଶ ଏବଂ ଫଟୋ-ଭିଡିଓ ରେକର୍ଡିଂ ନେଇ ଲାଗିଲା କଡ଼ା କଟକଣା । ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସମ୍ମାନ ଓ ବ୍ୟକ୍ତିଗତ ଗୋପନୀୟତାକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି ।

ରାଜସ୍ଥାନର ସରକାରୀ ସ୍କୁଲଗୁଡ଼ିକରେ ଏଣିକି ବାହାର ଲୋକଙ୍କ ପ୍ରବେଶ ଏବଂ ଫଟୋ-ଭିଡିଓ ରେକର୍ଡିଂ ନେଇ ଲାଗିଲା କଡ଼ା କଟକଣା । ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସମ୍ମାନ ଓ ବ୍ୟକ୍ତିଗତ ଗୋପନୀୟତାକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି । ନୂଆ ନିୟମ ଅନୁସାରେ, ସ୍କୁଲର ପ୍ରଧାନଶିକ୍ଷକ କିମ୍ବା ସଂସ୍ଥା ମୁଖ୍ୟଙ୍କ ପୂର୍ବ ଲିଖିତ ଅନୁମତି ବିନା କୌଣସି ବାହାର ଲୋକ ସ୍କୁଲ ପରିସରକୁ ପ୍ରବେଶ କରିପାରିବେ ନାହିଁ । ତେବେ ସରକାରୀ କାର୍ଯ୍ୟରେ ଆସୁଥିବା ଅଧିକୃତ ଅଧିକାରୀଙ୍କ ପାଇଁ ଏହି ନିୟମରେ ଛାଡ଼ ରହିଛି । ସ୍କୁଲକୁ ଆସୁଥିବା ପ୍ରତ୍ୟେକ ବାହାର ଲୋକଙ୍କୁ ଭିଜିଟର ରେଜିଷ୍ଟରରେ ନିଜର ସମସ୍ତ ତଥ୍ୟ ଲେଖିବାକୁ ପଡ଼ିବ। ଅନୁମତି ବିନା କେହି କ୍ଲାସରୁମ୍, ଲାବୋରେଟୋରୀ, ଲାଇବ୍ରେରୀ, ହଷ୍ଟେଲ କିମ୍ବା ଛାତ୍ରଛାତ୍ରୀଙ୍କ ସହ ଜଡ଼ିତ ଅନ୍ୟ ଅଞ୍ଚଳକୁ ଯାଇପାରିବେ ନାହିଁ ।

ଆବଶ୍ୟକ ହେଲେ ପ୍ରଧାନଶିକ୍ଷକ କୌଣସି ବ୍ୟକ୍ତିଙ୍କୁ ସ୍କୁଲରେ ପ୍ରବେଶ ଅନୁମତି ନଦେଇପାରିବେ । ସେହିପରି ଛାତ୍ରଛାତ୍ରୀ, ଶିକ୍ଷକ କିମ୍ବା ସ୍କୁଲର କୌଣସି କାର୍ଯ୍ୟକ୍ରମର ଫଟୋ ଉଠାଇବା, ଭିଡିଓ କରିବା, ଇଣ୍ଟରଭ୍ୟୁ ନେବା, ଅଡିଓ ରେକର୍ଡ କରିବା କିମ୍ବା ଲାଇଭ୍ ଷ୍ଟ୍ରିମିଂ ପାଇଁ ମଧ୍ୟ ପ୍ରଧାନଶିକ୍ଷକଙ୍କ ପୂର୍ବ ଲିଖିତ ଅନୁମତି ଆବଶ୍ୟକ । ଛାତ୍ରଛାତ୍ରୀଙ୍କ ଫଟୋ, ଭିଡିଓ କିମ୍ବା ବ୍ୟକ୍ତିଗତ ତଥ୍ୟ ଏଭଳି ଭାବେ ପ୍ରସାର କରାଯାଇପାରିବ ନାହିଁ, ଯାହାଦ୍ୱାରା ସେମାନଙ୍କ ସୁରକ୍ଷା କିମ୍ବା ଗୋପନୀୟତା ପ୍ରଭାବିତ ହେବ । ନିୟମ ଉଲ୍ଲଂଘନ କରି କେହି ସ୍କୁଲରେ ପ୍ରବେଶ କଲେ, ପରିସର ଛାଡ଼ିବାକୁ ମନା କଲେ କିମ୍ବା ବିନା ଅନୁମତିରେ ଫଟୋ-ଭିଡିଓ କରିବାକୁ ଚେଷ୍ଟା କଲେ, ସ୍କୁଲ ପ୍ରଶାସନ ପୁଲିସ ଓ ଶିକ୍ଷା ବିଭାଗକୁ ଜଣାଇପାରିବ ।

ମାମଲାର ଗମ୍ଭୀରତା ଅନୁସାରେ BNS, POCSO ଆକ୍ଟ, ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ ଏବଂ IT ଆକ୍ଟ ଅଧୀନରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରେ । ତେବେ ଏହି ନୂଆ ନିୟମକୁ ନେଇ ରାଜସ୍ଥାନରେ ରାଜନୈତିକ ବିବାଦ ମଧ୍ୟ ଆରମ୍ଭ ହୋଇଛି। ବିରୋଧୀ ଦଳର ନେତାମାନେ ଅଭିଯୋଗ କରିଛନ୍ତି ଯେ, ସ୍କୁଲର ମୌଳିକ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ସରକାର ତଥ୍ୟ ଓ ଗ୍ରାଉଣ୍ଡ ରିପୋର୍ଟିଂ ଉପରେ କଟକଣା ଲଗାଉଛନ୍ତି । ସରକାରଙ୍କ ପକ୍ଷରୁ ତେବେ ଏହି ନିୟମର ମୁଖ୍ୟ ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସମ୍ମାନ ଓ ଗୋପନୀୟତାର ସୁରକ୍ଷା ବୋଲି କୁହାଯାଇଛି । 

Leave a Reply

Your email address will not be published. Required fields are marked *