ଶିବସେନାର ବିଶ୍ୱାସଘାତକତା ପାଇଁ ମହାୟୁତି ହାରିଲା ୩ ଆସନ ; ବିଜେପି ନେତାଙ୍କ ପୋଷ୍ଟକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଝଡ଼

ପୁଣେରେ ଶେଷ ମୁହୂର୍ତ୍ତରେ ସଚିନ ସନାପଙ୍କୁ ଶିବସେନା ସମର୍ଥନ କରିବା ଫଳରେ ମେଣ୍ଟର ଏକତା ଦୁର୍ବଳ ହୋଇଥିଲା ବୋଲି ନବନାଥ କହିଛନ୍ତି । ତାଙ୍କ ମତରେ, ଏହି ଭୋଟ୍ ବିଜେପି ପ୍ରାର୍ଥୀଙ୍କୁ ମିଳିଥିଲେ ନିର୍ବାଚନର ଫଳାଫଳ ଭିନ୍ନ ହୋଇପାରିଥାନ୍ତା ।

ମହାରାଷ୍ଟ୍ରର ଶାସକ ମେଣ୍ଟ ମହାୟୁତି ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ । ବିଧାନ ପରିଷଦର ଶିକ୍ଷକ ଓ ସ୍ନାତକ ନିର୍ବାଚନମଣ୍ଡଳୀ ପାଇଁ ହୋଇଥିବା ନିର୍ବାଚନରେ ମେଣ୍ଟର ଖରାପ ପ୍ରଦର୍ଶନ ପରେ ବିଜେପି ଓ ଶିବସେନା ମଧ୍ୟରେ ଥିବା ମତଭେଦ ଏବେ ପଦାକୁ ଆସିଛି । ବିଜେପି ମୁଖପାତ୍ର ନବନାଥ ବାନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ସହଯୋଗୀ ଦଳ ଶିବସେନା ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ନବନାଥଙ୍କ ଅଭିଯୋଗ ଅନୁଯାୟୀ, ନିର୍ବାଚନ ସମୟରେ ମହାୟୁତିର ଅଂଶ ହୋଇଥିଲେ ମଧ୍ୟ ଶିବସେନା ପୁଣେ ଓ ନାଗପୁରରେ ଆଶାନୁରୂପ ସମର୍ଥନ ଦେଇନଥିଲା । ଏହା ମେଣ୍ଟର ନିର୍ବାଚନୀ ପ୍ରଦର୍ଶନକୁ ପ୍ରଭାବିତ କରିଥିବା ସେ ଦାବି କରିଛନ୍ତି ।

ପୁଣେରେ ଶେଷ ମୁହୂର୍ତ୍ତରେ ସଚିନ ସନାପଙ୍କୁ ଶିବସେନା ସମର୍ଥନ କରିବା ଫଳରେ ମେଣ୍ଟର ଏକତା ଦୁର୍ବଳ ହୋଇଥିଲା ବୋଲି ନବନାଥ କହିଛନ୍ତି । ତାଙ୍କ ମତରେ, ଏହି ଭୋଟ୍ ବିଜେପି ପ୍ରାର୍ଥୀଙ୍କୁ ମିଳିଥିଲେ ନିର୍ବାଚନର ଫଳାଫଳ ଭିନ୍ନ ହୋଇପାରିଥାନ୍ତା । ସେହିପରି ଛତ୍ରପତି ସମ୍ଭାଜୀନଗରରେ ଶିବସେନାର ନେତା ଅବଦୁଲ ସତ୍ତାର ଖୋଲାଖୋଲି ଭାବେ ଏନସିପି ବିରୋଧରେ ପ୍ରଚାର କରିଥିବା ନବନାଥ ଅଭିଯୋଗ କରିଛନ୍ତି । ମେଣ୍ଟର ସହଯୋଗୀ ଦଳ ବିରୋଧରେ ଏଭଳି ପ୍ରଚାର ମହାୟୁତିକୁ କ୍ଷତି ପହଞ୍ଚାଇଥିବା ସେ କହିଛନ୍ତି ।

ନବନାଥଙ୍କ ମତରେ, ବିଜେପି, ଶିବସେନା ଓ ଏନସିପି ମଧ୍ୟରେ ଉପଯୁକ୍ତ ସମନ୍ୱୟ ରହିଥିଲେ ମହାୟୁତି ସମସ୍ତ ପାଞ୍ଚଟି ଆସନରେ ବିଜୟୀ ହୋଇପାରିଥାନ୍ତା । ଗୋଟିଏ ଆସନ ପାଇଁ ସହଯୋଗୀଙ୍କ ସହ ମତଭେଦ ସୃଷ୍ଟି କରିବା ଫଳରେ ମେଣ୍ଟ ତିନୋଟି ଜିତିପାରୁଥିବା ଆସନ ହରାଇଥିବା ସେ ଦାବି କରିଛନ୍ତି । ଏହି ପୋଷ୍ଟ ପରେ ମହାରାଷ୍ଟ୍ରରେ ମହାୟୁତିର ଆଭ୍ୟନ୍ତରୀଣ ଏକତାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି ।

Leave a Reply

Your email address will not be published. Required fields are marked *