କାଙ୍ଗପୋକପି ଜିଲ୍ଲାର କୋନସାଖୁଲ୍ ଗ୍ରାମରେ ୧୪୭ ଜଣ ନାଗା ନାଗରିକ ଗତ ପାଞ୍ଚ ମାସ ଧରି ଏକପ୍ରକାର ବନ୍ଦୀ ଜୀବନ ବିତାଉଛନ୍ତି । ଗାଁରୁ ବାହାରିବା ପାଇଁ ଥିବା ଏକମାତ୍ର ରାସ୍ତା କୁକି ବହୁଳ ଅଞ୍ଚଳ ଦେଇ ଯାଇଥିବାରୁ ଆକ୍ରମଣ ଓ ଅପହରଣ ଭୟରେ ସେମାନେ ବାହାରକୁ ଯାଇପାରୁନାହାନ୍ତି ।
ମଣିପୁରରେ ଜାତିଗତ ହିଂସା ଥମିବାର ନାଁ ନେଉନାହିଁ। ମେଇତେଇ-କୁକି ସଂଘର୍ଷ ପରେ ଏବେ ନାଗା ଓ କୁକି ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସ୍ଥିତିକୁ ଆହୁରି ଜଟିଳ କରିଛି । କାଙ୍ଗପୋକପି ଜିଲ୍ଲାର କୋନସାଖୁଲ୍ ଗ୍ରାମରେ ୧୪୭ ଜଣ ନାଗା ନାଗରିକ ଗତ ପାଞ୍ଚ ମାସ ଧରି ଏକପ୍ରକାର ବନ୍ଦୀ ଜୀବନ ବିତାଉଛନ୍ତି । ଗାଁରୁ ବାହାରିବା ପାଇଁ ଥିବା ଏକମାତ୍ର ରାସ୍ତା କୁକି ବହୁଳ ଅଞ୍ଚଳ ଦେଇ ଯାଇଥିବାରୁ ଆକ୍ରମଣ ଓ ଅପହରଣ ଭୟରେ ସେମାନେ ବାହାରକୁ ଯାଇପାରୁନାହାନ୍ତି । ଗତ ମେ’ ୧୩ ତାରିଖରେ ଏହି ଗ୍ରାମର ୨୦ ଜଣ ନାଗା ନାଗରିକଙ୍କୁ ନିକଟସ୍ଥ ଲୋଇଲନ୍ ଭାଇଫେଇ ଗ୍ରାମର କିଛି କୁକି ଗ୍ରାମବାସୀ ଅପହରଣ କରି ଉଗ୍ରପନ୍ଥୀଙ୍କ ହାତରେ ଦେଇଥିବା ଅଭିଯୋଗ ହୋଇଥିଲା । ଏହା ପରେ ଜୁନ୍ ୧୦ ତାରିଖରେ ସୁରକ୍ଷା ବାହିନୀ ୬ ଜଣ ନାଗା ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ । ଏହି ଘଟଣା ପରଠାରୁ ଅଞ୍ଚଳରେ ଉତ୍ତେଜନା ବଢ଼ିଛି ।
ଗ୍ରାମରେ ଥିବା ୭୬ଟି ପରିବାର ମଧ୍ୟରୁ ଅନେକ ପରିବାର ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି । ତେବେ ଜମି ଜବରଦଖଲ ଭୟରେ ପ୍ରାୟ ୪୬ଟି ପରିବାରର ୧୪୭ ଜଣ ଗ୍ରାମରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଗ୍ରାମବାସୀଙ୍କୁ ଖାଦ୍ୟ, ଔଷଧ ଓ ଅନ୍ୟ ଜରୁରୀ ସାମଗ୍ରୀ ପହଞ୍ଚାଇବା ପାଇଁ ସିଆରପିଏଫ୍ ଯବାନ ନିୟୋଜିତ ହୋଇଛନ୍ତି । ସୁରକ୍ଷା ବାହିନୀର ବୁଲେଟପ୍ରୁଫ୍ ଗାଡ଼ି ଓ କ୍ୱିକ୍ ରେସ୍ପୋନ୍ସ ଟିମ୍ର ସୁରକ୍ଷା ମଧ୍ୟରେ ଗ୍ରାମବାସୀଙ୍କୁ ହସ୍ପିଟାଲ କିମ୍ବା ବିମାନବନ୍ଦରକୁ ଯିବାକୁ ପଡ଼ୁଛି। ଅନ୍ୟପଟେ, କୁକି ସଂଗଠନଗୁଡ଼ିକ ସୁରକ୍ଷା ବାହିନୀ ଉପରେ ପକ୍ଷପାତିତାର ଅଭିଯୋଗ ଆଣିଛନ୍ତି ।
ସୂଚନା ଅନୁଯାୟୀ, ନାଗା-କୁକି ସଂଘର୍ଷରେ ଏପର୍ଯ୍ୟନ୍ତ ୬୨ ଜଣଙ୍କ ମୃତ୍ୟୁ ହୋଇଛି । ୨୦୨୩ ମେ’ରୁ ମଣିପୁରରେ ଆରମ୍ଭ ହୋଇଥିବା ଜାତିଗତ ହିଂସାରେ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୬୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି ।

