ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ

ବିଜେଡି ସଭାପତି ବୁଧବାର  ନବୀନ ପଟ୍ଟନାୟକ ଶଙ୍ଖ ଭବନଠାରେ ୨୦୨୪ ସାଧାରଣ ନିର୍ବାଚନର ବିଧାୟକ ପ୍ରାର୍ଥୀମାନଙ୍କ ସହ ରାଜ୍ୟର ସାଙ୍ଗଠନିକ ସ୍ଥିତି ଓ ସ୍ଥାନୀୟ ସମସ୍ୟା ଉପରେ ଦୀର୍ଘ ଦୁଇ ଘଣ୍ଟା ଧରି ଆଲୋଚନା କରିଛନ୍ତି । 

ଶଙ୍ଖ ଭବନଠାରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ୨୦୨୪ ସାଧାରଣ ନିର୍ବାଚନର ବିଧାୟକ ପ୍ରାର୍ଥୀମାନଙ୍କ ସହ ଏହି ବୈଠକରେ ଯୋଗ ଦେଇଥିଲେ ।  ବିଭିନ୍ନ ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ସ୍ଥିତି ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ । ଦୀର୍ଘ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକକୁ ଦଳର ବରିଷ୍ଠ ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର ସଞ୍ଚାଳନ କରିଥିଲେ । ବୈଠକରେ ବିଜେଡିର ସାଙ୍ଗଠନିକ କାର୍ଯ୍ୟକ୍ରମ, ଗତ ସରକାର ସମୟର ସଫଳତା ଏବଂ ଏସଆଇଆର (SIR) ଉପରେ ଏକ ସ୍ୱତନ୍ତ୍ର ଉପସ୍ଥାପନା କରାଯାଇଥିଲା । ଏହି ଅବସରରେ ପ୍ରାର୍ଥୀମାନେ ନିଜ ନିଜ ଅଞ୍ଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତାମତ ରଖିଥିଲେ ।

ବୈଠକକୁ ସମ୍ବୋଧିତ କରି  ନବୀନ ପଟ୍ଟନାୟକ ବର୍ତ୍ତମାନର ସରକାରଙ୍କ ଉପରେ ବର୍ଷିଥିଲେ । ଏହାସହ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଷୁଡ଼ି ଯାଇଛି । ଜନସାଧାରଣ ଭୟଭୀତ ଅବସ୍ଥାରେ ରହୁଛନ୍ତି । ହତ୍ୟା,  ଦୁଷ୍କର୍ମ, ଲୁଟ୍ ଓ ନାରୀ ନିର୍ଯାତନା ଭଳି ଅପରାଧ ସବୁ ସୀମା ଲଙ୍ଘି ସାରିଲାଣି । ଏହା ସହିତ ରାଜ୍ୟର ଅର୍ଥନୈତିକ ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ବିଜେଡି ସରକାର କ୍ଷମତା ଛାଡ଼ିବା ବେଳେ ୪୫ ହଜାର କୋଟି ଟଙ୍କାର ବଳକା ରାଜସ୍ୱ ଛାଡ଼ି ଯାଇଥିଲା, କିନ୍ତୁ ବର୍ତ୍ତମାନ ରାଜ୍ୟର ଋଣ ଭାର କ୍ରମାଗତ ଭାବେ ବଢ଼ିଚାଲିଛି । ଏପରିକି ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମମାନଙ୍କୁ ସାମାଜିକ ସୁରକ୍ଷା ପେନସନ୍ ମଧ୍ୟ ମିଳୁନାହିଁ । ଓଡ଼ିଶା ଶାସନରେ ଏଭଳି ଅବ୍ୟବସ୍ଥା ପୂର୍ବରୁ କୌଣସି ସରକାର ଅମଳରେ ଦେଖାଯାଇ ନଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।
ଅପରପକ୍ଷରେ, ନିଜର ୨୪ ବର୍ଷର ଶାସନ କାଳକୁ ମନେ ପକାଇ ବିଜେଡି ସଭାପତି କହିଛନ୍ତି ଯେ ବିଜେଡି ସମୟରେ ଓଡ଼ିଶା ସାରା ଦେଶରେ ଏକ ଉଜ୍ଜ୍ୱଳ ପରିଚୟ ସୃଷ୍ଟି କରିଥିଲା । ବିପର୍ଯ୍ୟୟ ପ୍ରଶମନ, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା, ଜଳସେଚନ ଓ ଭିତ୍ତିଭୂମିର ବିକାଶ ସହ ଚାଷୀ, ମହିଳା ଓ ଗରିବଙ୍କ କଲ୍ୟାଣ ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ହୋଇଥିଲା । ବର୍ତ୍ତମାନ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଖେଇ ଆସୁଥିବାରୁ, ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ପ୍ରସ୍ତୁତି ଆରମ୍ଭ କରିବାକୁ ଆହ୍ୱାନ ଦେଇଛନ୍ତି । ସୋସିଆଲ ମିଡିଆ ଉପରେ ଅଧିକ ଗୁରୁତ୍ୱ ଦେବାକୁ ସେ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି । SIR ପ୍ରସଙ୍ଗରେ ନବୀନ କହିଛନ୍ତି ଯେ ଅନ୍ୟ ରାଜ୍ୟର ଘଟଣାକୁ ଦେଖି ଆମକୁ ସତର୍କ ରହିବାକୁ ହେବ । ଯେପରି ସାମାନ୍ୟ ଟାଇପୋଗ୍ରାଫିକାଲ୍ ତ୍ରୁଟି ଯୋଗୁଁ ଜଣେ ବି ଯୋଗ୍ୟ ଭୋଟରଙ୍କ ନାମ ବାଦ୍ ନପଡ଼େ ।
ଶେଷରେ, ସରକାରଙ୍କ ବିଫଳତା ଏବଂ ମହିଳା ସଂରକ୍ଷଣ କ୍ଷେତ୍ରରେ ବିଜେପିର ଛଳନାପୂର୍ଣ୍ଣ ଆଚରଣ ବିରୋଧରେ ଦଳ ପକ୍ଷରୁ ଜାରି ରହିଥିବା ‘ନାରୀ ଅଧିକାର ଅଭିଯାନ’ର ବିପୁଳ ସଫଳତାକୁ ନେଇ ଶ୍ରୀ ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ସଫଳତା ରାଜ୍ୟରେ ପରିବର୍ତ୍ତନର ସୂଚନା ଦେଉଛି ବୋଲି ସେ ପ୍ରକାଶ କରିଛନ୍ତି । ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ମହିଳା ଘରୁ ବାହାରି ଏହି ଆନ୍ଦୋଳନରେ ସାମିଲ ହୋଇଥିବାରୁ ସେ ସମସ୍ତ ମା’ ମାନଙ୍କୁ ଓ ଦଳୀୟ କର୍ମକର୍ତ୍ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟର ୧୨୦ଟି ନିର୍ବାଚନ ମଣ୍ଡଳୀରେ ଏହି ଅଭିଯାନ ସଫଳତାର ସହ ସମ୍ପନ୍ନ ହୋଇଛି ।

Leave a Reply

Your email address will not be published. Required fields are marked *