ଲଗାଣ ବର୍ଷାରେ ଧୋଇଗଲା ନୂଆ ରାସ୍ତା । ରାସ୍ତା ନିର୍ମାଣରେ ଅବହେଳା ଓ ନିମ୍ନମାନର କାମକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁଞ୍ଜଳପଡ଼ା–ମଲ୍ଲିକମୁଣ୍ଡା ମୁଖ୍ୟ ରାସ୍ତାରେ ଲଗାଣ ବର୍ଷା ପରେ ରାସ୍ତାର ଏକାଧିକ ସ୍ଥାନ ଧୋଇଯାଇଥିବାରୁ ସମ୍ପୂର୍ଣ୍ଣ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ଗ୍ରାମବାସୀଙ୍କ ଅଭିଯୋଗ, ରାସ୍ତା ନିର୍ମାଣ ବେଳେ ସଠିକ୍ ପ୍ରକ୍ରିୟା ଅନୁସରଣ କରାଯାଇନଥିବାରୁ ସାମାନ୍ୟ ବର୍ଷାରେ ମଧ୍ୟ ରାସ୍ତା ଭାଙ୍ଗିପଡ଼ିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ନୂଆପଡ଼ା ଜିଲ୍ଲାରେ ଲଗାଣ ବର୍ଷା ଜନଜୀବନକୁ ପ୍ରଭାବିତ କରିଛି । କୋମନା ବ୍ଲକର କୁଞ୍ଜଳପଡ଼ା–ମଲ୍ଲିକମୁଣ୍ଡା ମୁଖ୍ୟ ରାସ୍ତାରେ ବର୍ଷା ପାଣିର ପ୍ରବଳ ସ୍ରୋତ ଯୋଗୁଁ ରାସ୍ତାର ବଡ଼ ଅଂଶ ଧୋଇଯାଇଛି । ଫଳରେ ଦୁଇ ଗାଁ ମଧ୍ୟରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି ।
ସ୍କୁଲ ଛାତ୍ରଛାତ୍ରୀ, ରୋଗୀ ଏବଂ ସାଧାରଣ ଲୋକ ଯାତାୟାତରେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରାସ୍ତା ନିର୍ମାଣ ସମୟରେ ମାନକ ଅନୁଯାୟୀ କାମ କରାଯାଇନଥିଲା । ପାଣି ନିଷ୍କାସନ ପାଇଁ ଯଥେଷ୍ଟ ବ୍ୟବସ୍ଥା ନଥିବାରୁ ବର୍ଷା ପାଣି ସିଧାସଳଖ ରାସ୍ତା ଉପରେ ଚାପ ସୃଷ୍ଟି କରି ଏହାକୁ ଭାଙ୍ଗିଦେଇଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସତ୍ତ୍ୱେ ରାସ୍ତାର ଏଭଳି ଅବସ୍ଥା ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଛି । ସ୍ଥାନୀୟ ଲୋକେ ପ୍ରଶାସନଙ୍କୁ ତୁରନ୍ତ ରାସ୍ତା ମରାମତି କରି ଯାତାୟାତ ସ୍ୱାଭାବିକ କରିବା ସହ ନିମ୍ନମାନର କାମ ପାଇଁ ଦାୟୀ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏବେ ସମସ୍ତଙ୍କ ନଜର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି ।

