ରାଞ୍ଚିରେ ରନ୍‌ର ବର୍ଷା ନା ସ୍ପିନ୍‌ର ଜଲୱା? ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଟକ୍କର

ରାଞ୍ଚିରେ ହେବ ରନ୍‌ର ବର୍ଷା ନା ସ୍ପିନ୍‌ରେ ଘାଇଲା ହେବ ୱେଷ୍ଟଇଣ୍ଡିଜ୍? ଦ୍ୱିତୀୟ T20 ମୁକାବିଲାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବଢ଼ିଲା ଉତ୍କଣ୍ଠା। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ଦମ୍‌ଦାର ବିଜୟ ହାସଲ କରିଥିଲା ।

ରାଞ୍ଚିରେ ହେବ ରନ୍‌ର ବର୍ଷା ନା ସ୍ପିନ୍‌ରେ ଘାଇଲା ହେବ ୱେଷ୍ଟଇଣ୍ଡିଜ୍? ଦ୍ୱିତୀୟ T20 ମୁକାବିଲାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବଢ଼ିଲା ଉତ୍କଣ୍ଠା। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ଦମ୍‌ଦାର ବିଜୟ ହାସଲ କରିଥିଲା । ଏବେ ଦ୍ୱିତୀୟ ମ୍ୟାଚ୍‌ରେ ବି ବିଜୟ ଧାରା ବଜାୟ ରଖିବାକୁ ଟିମ୍ ଇଣ୍ଡିଆ ପ୍ରସ୍ତୁତ । ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ୧୭୧ ରନ୍ କରିଥିବା ବେଳେ ଭାରତ ୧୭୨ ରନ୍‌ର ଟାର୍ଗେଟ୍‌କୁ ମାତ୍ର ୧୪.୪ ଓଭରରେ ହାସଲ କରିନେଇଥିଲା । ଏହି ମ୍ୟାଚ୍‌ରେ ଶ୍ରେୟସ ଆୟରଙ୍କ ଅପରାଜିତ ୧୦୨ ରନ୍‌ର ଇନିଂସ୍ ଭାରତର ବିଜୟକୁ ସହଜ କରିଥିଲା । ଭାରତୀୟ ବ୍ୟାଟର୍‌ଙ୍କ ଆକ୍ରମଣାତ୍ମକ ଖେଳ ସହ ସ୍ପିନର୍‌ମାନଙ୍କ ପ୍ରଦର୍ଶନ ବି ୱେଷ୍ଟଇଣ୍ଡିଜ୍ ପାଇଁ ଚିନ୍ତା ବଢ଼ାଇଥିଲା ।

ଇଶାନ କିଶନଙ୍କ ଉପରେ ନଜର:

ଏହି ମ୍ୟାଚ୍‌ର ସବୁଠାରୁ ବଡ଼ ଆକର୍ଷଣ ହେଉଛନ୍ତି ଇଶାନ କିଶନ। ନିଜ ଘରୋଇ ସହର ରାଞ୍ଚିରେ ଭାରତୀୟ ଦଳ ପକ୍ଷରୁ ଖେଳିବା ତାଙ୍କ ପାଇଁ ଏକ ବିଶେଷ ମୁହୂର୍ତ୍ତ ହେବ। ଘରୋଇ ଦର୍ଶକଙ୍କ ସାମ୍ନାରେ ବ୍ୟାଟ୍‌ରେ କମାଲ୍ କରିବାକୁ ଇଶାନଙ୍କ ପାଖରେ ରହିବ ସୁଯୋଗ।

ଭାରତୀୟ ଦଳରେ ଅଭିଷେକ ଶର୍ମା, ସଞ୍ଜୁ ସାମସନ୍, ଇଶାନ କିଶନ, ଶ୍ରେୟସ ଆୟର, ତିଳକ ବର୍ମା ଓ ଶିବମ ଦୁବେଙ୍କ ଭଳି ବ୍ୟାଟର୍ ରହିଛନ୍ତି । ତେଣୁ ଭାରତର ବ୍ୟାଟିଂ ଲାଇନ୍‌ଅପ୍‌କୁ ଅଟକାଇବା ୱେଷ୍ଟଇଣ୍ଡିଜ୍ ବୋଲର୍‌ଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।

ଭାରତର ସ୍ପିନ୍ ଆଟାକ୍ ୱେଷ୍ଟଇଣ୍ଡିଜ୍ ପାଇଁ ଚ୍ୟାଲେଞ୍ଜ:

ପ୍ରଥମ ମ୍ୟାଚ୍‌ରେ ଭାରତୀୟ ସ୍ପିନର୍‌ମାନେ ମଧ୍ୟ ଓଭର୍‌ରେ ୱେଷ୍ଟଇଣ୍ଡିଜ୍ ବ୍ୟାଟର୍‌ଙ୍କୁ ଚାପରେ ରଖିଥିଲେ । ଏବେ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ କୁଲଦୀପ ଯାଦବ ଓ ଅକ୍ଷର ପଟେଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ଅନ୍ୟପଟେ ୱେଷ୍ଟଇଣ୍ଡିଜ୍‌କୁ ଭାରତୀୟ ସ୍ପିନ୍‌ର ମୁକାବିଲା କରିବାକୁ ହେଲେ ଷ୍ଟ୍ରାଇକ୍ ରୋଟେଟ୍ କରିବା ସହ ୱିକେଟ୍ ବଞ୍ଚାଇ ଖେଳିବାକୁ ପଡ଼ିବ । ମଧ୍ୟକ୍ରମର ବ୍ୟାଟର୍‌ମାନେ ଦାୟିତ୍ୱ ନେଲେ ହିଁ ଦଳ ଏକ ଭଲ ସ୍କୋର୍‌ରେ ପହଞ୍ଚିପାରିବ ।

ପିଚ୍ ଓ ପାଣିପାଗ ଉପରେ ରହିବ ନଜର:

ରାଞ୍ଚିର JSCA ଷ୍ଟାଡିୟମ୍‌ରେ ପିଚ୍‌ର ଭୂମିକା ମ୍ୟାଚ୍‌ର ଫଳାଫଳକୁ ପ୍ରଭାବିତ କରିପାରେ । ପିଚ୍‌ରୁ ସ୍ପିନର୍‌ମାନଙ୍କୁ ସହାୟତା ମିଳିଲେ ଭାରତ ଏହାର ଫାଇଦା ଉଠାଇବାକୁ ଚାହିଁବ । ସେହିପରି ସନ୍ଧ୍ୟାରେ କାକର ବା ଡ୍ୟୁ ପଡ଼ିବାର ସମ୍ଭାବନା ରହିଛି। ଡ୍ୟୁ ଯୋଗୁଁ ଦ୍ୱିତୀୟ ଇନିଂସ୍‌ରେ ବୋଲର୍‌ଙ୍କ ପାଇଁ ବଲ୍‌କୁ ଗ୍ରିପ୍ କରିବା କଷ୍ଟକର ହୋଇପାରେ। ତେଣୁ ଟସ୍ ଜିତିବା ଦଳର ନିଷ୍ପତ୍ତି ମଧ୍ୟ ମ୍ୟାଚ୍‌ରେ ଗୁରୁତ୍ୱ ରଖିପାରେ । ଏହା ସହ ମେଘୁଆ ପାଗ ଓ ବଜ୍ରପାତ ସହ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ ଉପରେ ମଧ୍ୟ ନଜର ରହିବ ।

ମ୍ୟାଚ୍‌ର ସମୟ ଓ ପ୍ରସାରଣ:

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ T20 ମ୍ୟାଚ୍ ଅକ୍ଟୋବର ୯, ଶୁକ୍ରବାର ଦିନ ରାଞ୍ଚିରେ ଖେଳାଯିବ । ଟସ୍ ସନ୍ଧ୍ୟା ୬ଟା ୩୦ ମିନିଟ୍‌ରେ ପଡ଼ିବାର କାର୍ଯ୍ୟକ୍ରମ ରହିଛି। ମ୍ୟାଚ୍‌ର ସିଧା ପ୍ରସାରଣ ଷ୍ଟାର୍ ସ୍ପୋର୍ଟସ୍ ନେଟୱର୍କରେ ଦେଖିବାକୁ ମିଳିବ। ଏହା ସହ ଜିଓ ହଟଷ୍ଟାର୍ ଆପ୍ ଓ ୱେବସାଇଟ୍‌ରେ ଲାଇଭ୍ ଷ୍ଟ୍ରିମିଂ ଉପଲବ୍ଧ ହେବ । ତେବେ ଏବେ ଦେଖିବାକୁ ବାକି ରହିଲା, ଘରୋଇ ମାଟିରେ ଇଶାନ କିଶନ କେମିତି ପ୍ରଦର୍ଶନ କରୁଛନ୍ତି ଏବଂ ଭାରତ ଦ୍ୱିତୀୟ ବିଜୟ ସହ ସିରିଜ୍‌ରେ ନିଜ ସ୍ଥିତିକୁ ଆହୁରି ମଜବୁତ କରିପାରୁଛି କି ନାହିଁ ।

Leave a Reply

Your email address will not be published. Required fields are marked *