ପିଲାବେଳେ କୌଣସି କାମ ବୁଝିପାରିନଥିଲେ ଆମେ ସହଜରେ ମାଆ-ବାପା, ଭାଇ-ଭଉଣୀ କିମ୍ବା ସାଙ୍ଗଙ୍କୁ ସାହାଯ୍ୟ ମାଗିଥାଉ । କିନ୍ତୁ ବୟସ ବଢ଼ିବା ସହ ଅନେକ ଲୋକଙ୍କ ମଧ୍ୟରେ ଏମିତି ଏକ ଅଭ୍ୟାସ ଗଢ଼ିଉଠେ—ସବୁ ସମସ୍ୟା ନିଜେ ସମାଧାନ କରିବା ।
ପିଲାବେଳେ କୌଣସି କାମ ବୁଝିପାରିନଥିଲେ ଆମେ ସହଜରେ ମାଆ-ବାପା, ଭାଇ-ଭଉଣୀ କିମ୍ବା ସାଙ୍ଗଙ୍କୁ ସାହାଯ୍ୟ ମାଗିଥାଉ । କିନ୍ତୁ ବୟସ ବଢ଼ିବା ସହ ଅନେକ ଲୋକଙ୍କ ମଧ୍ୟରେ ଏମିତି ଏକ ଅଭ୍ୟାସ ଗଢ଼ିଉଠେ—ସବୁ ସମସ୍ୟା ନିଜେ ସମାଧାନ କରିବା । ଚାକିରି, ଟଙ୍କା, ପରିବାର, ସମ୍ପର୍କ କିମ୍ବା ଭବିଷ୍ୟତର ଚିନ୍ତା ଥିଲେ ମଧ୍ୟ ଅନେକେ ଅନ୍ୟ କାହାକୁ କିଛି କହନ୍ତି ନାହିଁ । ବାହାରୁ ଏମିତି ଲୋକ ଖୁବ୍ ଶକ୍ତିଶାଳୀ ଓ ଆତ୍ମନିର୍ଭର ଲାଗନ୍ତି । କିନ୍ତୁ ଭିତରେ ସେମାନେ ଅନେକ ଚାପ ଏକାକୀ ବୋହି ନେଉଥାଇପାରନ୍ତି । ମନୋବିଜ୍ଞାନ ଦୃଷ୍ଟିରୁ ଏହାର ଏକ ବଡ଼ କାରଣ ହେଉଛି—‘ସାହାଯ୍ୟ ମାଗିଲେ ମୁଁ ଦୁର୍ବଳ ଦେଖାଯିବି’ ବୋଲି ଭାବିବା । ଦୀର୍ଘଦିନ ଧରି ନିଜ ଦାୟିତ୍ୱ ନିଜେ ସମ୍ଭାଳିବାର ଅଭ୍ୟାସ ଥିବା ଲୋକମାନଙ୍କ ମଧ୍ୟରେ ଏହି ଚିନ୍ତା ଅଧିକ ଦେଖାଯାଇପାରେ । ସେମାନଙ୍କୁ ଲାଗେ, ନିଜ ସମସ୍ୟା କହିଲେ ଅନ୍ୟ ଜଣଙ୍କ ଉପରେ ଭାର ହୋଇଯିବେ ।
ଏହି ମନୋଭାବର ମୂଳ କେବେ କେବେ ପିଲାଦିନର ଅଭିଜ୍ଞତାରେ ମଧ୍ୟ ଥାଇପାରେ । ଛୋଟବେଳୁ ‘କାନ୍ଦିବା ନାହିଁ’, ‘ଅଭିଯୋଗ କରିବା ନାହିଁ’, ‘ନିଜ ସମସ୍ୟା ନିଜେ ସମ୍ଭାଳ’ ଭଳି ଧାରଣା ଶୁଣିଶୁଣି ବଡ଼ ହୋଇଥିବା ଲୋକ ନିଜ ଭାବନାକୁ ଦମନ କରିବା ଶିଖିପାରନ୍ତି । ମାଗିଥିବା ସାହାଯ୍ୟ ପାଇଁ ପିଲାବେଳେ ଡାଟ ଖାଇଥିଲେ କିମ୍ବା ସମସ୍ୟାକୁ ଗୁରୁତ୍ୱ ଦିଆଯାଇନଥିଲେ, ବଡ଼ ହେବା ପରେ ଅନ୍ୟଙ୍କ ଉପରେ ଭରସା କରିବା କଷ୍ଟକର ହୋଇପାରେ । କିନ୍ତୁ ସବୁକିଛି ଏକାକୀ ସମ୍ଭାଳିବା ସବୁବେଳେ ସମ୍ଭବ ନୁହେଁ । ଅଫିସ୍ର କାମ, ଘରର ଦାୟିତ୍ୱ ଓ ଆର୍ଥିକ ଚାପ ଯଦି ଏକାସାଙ୍ଗେ ଆସିଯାଏ, ତେବେ ସବୁକୁ ନିଜେ ବୋହିବା ମାନସିକ ଚାପ ଓ କ୍ଲାନ୍ତି ବଢ଼ାଇପାରେ ।
ନିଜର କଥା ପରିବାର, ସାଙ୍ଗ କିମ୍ବା ଭରସାଯୋଗ୍ୟ ବ୍ୟକ୍ତିଙ୍କ ସହ ଭାଗ କଲେ ସମସ୍ୟାକୁ ଅନ୍ୟ ଦୃଷ୍ଟିକୋଣରୁ ଦେଖିବାର ସୁଯୋଗ ମିଳିପାରେ। ଅନେକ ସମୟରେ ସମାଧାନ ନୁହେଁ, କେବଳ କାହାରି ଶାନ୍ତ ଭାବେ କଥା ଶୁଣିବା ମଧ୍ୟ ମନର ଭାର କମାଇଦିଏ । ତେବେ ଏହାର ଅର୍ଥ ନୁହେଁ ଯେ ପ୍ରତ୍ୟେକ ଛୋଟ କଥାରେ ଅନ୍ୟଙ୍କ ଉପରେ ନିର୍ଭର କରିବା ଦରକାର । ଆତ୍ମନିର୍ଭର ହେବା ଭଲ, କିନ୍ତୁ ଆବଶ୍ୟକ ସମୟରେ ସାହାଯ୍ୟ ଗ୍ରହଣ କରିବା ମଧ୍ୟ ସେତିକି ଜରୁରୀ । ପ୍ରକୃତ ମାନସିକ ଶକ୍ତି ହେଉଛି—କେବେ ନିଜେ ଲଢ଼ିବାକୁ ପଡ଼ିବ ଓ କେବେ କାହାରି ସହଯୋଗ ନେବା ଦରକାର, ତାହା ବୁଝିପାରିବା ।

