କାସ୍ପିଆନ ସାଗରରେ ୟୁକ୍ରେନର ବଡ଼ ଆକ୍ରମଣ, ଇରାନୀ ଜାହାଜକୁ ଟାର୍ଗେଟ୍‌ ପରେ ବଢ଼ିଲା ଉତ୍ତେଜନା

ଏହି ଯୁଦ୍ଧ ଆଉ କେବଳ ସ୍ଥଳ ସୀମାରେ ସୀମିତ ହୋଇ ରହିନାହିଁ, ବରଂ ଏବେ ସମୁଦ୍ର ମଧ୍ୟକୁ ବ୍ୟାପିବାରେ ଲାଗିଛି । ପ୍ରଥମ ଥର ପାଇଁ ୟୁକ୍ରେନ କାସ୍ପିଆନ ସାଗରରେ ଏକ ଇରାନୀ ଜାହାଜକୁ ଟାର୍ଗେଟ କରି ଆକ୍ରମଣ କରିଛି ।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏକ ଅତି ଭୟଙ୍କର ରୂପ ଧାରଣ କରିଛି । ଏହି ଯୁଦ୍ଧ ଆଉ କେବଳ ସ୍ଥଳ ସୀମାରେ ସୀମିତ ହୋଇ ରହିନାହିଁ, ବରଂ ଏବେ ସମୁଦ୍ର ମଧ୍ୟକୁ ବ୍ୟାପିବାରେ ଲାଗିଛି । ପ୍ରଥମ ଥର ପାଇଁ ୟୁକ୍ରେନ କାସ୍ପିଆନ ସାଗରରେ ଏକ ଇରାନୀ ଜାହାଜକୁ ଟାର୍ଗେଟ କରି ଆକ୍ରମଣ କରିଛି । ଏହି ଘଟଣା ପରେ ଇରାନ ଏବଂ ୟୁକ୍ରେନ ମଧ୍ୟରେ କୂଟନୈତିକ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ରୁଷ ପାଇଁ ସାମରିକ ସରଞ୍ଜାମ ଓ ମାଲ ପରିବହନ କରୁଥିବା ସନ୍ଦେହରେ ୟୁକ୍ରେନ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

ଏହି ଆକ୍ରମଣକୁ ଇରାନ ସରକାର ତୀବ୍ର ନିନ୍ଦା କରିବା ସହ ଏହାକୁ ଏକ ‘ଖୋଲା ଆକ୍ରମଣ’ ବୋଲି ଅଭିହିତ କରିଛନ୍ତି। ଇରାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୟୁକ୍ରେନ ନିଜର ଏହି ଦୁଃସାହସିକ କାର୍ଯ୍ୟ ଦ୍ୱାରା ଯୁଦ୍ଧର ନିଆଁରେ ଘିଅ ଢାଳିଛି। ଏହି ଘଟଣାର ପ୍ରତିବାଦ ଜଣାଇବା ପାଇଁ ତେହେରାନରେ ଅବସ୍ଥାପିତ ୟୁକ୍ରେନର ଚାର୍ଜ ଡି’ଆଫେୟର୍ସଙ୍କୁ ସମନ ଜାରି କରାଯାଇଛି। ଇରାନୀ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ, ଏହି ଆକ୍ରମଣ ପାଇଁ ୟୁକ୍ରେନ ଏବଂ ତାକୁ ଉସୁକାଉଥିବା ସହଯୋଗୀ ଦେଶମାନଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ।

କାସ୍ପିଆନ ସାଗର ଅଞ୍ଚଳ ଏପର୍ଯ୍ୟନ୍ତ ଯୁଦ୍ଧରୁ ଦୂରେଇ ରହିଥିଲା, ମାତ୍ର ୟୁକ୍ରେନର ଏହି ଆକ୍ରମଣ ପରେ ସମଗ୍ର ଅଞ୍ଚଳରେ ଯୁଦ୍ଧର ଭୟ ଖେଳିଯାଇଛି। ଏହି ଘଟଣାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ୟୁକ୍ରେନ ଏବେ ଯେକୌଣସି ସ୍ଥାନରେ ରୁଷର ଯୋଗାଣ ଲାଇନକୁ ଧ୍ୱଂସ କରିବାକୁ ପ୍ରସ୍ତୁତ ରହିଛି। ତେହେରାନ ଏବଂ ମସ୍କୋ ମଧ୍ୟରେ ବଢୁଥିବା ସାମରିକ ବନ୍ଧୁତାକୁ ନେଇ ପୂର୍ବରୁ ପଶ୍ଚିମା ଦେଶ ଓ ନାଟୋ (NATO) ଚିନ୍ତାରେ ଥିଲେ, କିନ୍ତୁ ଏବେ ଏହି ସିଧାସଳଖ ଆକ୍ରମଣ ବିଶ୍ୱ ସଙ୍କଟକୁ ଆହୁରି ଜଟିଳ କରିଦେଇଛି। ଆକ୍ରମଣରେ ଜାହାଜର କେତେ କ୍ଷୟକ୍ଷତି ହୋଇଛି, ସେନେଇ ସଠିକ୍ ସୂଚନା ମିଳିନଥିଲେ ହେଁ ଏହା ଏକ ବଡ଼ ଧରଣର ବିବାଦ ସୃଷ୍ଟି କରିବା ନିଶ୍ଚିତ ହୋଇଛି ।

Leave a Reply

Your email address will not be published. Required fields are marked *