ଚିଲିକା ହ୍ରଦର ମଝିରୁ ସାମ୍ନାକୁ ଆସିଛି ଏକ ରୋମାଞ୍ଚକର ଏବଂ ଉଦବେଗଜନକ ଦୃଶ୍ୟ । ତିନୋଟି ଡଙ୍ଗା ମିଶି ଏକ ଯାତ୍ରୀବାହୀ ଲଞ୍ଚକୁ ଟାଣି ଟାଣି କୂଳକୁ ଆଣୁଛନ୍ତି । ସୂଚନା ଅନୁସାରେ, ବାଲୁଗାଁରୁ କୃଷ୍ଣପ୍ରସାଦଗଡ଼ ଜେଟି ଅଭିମୁଖେ ଯାଉଥିବା ଏହି ଯାତ୍ରୀବାହୀ ଲଞ୍ଚଟି ହଠାତ୍ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାର ମଝିରେ ଅଚଳ ହୋଇପଡ଼ିଥିଲା ।
ଚିଲିକା ହ୍ରଦର ମଝିରୁ ସାମ୍ନାକୁ ଆସିଛି ଏକ ରୋମାଞ୍ଚକର ଏବଂ ଉଦବେଗଜନକ ଦୃଶ୍ୟ । ତିନୋଟି ଡଙ୍ଗା ମିଶି ଏକ ଯାତ୍ରୀବାହୀ ଲଞ୍ଚକୁ ଟାଣି ଟାଣି କୂଳକୁ ଆଣୁଛନ୍ତି । ସୂଚନା ଅନୁସାରେ, ବାଲୁଗାଁରୁ କୃଷ୍ଣପ୍ରସାଦଗଡ଼ ଜେଟି ଅଭିମୁଖେ ଯାଉଥିବା ଏହି ଯାତ୍ରୀବାହୀ ଲଞ୍ଚଟି ହଠାତ୍ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାର ମଝିରେ ଅଚଳ ହୋଇପଡ଼ିଥିଲା । ଫଳରେ ଲଞ୍ଚରେ ଥିବା ୫୦ରୁ ଅଧିକ ଯାତ୍ରୀ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ପାଣି ମଝିରେ ଫସି ରହିଥିଲେ । ଲଞ୍ଚରେ ଯାତ୍ରୀଙ୍କ ସହ ଅନେକ ବାଇକ୍ ମଧ୍ୟ ରହିଥିଲା ।
ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ତୁରନ୍ତ ତିନୋଟି ଡଙ୍ଗା ନେଇ ଚିଲିକା ମଝିକୁ ପହଞ୍ଚିଥିଲେ । ବହୁ ପରିଶ୍ରମ ପରେ ଲଞ୍ଚଟିକୁ ଟାଣି ଟାଣି ସୁରକ୍ଷିତ ଭାବେ ଘାଟ ନିକଟକୁ ଆଣିବାରେ ସଫଳ ହୋଇଥିଲେ । ଦୀର୍ଘ ସମୟର ଉଦ୍ବେଗ ଓ କସରତ ପରେ ଶେଷରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ କୌଣସି ଜୀବନହାନି କିମ୍ବା ଅନ୍ୟ କ୍ଷତି ଘଟିନଥିବା ସୂଚନା ମିଳିଛି । ଏହି ଘଟଣା ପୁଣିଥରେ ଚିଲିକାରେ ଚଳାଚଳ କରୁଥିବା ଜଳଯାନର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି ।

